ନିର୍ମାଣଧୀନ ମାର୍କେଟ କମପ୍ଲେକ୍ସ ସମ୍ପୂର୍ଣ୍ଣ କରି ବେକାରୀଙ୍କୁ ବ୍ୟବସାୟର ସୁଯୋଗ ଦେବାକୁ ଦାବି…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧିନସ୍ତ ଖଙ୍କିରା ପଞ୍ଚାୟତବାସୀ ବହୁ ଦିନରୁ ଏକ ମାର୍କେଟ କମପ୍ଲେକ୍ସ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି । ବିଗତ କିଛି ଦିନ ତଳେ ଏହି କାମ ଆରମ୍ଭ ହୋଉଛି କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ କିଛି ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ ନେଇ ଏହି କାମକୁ ନ କରିବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିବାର ଖବର କାଗଜରେ ପ୍ରକାଶିତ ହେବା ପରେ ସେ କାର୍ଯ୍ୟ ବନ୍ଦ ହୋଇ ଯାଇଛି । ଖଙ୍କିରା ପଞ୍ଚାୟତ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେଲା ବେଳକୁ କାହିଁକି କିଛି ହାତ ଗଣତି ଲୋକ ଏହାକୁ ବିରୋଧ କରୁଥିବା ଯୋଗୁଁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି । ଖଙ୍କିରା ପଞ୍ଚାୟତର ତାରିଣୀ ମନ୍ଦିର ନିକଟସ୍ତ ଜାଗାରେ ସରକାରୀ ଅନୁଦାନରେ ଏହି ଦୋକାନ ଗୃହ ଗୁଡିକ କରାଯାଉଛି । ଏହି ଠାରେ ମାର୍କେଟ କମପ୍ଲେକ୍ସ ହେଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଯେଉଁ ଶବଦାହ ଜାଗାରେ ମାର୍କେଟ କମପ୍ଲେକ୍ସ କରାଯାଉଛୁ ବୋଲି ଅଭିଯୋଗ ହେଇଛି ତାହା ସମ୍ପୂର୍ଣ ମିଥ୍ୟା ବୋଲି ଗ୍ରାମବାସୀ ଜଣାଇଛନ୍ତି । ଶବଦାହ ଜାଗା ପାଚେରି ମଧ୍ୟରେ ସୁରକ୍ଷିତ ଅଛି ଆଊ କିଛି ଜାଗା ତଳ କଡ଼କୁ ଜବର ଦଖଲରେ ରହିଛି । ଏହି ମାର୍କେଟ କମପ୍ଲେକ୍ସ ତୁରନ୍ତ କରାଯିବାକୁ ଦାବି ହୋଇଛି । ଗ୍ରାମରେ ରହିଥିବା ଅନେକ ବେକାରି ପିଲା ଏହି ମାର୍କେଟ କମପ୍ଲେକ୍ସ ହେଲେ ବ୍ୟବସାୟ କରି ନିଜ ପରିବାର ଭରଣପୋଷଣ କରିପାରିବେ । ଯେଉଁଠାରେ ଦୋକାନ ଗୃହ ଗୁଡିକ ଏବେ କରାଯାଉଛି ସେହିଠାରେ ମଧ୍ୟ ଆଗରୁ କେବିନ ମାଧ୍ୟମରେ ବଜାର ଗଢି ଉଠିଥିଲା କିନ୍ତୁ କାହିଁକି ଅଭିଯୋଗକାରିମାନେ ଅଭିଯୋଗ କରି ନ ଥିଲେ । ସେତେବେଳେ କଣ କିଛି ଅସୁବିଧା ହେଉ ନ ଥିଲା କି ବୋଲି ପ୍ରଶ୍ନ ଉଠିଛି । ଏହି ମାର୍କେଟ କମପ୍ଲେକ୍ସ ତୁରନ୍ତ ସମ୍ପୂର୍ଣ୍ଣ କରି ପଞ୍ଚାୟତର ବେକାର ସମସ୍ୟାକୁ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରଶାସନକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । 

ରିପୋର୍ଟ : ଶୁଭମ ପାଣି