ନିର୍ବାହୀଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ସହରରେ ପିଇବା ପାଣି ସମସ୍ୟା:ସହରବାସୀଙ୍କ ରାସ୍ତାରୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଲଗାତର ବର୍ଷା ହେଲେ ମଧ୍ୟ ପିଇବା ପାଣି ମିଳିବା ଘୋର ସମସ୍ୟା ଦେଖାଦେଇଛି । ଯାହାଫଳରେ ବ୍ରହ୍ମପୁର ମହାନଗର ୩୩ ନମ୍ବର ୱାର୍ଡ ଗଜପତି ନଗର ଅଧିବାସୀ ଘୋର ଉଦବେଗ ପ୍ରକାଶ କରି ଦୀର୍ଘ ୫ଦିନ ହେଲା ପିଇବା ପାଣି ପାଇଁ ଦାବୀ କରି ରାସ୍ତା ରୋକ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଋଷିକୁଲ୍ୟା ଜଳଯୋଗାଣର ବ୍ୟାଘାତ ଯୋଗୁଁ ଏପରି ସମସ୍ୟା ଦେଖାଦେଇଥିବା କୁହା ଯାଇଛି । ୫୦୦ କୋଟି ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ (Dream Project) କୁହାଯାଉଥିବା ଜାନିବିଲି ଜଳ ପ୍ରକଳ୍ପକୁ ତରବରିଆ ଭାବେ ନିର୍ବାଚନକୁ ଆଖି ଆଗରେ ରଖି ଅସଂପୂର୍ଣ୍ଣ ପ୍ରକଳ୍ପକୁ ଗତ ମାର୍ଚ୍ଚ ୩ରେ ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପ ଜରିଆରେ ଫେବୃୟାରୀ ମାସରେ ମହାନଗରର ୬ ଟି ୱାର୍ଡ-୨୯,୩୦,୨୧,୨୨,୧୮,୧୯, ମାର୍ଚ୍ଚ ମାସରେ ୧୦ ଟି ୱାର୍ଡ, ଅପ୍ରେଲ ମାସରେ ୧୨ଟି ୱାର୍ଡକୁ ଜଳଯୋଗାଣ କରାଯିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ତାହା ପୂରଣ ହୋଇ ନ ପାରିବା ଯୋଗୁଁ ଜନସାଧାରଣ ପିଇବା ପାଣି ପାଇବା କଷ୍ଟକର ହୋଇପଡିଛି । ଗତ ଜୁନ ମାସ ୧୨ ତାରିଖରେ ମହାନଗର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏବଂ ବ୍ରହ୍ମପୁର ନବ ନିର୍ବାଚିତ ବିଧାୟକଙ୍କ ଉପସ୍ଥିତରେ ଗୋଟିଏ ସମୀକ୍ଷା ବୈଠକ ମଧ୍ୟ ବସିଥିଲା । ଏହାସହ ପ୍ରତି ୧୫ ଦିନରେ ସମୀକ୍ଷା କରାଯିବାକୁ ସ୍ଥିର କରାଯାଇଥିଲା । ଆଜିକୁ ୨ ମାସ ବିତିଗଲା ପରେ ମଧ୍ୟ ଆଉ ସମୀକ୍ଷା ବୈଠକ କରାଯାଇନାହିଁ । ଗୋଟିଏ ପଟେ ହୋଟେଲ, ହଷ୍ଟେଲ, ନସିଂ ହୋମ, ବଡ ବଡ ଆପାର୍ଟମେଣ୍ଟ ଗୁଡିକକୁ ସରକାରୀ ଗାଡିରେ ବେନିୟମ ଭାବେ ପାଣି ବିକ୍ରୀ ହୋଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ପ୍ରଭାବଶାଳୀ ବ୍ୟକ୍ତିମାନେ ରାତି ଅଧିଆ ଚୋରା ପାଇପ ସଂଯୋଗ କରି ପାନୀୟଜଳ ଚୋରି କରୁଥିବା ଯୋଗୁଁ ଅନ୍ୟମାନଙ୍କୁ ପାନୀୟଜଳ ମିଳିବା ସମସ୍ୟା ଦେଖାଯାଉଥିବା କୁହାଯାଉଛି । ବ୍ରହ୍ମପୁର ସହରରେ ଚୋରା ପାଇପ ସଂଯୋଗ ଓ ଚୋରାରେ ପାଣି ବିକ୍ରୀରେ ନିଜେ ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ବୋଲି ଅଭିଯୋଗ ହେଉଥିବାବେଳେ ସେ ଏଠାରେ ଦୀର୍ଘଦିନ ତଥା ୧୩ ବର୍ଷ ହେଲା କେଉଁଆଡେ ବଦଳି ନ ହୋଇ ନିଜର ବ୍ୟବସାୟ ଚଳାଇ ଥିବାରୁ ସାଧାରଣ ଲୋକେ ପାଣି ପାଇଁ ହଇରାଣ ହରକତ ହେଉଥିବା କୁହାଯାଉଛି । ଏହି ନିର୍ବାହୀଯନ୍ତ୍ରୀଙ୍କ ନାମରେ ଭିଜିଲାନ୍ସରେ ମାମଲା ଥିବା ବେଳେ ବ୍ରହ୍ମପୁର ପୂର୍ବତନ ବିଧାୟକ ନିଜେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସୁପାରିଶ କରି ଜନସ୍ୱାସ୍ଥ୍ୟ ବିଭାଗକୁ ଥଇଥାନ କରିଛନ୍ତି । ଏବେ ମଧ୍ୟ ଜନସ୍ୱାସ୍ଥ୍ୟ ଡିଭିଜନରେ ମିଥ୍ୟା ବିଲ ଜରିଆରେ କୋଟି କୋଟି ସରକାରୀ ରାଜସ୍ୱ ଦିନ ଦିପ୍ରହରରେ ଲୁଟୁ ଛନ୍ତି ବୋଲି ଘୋର ଅଭିଯୋଗ ହେଉଛି । ତଥାପି ତାଙ୍କର ବଦଳି ହେଉନାହିଁ । ଚତୁରତା ବଳରେ ତୃତୀୟ ମହଲା ସମେତ ଜିଲ୍ଲାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ସଂପର୍କ ରଖି ଦୁର୍ନୀତି କରିବାକୁ ପଛାଉ ନ ଥିବାରୁ ଏଭଳି ଅରାଜକ ସମସ୍ୟା ଦେଖାଦେଇଛି । ଏହିପରି ଦୂର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ସହ ବିଭାଗୀୟ ସଚିବଙ୍କ ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ (Dream Project)କୁ ତରବରିଆ ଭାବେ ଉଦଘାଟନ କରି ଜନସାଧାରଣଙ୍କୁ ଭୁଆଁ ବୁଲାଇ ଥିବା ସହରବାସୀ ଅନୁଭବ କରି ଏହାର ତୁରନ୍ତ ସମାଧାନ କରିବାକୁ ଦାବୀ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା