




ଭୁବନେଶ୍ବର(ସମୃଦ୍ଧଓଡିଶା) ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ଶ୍ରୀ ମୋହନ ଚରଣ ମାଝୀ ଯେଉଁଠି କି ଯାଆନ୍ତୁ ନା କାହିଁକି, ଯେଉଁଠି ବି ଥାଆନ୍ତୁ, ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବାକୁ ଓ ତା’ର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ସବୁବେଳେ ପ୍ରାଧାନ୍ୟ ଦେଇଥାନ୍ତି । ଆଜି ସକାଳେ ତାଙ୍କ ବାସଭବନକୁ କିଛି ଲୋକ ସେମାନଙ୍କ ଅଭିଯୋଗ ନେଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୋଗକାରୀଙ୍କ ମଧ୍ୟରେ କେତେ ଜଣ ଦିବ୍ୟାଙ୍ଗ ମଧ୍ୟ ଆସିଥିଲେ। ଆଜି ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ଏହି ଅବସରରେ ଦିବ୍ୟାଙ୍ଗମାନେ ତାଙ୍କ ଘରକୁ ଆସିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସେମାନଙ୍କ ସମସ୍ୟା ଶୁଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ସହୃଦୟତାପୂର୍ଣ୍ଣ ବ୍ୟବହାରରେ ଭାବପ୍ରବଣ ହୋଇଯାଇଥିଲେ ସମସ୍ତେ । ସେମାନଙ୍କ ମଧ୍ୟରେ ଥିଲେ କଟକ ବାଉଁଶଗଳିର ଦିବ୍ୟାଙ୍ଗ ଶେଖ୍ ରେହେମାନ। ସେ ଭୁବନେଶ୍ବରରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଏକ ତିନି-ଚକିଆ ସାଇକେଲରେ ଯାତ୍ରା ଆରମ୍ଭ କରୁଛନ୍ତି। ସେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଶୁଭେଚ୍ଛା ପାଇ ତାଙ୍କର ଯାତ୍ରା ଆରମ୍ଭ କରିବାକୁ । ମୁଖ୍ୟମନ୍ତ୍ରୀ ତାଙ୍କର ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର