

ଧରାକୋଟ (ସମୃଦ୍ଧ ଓଡିଶା) ଗତ ମଙ୍ଗଳବାର ଦିନ ଦିନ ୨ଘଣ୍ଟା ସମୟରେ ଧରାକୋଟ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମର ମଝିସାହିରେ ନିଆଁ ଲାଗି ୮ଟି ପରିବାରର ୧୪ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ଭସ୍ମୀଭୂତ ହୋଇଯାଇଛି । ଏହି ଘଟଣାର ଖବର ପାଇ ଧରାକୋଟ ଅଗ୍ନିକାଣ୍ଡ ଅଧିକାରୀ ପହଁଚିଥିଲେ । ନିଆଁ ଏତେ ଜୋରରେ ଲାଗିଥିଲା ଯେ ୨ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କଲା ପରେ ଯାଇ ନିଆଁକୁ ଆୟତ୍ତ କରିପାରିଥିଲେ । ଏହାପରେ ସ୍ଥାନୀୟ ତହସିଲଦାର ଗଦାଧର ପାତ୍ର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ୫ଦିନ ପାଇଁ ଖାଦ୍ୟ, ପଲିଥିନ୍ ଅଗ୍ନିବିପନ୍ନ ପରିବାରକୁ ପ୍ରଦାନ କରିଥିଲେ ଏବଂ ସରକାରୀ ନିୟମ ପ୍ରକାରେ ବିପନ୍ନଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି କହିଥିଲେ । ଅଗ୍ନିବିପନ୍ନ ପରିବାର ଗୁଡ଼ିକ ଗରିବ ଶ୍ରେଣୀର ହୋଇଥିବାରୁ ଭିଟାମାଟି ହରାଇ ସର୍ବସ୍ୱାନ୍ତ ହୋଇପଡିଛି । ତୁରନ୍ତ ସରକାରୀ ଯୋଜନାରେ ଆର୍ଥିକ ସହାୟତା ସହ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ହେଲେ ଗ୍ରାମର କମଳ ଲୋଚନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ହରି ପ୍ରଧାନ, କବିରାଜ ପ୍ରଧାନ, ଜଟିଆ ପ୍ରଧାନ, ରବି ଗୌଡ଼ ଓ ପିତବାସ ଗୌଡ଼ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




