ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିନକୁ ଦିନ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଗପହଣ୍ଡି ସହରରେ କେବଳ ୮ରୁ ଉଦ୍ଧ୍ୱ ବିଭିନ୍ନ ପ୍ରକାର ପବ୍ଳିକ୍ ସ୍କୁଲ ଓ ପ୍ଲେ ସ୍କୁଲ ରହିଥିବା ବେଳେ ୫ଟି ଶିଶୁ ମନ୍ଦିର ଭଳି ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ବ୍ଳକର ବିଭିନ୍ନ ଅଞ୍ଚଳରେ ସମୁଦାୟ ୬୦ରୁ ଉଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନମାନ ରହିଥିବା ଜଣାପଡିଛି । ତେବେ ଏସବୁ ଏବେ ବେ ଲଗାମ ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅଭିଯୋଗ ହୋଇଛି । ନିୟମିତ ଫିସ୍ ରହିନଥିବା ବେଳେ ଜୋନେସନ୍ ଆଳରେ ବେଧଡକ ଚାନ୍ଦା ଶୋଷଣ କରାଯାଉଥିବା ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ନିଶ୍ଚିତ ମୁକ୍ତ ଏବଂ ବାଧ୍ୟ ଶିକ୍ଷାଧିକାର ଆଇନ ୨୦୧୦ ପ୍ରକାରେ ୬ରୁ ୧୪ ବର୍ଷ ବୟସ ଶିଶୁ ମାନଙ୍କୁ ନିଶ୍ଚିତ ଏବଂ ମୁକ୍ତ ଶିକ୍ଷା ପ୍ରଦାନ କରାଯିବ । ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଲଘୁ ସଂଖ୍ୟା ଏବଂ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବେ । ଏହାର ସମସ୍ତ ଡାଟା ବେସ୍ ଅନଲାଇନ ମାଧ୍ୟମରେ ମହଜୁଦ ରଖି ସାର୍ବଜନୀନ ରଖିବେ । ସେହିପରି ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନର ଉପସ୍ଥିତି ନକ୍ସା ସମ୍ପୃକ୍ତ ବିଭାଗ ନିକଟରେ ଦାଖଲ କରିବା ପରେ ସେଠାରେ ଶିଶୁଙ୍କ ସୁରକ୍ଷା ନେଇ ସମସ୍ତ ନିୟମ ପାଳୁଛନ୍ତିକି ନାହିଁ ତାହା ଯାଞ୍ଚ କରାଯିବ । ଘରୋଇ ଶିକ୍ଷାନୁଷ୍ଠାନରେ ପାଚେରୀ କାନ୍ଥ, ପିଲାମାନଙ୍କୁ ନେବା ଆଣିବା ପାଇଁ ବୈଧ୍ୟ ଚ୍ରାନ୍ସପୋର୍ଟ ଭେଇକଲ୍, ପାନୀୟ ଜଳର ସୁବନ୍ଦୋବସ୍ତ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଲାଇବ୍ରେରୀ, କ୍ରୀଡା ସାମଗ୍ରୀ ଆଦି ମହଜୁଦ ରଖିବା ସହ ଖେଳ ପଡିଆର ଏବଂ ଶୌଚାଳୟର ବନ୍ଦୋବସ୍ତ କରିବା ପରେ ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ପଞ୍ଜିକୃତ କରାଯାଇଥାଏ । ପଞ୍ଜିକୃତ ସଂଖ୍ୟା ୟୁଜର୍ ଆଇଡି ଓ ପସ୍ ୱାର୍ଡ ପ୍ରଦାନ କରାଯିବା ପରେ ନିୟମିତ ଅନଲାଇନ ଅପଡେଟ୍ ଡାଟା ବେସ୍ ପ୍ରଦାନ କରିବାକୁ କଡା ନିର୍ଦ୍ଦେଶ ରହିଛି । ହେଲେ ଦିଗପହଣ୍ଡି ସହରାଞ୍ଚଳରେ ରହିଥିବା ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହାର ବ୍ୟତିକ୍ରମ ଦେଖାଦେଇଥିବା ଅଭିଯୋଗ ହୋଇଛି । ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢିବାକୁ ଯାଉଥିବା କୋମଳମତି ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ନେଇ କୌଣସି ନିରାପତ୍ତାର ବ୍ୟବସ୍ଥା ନଥିବା ବେଳେ ସେମାନଙ୍କର ପାନୀୟ ଜଳ ଓ ଶୌଚାଳୟ ବନ୍ଦୋବସ୍ତ କଥା ପଚାରେ ବା କିଏ । ଏଭଳି ଅବ୍ୟବସ୍ଥା ମଧ୍ୟରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନ ଚାଲିଥିବା ବେଳେ ସେଗୁଡିକ ଉପରେ ଲଗାମ୍ ଲଗାଇବା ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ରାଜ୍ୟ ରାଜପଥ ପାଶ୍ୱର୍ରେ ରହିଥିବା ବେଳେ କିଛି ଘରୋଇ ଶିକ୍ଷାନୁଷ୍ଠାନ ଦୋମହଲା କୋଠା ଉପରେ ରହିଛି । ସେଗୁଡିକୁ କୋମଳ ମତି ଶିଶୁ ମାନେ ସିଡିରେ ଚଢି ଯାଉଥିବା ବେଳେ ପାଚେରୀ ବିହୀନ ଦୋମହଲା କୋଠା ଉପରେ ଚାଲୁଥିବା ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ସର୍ବଦା ବିପଦ୍ ଜନକ ସ୍ଥିତିରେ ପିଲା ମାନେ ଚଳପ୍ରଚଳ ହେଉଥିବା ନଜିର୍ ରହିଛି । ସେହିପରି ଯେ କୌଣସି ଘରୋଇ ଶିକ୍ଷାନୁଷ୍ଠାନ ପଞ୍ଜିତ୍କତ ହେବା ପୂର୍ବରୁ ସର୍ବପ୍ରଥମେ ଅନୁନ୍ୟ ୭ ଜଣିଆ ଗର୍ଭର୍ଣ୍ଣିଂ ବଡି ପ୍ରସ୍ତୁତ କରିବା ପରେ କର୍ମକର୍ତ୍ତା ଚୟନ କରିବାକୁ ବାଧ୍ୟତା ରହିଛି । ହେଲେ ପାରିବାରିକ ବ୍ୟବସାୟ ବୃଦ୍ଧି ଅ।।ଳରେ ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଗର୍ଭର୍ଣ୍ଣିଂ ବଡିରେ ଘରୋଇ ସଦସ୍ୟ ମାନେ ସାମିଲ ରହିଥିବା ସୂଚନା ଅଧିକାର ନିୟମ ବଳରେ ପ୍ରାପ୍ତ ତଥ୍ୟରୁ ହସ୍ତଗତ ହୋଇଛି । ସହର ଓ ବ୍ଳକାଞ୍ଚଳରେ ନବମ ଓ ଦଶମ ଶ୍ରେଣୀ ଉଚ୍ଚ ଶିକ୍ଷା ପାଇଁ ୧୦ରୁ ଉଦ୍ଧ୍ୱର୍ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ସରକାରୀ ବିଦ୍ୟାଳୟ ଗୁଡିକରେ ପାସ୍ ହାର ଏବଂ ଫଳାଫଳରେ ଅସନ୍ତୋଷ ବିକଳ୍ପ ଶିକ୍ଷାଦାନ ପାଇଁ ଏହି ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଏକାନ୍ତ ନିର୍ଭରଶୀଳ ହେଉଥିବାରୁ ସେଠାରେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ମନମାନି ବୃଦ୍ଧି ପାଉଛି ବୋଲି ସାଧାରଣରେ ସମାଲୋଚନା ହେଉଛି ।
ଲକ୍ଷ୍ମୀନାରାୟଣ ପାଢୀ, ଆଇନଜିବୀ –
ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ମନମାନିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷାନିତୀ ପ୍ରଣୟନ କରିଲେ । ନିୟମ ଖିଲାପକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବିଧି ବ୍ୟବସ୍ଥା ମଧ୍ୟ କରିଲେ । ହେଲେ ସମ୍ପୃକ୍ତ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ଯାଞ୍ଚ ତନଖି କରାଯାଇଥିଲେ ଲଗାମ୍ ଲଗାଯାଇପାରନ୍ତା । ହା । ହେଉନଥିବାରୁ ଗରୀବ ମେଧାବୀ ଛାତ୍ରଛାତ୍ରୀ ମାନେ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠପଢାରୁ ବଞ୍ôଚତ ହେଉଥିବା ବେଳେ ମଧ୍ୟବିତ୍ତ ପରିବାର ବର୍ଗର ମେଧାବୀ ଛାତ୍ରଛାତ୍ରୀ ମାନେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ଅର୍ଥ ଶୋଷଣର ଶୀକାରରେ ବଳି ପଡିଯାଉଛନ୍ତି ।
ସମୀରକାନ୍ତ ତ୍ରିପାଠୀ, ସଭାପତି, ବିଜୁ ଯୁବ ବାହିନୀ –
ନିରାପତ୍ତାର ବନ୍ଦୋବସ୍ତ ବ୍ୟବସ୍ଥା ତନଖି କରିବା ପରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ପଞ୍ଜିକୃତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥାଏ । ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କର ଏନଓସି ନଥିବା ବେଳେ ସେଗୁଡିକର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବିଧିବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରନ୍ତା । ତେବେ ଏହା କରାନଯାଇ ବ୍ୟବସାୟିକ କରାଯାଇ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଣ୍ଟ୍ରାନ୍ସ ପରେ ଡୋନେସନ୍ ଆଳରେ ମନଇଛା ଅର୍ଥ ଶୋଷଣ କରାଯାଉଛି ।
ସୁମନ କୁମାର ସାହୁ, ଅଭିଭାବକ –
ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଦକ୍ଷତା ଓ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହୋଇନଥିବା ବେଳେ ସେମାନଙ୍କର ପ୍ରମାଣପତ୍ର ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି । ଯାହାର ସୁଯୋଗ ନେଇ ଦକ୍ଷତା ନଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଘରୋଇ ଶିକ୍ଷାନୁଷ୍ଠାନ ମାନେ କମ୍ ବେତନରେ ନିଯୁକ୍ତି ସୁଯୋଗ ଦେଉଥିବା ନଜିର୍ ରହିଛି । ଦକ୍ଷତା ସମ୍ପୂର୍ଣ୍ଣ ନିଯୁକ୍ତି ହୋଇଥିବା ଶିକ୍ଷାନୁଷ୍ଠାନ ମାନନ୍ର ଅଧିକା ବେତନ ପ୍ରଦାନ କରାଯାଉଥିବାରୁ ଛାତ୍ରଛାତ୍ରୀମାନଙ୍କ ଠାରୁ ଫିସ୍ ଏବଂ ଡୋନେସନ୍ ମଧ୍ୟ ଅଧିକା ନିଆଯାଉଥିବା ଜାଣିବାକୁ ମିଳିଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ବିପଦ୍ଜନକ ସ୍ଥିତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଏବଂ ରାଜ୍ୟରାଜପଥ ପାଶ୍ୱର୍ରେ ଅବସ୍ଥିତ ଥିବା ବେଳେ ପିଲାମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନି ।
ସନାତନ ପଣ୍ଡା, ଜିଲା ଶିକ୍ଷାଧିକାରୀ –
ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ରୋକ୍ ଲଗାଇବା ପାଇଁ ପ୍ରାଇଭେଟ୍ ସ୍କୁଲ ମ୍ୟାନେଜ୍ମେଣ୍ଟ୍ ପୋର୍ଟାଲ୍ର ବ୍ୟବସ୍ଥା କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଅଭିଯୋଗ କେନ୍ଦ୍ର ଏକ ସ୍ଥାପନ କରିବା ପାଇଁ ଉଚ୍ଚବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଉଛି । ତଥାପି ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କ ଉପରେ ଅଚାନକ ପରିଦର୍ଶନ କରାଯାଇ ସେଗୁଡିକରେ ସରକାରୀ ନିୟମ ଉଲଂଘନ ହେଉଥିବା ପ୍ରମାଣ ହେଲେ ତଦନୁଯାୟୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା