ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱ ଆଜି ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ଆତଙ୍କିତ । ସାମ୍ପ୍ରିତକ ମହାମାରୀ କରୋନାର ମୁକାବିଲା ଲାଗି ଜଳେଶ୍ୱରରେ ସରକାରୀ କଳ ବ୍ୟସ୍ତ ଥିବାବେଳେ ଏଥିନେଇ ବିଭିନ୍ନ ଅଭିଯୋଗ ନିର୍ବାଚତ ପଞ୍ଚାୟତ ପ୍ରତିନିଧିମାନେ କରିଛନ୍ତି । ଅଦ୍ୟାବଧି ଜଳେଶ୍ୱର ବ୍ଲକ ଅଧିନରେ ୨ହଜାର ବ୍ୟକ୍ତି ସ୍ୱଦେଶ ଫେରିଥିବା ବେଳେ ୭ଜଣ ବିଦେଶ ଫେରନ୍ତା ଓ ମ୍ୟୁନିସିପାଲଟିର ଯଥାକ୍ରମେ ୨୭୫ଜଣ ଓ ୫ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିବା ସଂପର୍କରେ ଡ. ପ୍ରଭାସ ଚନ୍ଦ୍ର ନାୟକ କହିଛନ୍ତି । ବ୍ଲକର ବିଭିନ୍ନ ସଂବେଦନଶୀଳ ସ୍ଥାନକୁ ଏକ ଡାକ୍ତରୀ ଦଳ ସହିତ ସେ ଯାଇ ଲକ୍ଷଣଯୁକ୍ତ ବ୍ୟକ୍ତି ମାନଙ୍କ ଉପରେ ତିକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି । ୩୫ଟି ପଞ୍ଚାୟତରେ ଆଇସୋଲେସନ କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ଅଦ୍ୟାବଧି କାହାରିକୁ ଭର୍ତ୍ତୀ କରାଯାଇନଥିବା ଏବଂ ସରକାରୀ ନୀତି ନିୟମରେ କାର୍ଯ୍ୟ ଆଗେଇ ଚଳାଇଥିବା ସଂପର୍କରେ ବିଡିଓ ଦିପ୍ତୀରଂଜନ ସେଠୀ କହିଛନ୍ତି । ମ୍ୟୁନିସିପାଲଟିରେ ୨ଟି ଶିବିରରେ ଓ ଅନ୍ୟ ଏକ ବସ୍ତି ବାସିନ୍ଦାଙ୍କୁ ୧୫୦ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଉଥିବା ଓ ଆଗାମୀ ୮ଦିନ ଲାଗି ବିଧାରୟକ ଅଶ୍ୱିନୀ କୁମାର ପାତ୍ର ସମସ୍ତ ଖାଦ୍ୟ ଖର୍ଚ୍ଚ ତୁଲାଇବା ସଂପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ଗତ ୨୯ ତାରିଖରୁ କେତେକ ପଂଚାୟତରେ ରନ୍ଧାଖାଦ୍ୟର ଆରମ୍ଭ ହୋଇଥିଲେ ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ୧୬୬୧ଜଣ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବାର ସିଡିପିଓ ଦିପ୍ତିମୟୀ ପୋଥାଳ ସୂଚନା ଦେଇଛନ୍ତି । ଜଳେଶ୍ୱର ବ୍ଲକ ଅଂଚଳରେ ୩୫ହଜାର ଓ ମ୍ୟୁନିସିପାଲଟି ଅଂଚଳର ୪୦୫୭ଜଣ ଲୋକଙ୍କୁ ରେସନ ଖାଦ୍ୟ ଯୋଗାଇବା ସହିତ ସରକାରଙ୍କ ନୀତି ନିୟମରେ ୫କିଲୋ ଖାଦ୍ୟ, ୧ କିଲୋ ଡାଲି ଦିଆଯିବାର ବ୍ୟବସ୍ଥା ଆଜି ଆରମ୍ଭ ହୋଇଥିବା ଓ ପ୍ରତ୍ୟେକଙ୍କୁ ୧ହଜାର ଟଙ୍କା ଦିଆଯାଉଥିବା ବ୍ୟବସ୍ଥା ସଂପର୍କରେ ବିଡିଓ କହିଛନ୍ତି । ଅନ୍ୟପକ୍ଷରେ ପଞ୍ଚାୟତରାଜ ବିଭାଗର ସରପଞ୍ଚ, ସମିତି ସଦସ୍ୟ, ଜିଲାପରିଷଦ ସଦସ୍ୟ ଓ ୱାର୍ଡମେମ୍ବର ମାନଙ୍କ ବିନାପରାମର୍ଶରେ ସମସ୍ତ କାର୍ଯ୍ୟ ହେଉଥିବାରୁ ଏହାର ସ୍ୱଚ୍ଛତା ଓ ନ୍ୟାୟିକତା ସଂପର୍କରେ ପ୍ରଶ୍ନ ଉଠାଇଛନ୍ତି । ବହୁ ଯୋଗ୍ୟ ବ୍ୟକ୍ତି ରେସନକାର୍ଡ ପାଇନଥିବା ବେଳେ ଏବେ ମଧ୍ୟ ସେମାନଙ୍କୁ ଚାଉଳ, ଗହମ ପାଇବାରୁ ବଂଚିତ କରାଯାଇଥିବାରୁ ସେମାନେ ସେମାନଙ୍କ ପ୍ରାପ୍ୟରୁ ବଂଚିତ ହେଉଥିବା ପୂର୍ବତନ କାଉନ୍ସିଲର ଅମୂଲ୍ୟଦତ୍ତଙ୍କ ସହିତ ବହୁ ନିର୍ବାଚିତ ବ୍ୟକ୍ତି କହିଛନ୍ତି । ଅନ୍ୟ କେତେକ ବ୍ୟକ୍ତି ଅନ୍ୟ ରାଜ୍ୟରେ ବିଭିନ୍ନ କମ୍ପାନୀରେ ରହି ସେମାନଙ୍କ ସ୍ୱଳ୍ପ ରୋଜଗାରରେ ଗାଁରେ ପକ୍କା ଘରଟିଏ କରିଥିବାରୁ ରେସନ୍ କାର୍ଡରୁ ବଞ୍ଚିତ ହୋଇଛନ୍ତି । ଏବେ ଜୀବିକା ହରାଇ ଘରେ ବସିଥିବା ବେଳେ ସେମାନେ ଏହି ନ୍ୟାୟ ପାଇପାରୁ ନାହାନ୍ତି । ପଂଚାୟତ ଗୁଡିକରେ ଅଦ୍ୟାବଧି କୌଣସି ଆର୍ଥୀକ ସହାୟତା ପହଞ୍ଚି ନଥିବା ବେଳେ ସରପଂଚ ସ୍ଥାନୀୟ ଲୋକଙ୍କୁ କରୋନ ସଂପର୍କରେ ମୁକାବିଲା କରିବା କଷ୍ଟସାଧ୍ୟ ହୋଇଛି । ଅନ୍ୟପକ୍ଷରେ ପ୍ରତି ପଞ୍ଚାୟତକୁ ମିଳିବାକୁ ଥିବା ୫ଲକ୍ଷ ଟଙ୍କା ପଞ୍ଚାୟତ ଖର୍ଚ୍ଚ କରିବାନେଇ ବିବାଦ ଦେଖା ଦେଇଛି । ଏ ସବୁର ସମାଧାନ କରିବାକୁ ପ୍ରତିନିଧିମାନେ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା