ୱାୟନାଡ (ସମୃଦ୍ଧ ଓଡିଶା) ବାରଣାସୀରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛି ବୋଲି କଂଗ୍ରେସ ମହିସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି । କିନ୍ତୁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦି ଅନୁମତି ଦିଅନ୍ତି ତାହେଲେ ଲଢ଼ିବି ବୋଲି ସେ କହିଛନ୍ତି । ତେବେ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦୁଇ ଦିନିଆ କେରଳ ଗସ୍ତରେ ଆସି ରାହୁଲଙ୍କ ଲୋକସଭା ଆସନ ୱାୟନାଡ଼ରେ ଭାଇଙ୍କ ପାଇଁ ନିର୍ବାଚନୀ ପ୍ରଚାର ଶେଷ କରି ଅନ୍ୟତ୍ର ଯାଉଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା ସୂଚନା ଦେଇଛନ୍ତି । ବାରଣାସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ । ପ୍ରିୟଙ୍କା କଂଗ୍ରେସର ମହାସଚିବ ଭାବେ ପୂର୍ବ ଉତ୍ତର ପ୍ରଦେଶ ପାଇଁ ପ୍ରଚାର ଦାୟିତ୍ୱ ନେବା ପରେ ବିଭିନ୍ନ ସମୟରେ ସେ ବାରଣାସୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଚାଲିଛି । ଏମିତିକି କଂଗ୍ରେସର ବହୁ ନେତାମାନେ ମଧ୍ୟ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ନିର୍ବାଚନ ଲଢ଼ିବା ଉଚିତ ବୋଲି ମତ ପ୍ରକାଶ କରୁଥିବା ସୂଚନା ମିଳିଛି ।