

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଅବକାରୀ ବିଭାଗ ଲାଞ୍ଚ କାରବାର ଭିଡ଼ିଓ ଭାଇରଲ ଘଟଣାରେ ସମ୍ପୃକ୍ତ କନେଷ୍ଟବଳ ସୁଶାନ୍ତ ପାତ୍ରଙ୍କୁ ନିଲମ୍ବିତ କରାଯାଇଥିଲା । ଗତକାଲି ନିଲମ୍ବିତ କନେଷ୍ଟବଳ ଶ୍ରୀ ପାତ୍ରଙ୍କ ପତ୍ନୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ତାଙ୍କ ସ୍ୱାମୀ ଅନେକ ବେଆଇନ ମଦ ଓ ଗଞ୍ଜେଇ ଦଲାଲଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲାଞ୍ଚ ନେଇ ଏକ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ବେଳେ ଏହି ସବୁ କଳା କାରନାମାକୁ ପ୍ରଶ୍ଚୟ ଦେଉଥିଲେ ବିଜେଡ଼ି ଦଳର ଅନେକ ନେତା ଓ ମନ୍ତ୍ରୀ । ସେହିପରି ଜନଜାତି, ଆଦିବାସୀ ଓ ପଛୁଆ ବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ନିଲମ୍ବିତ ଅବକାରୀ କନେଷ୍ଟବଳ ଶ୍ରୀ ପାତ୍ରଙ୍କ ସହ ଲିଙ୍କ ଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ବିରୋଧ କରି ରାୟଗଡ଼ା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଶିଵ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ସହର ସ୍ଥିତ କପିଳାସ ଛକ ନିକଟରେ ଟାଉନ ସଭାପତି ଶ୍ୟାମକୁମାର ଦାଶଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଶ୍ରୀ ସାରକାଙ୍କ କୁସ ପୁଟଳିକା ଦାହ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ସେହିପରି ରାୟଗଡ଼ା ଆମ୍ ଆଦମୀ ପକ୍ଷରୁ ରାଜ୍ୟ ଆପ୍ କମିଟିର ନିର୍ଦେଶ କ୍ରମେ ରାଜ୍ୟ ସଂପାଦକ, ମୁଖପାତ୍ର ଏବଂ ଜିଲ୍ଲା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଶ୍ରୀ ସାରକାଙ୍କ କୁସ ପୁଟଳିକା ଦାହ କରାଯାଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀର ବହୁ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

