ନିୟମ କୋହଳ ପାଇଁ ପ୍ରସ୍ତାବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ବାତ୍ୟା ସହାୟତା କ୍ଷେତ୍ରରେ ନିୟମ କୋହଳ କରିବାପାଇଁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ବିଶେଷକରି ବିଜୁଳି କ୍ଷେତ୍ରରେ ସହାୟତା ପାଇଁ ଥିବା ନିୟମକୁ କୋହଳ କରିବାକୁ କେନ୍ଦ୍ରୀୟ ଅନୁଧ୍ୟାନକାରୀଦଳକୁ ଅନୁରୋଧ କରାଯାଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି । ବାତ୍ୟାଞ୍ଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଦଳ ସହ ଆଲୋଚନା ପରେ ଶ୍ରୀ ପାଢୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନିୟମ ଅନୁଯାୟୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଥିବା ୨୨୦ କେ.ଭି ଓ ୩୩ କେ.ଭି ବିଦ୍ୟୁତ୍‍ ଭିତ୍ତିଭୂମି ଲାଗି କେନ୍ଦ୍ର ସରକାର ସହାୟତା କରିପାରୁ ନାହାନ୍ତି । କେବଳ ଏଲ.ଟି ଲାଇନ୍‍ ପାଇଁ ସହାୟତାର ବ୍ୟବସ୍ଥା ରହିଛି । ତେଣୁ ଏଭଳି ନିୟମରେ ପରିବର୍ତ୍ତନ ଲାଗି ଓଡିଶା ପକ୍ଷରୁ ଦାବି କରାଯାଇଛି । ସେହିଭଳି ଆଉ କେତେକ କ୍ଷେତ୍ରରେ ନିୟମକୁ ମଧ୍ୟ ପରବର୍ତ୍ତନ ଲାଗି ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଆଜିର ବୈଠକରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ ସେଠୀ କ୍ଷୟକ୍ଷତର ପ୍ରାରମ୍ଭିକ ଆକଳଳନ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଜିଲ୍ଲା ସ୍ତରରୁ କ୍ଷୟକ୍ଷତିର ବିବରଣୀ ହସ୍ତଗତ ହେଉଥିବାରୁ କେନ୍ଦ୍ରକୁ ଚୂଡାନ୍ତ ରିପୋର୍ଟ ଦେବାଲାଗି ଆଉ କିଛିଦିନ ସମୟ ଲାଗିବ ବୋଲି ମୁଖ୍ୟ ସଚିବ କହିଛନ୍ତି । କେନ୍ଦ୍ରୀୟ ଟିମ୍‍ର ମୁଖ୍ୟ ବିବେକ ଭରଦ୍ୱାଜ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଘଟିବାର ୧୦ଦିନ ମଧ୍ୟରେ ପ୍ରଥମଥର ପାଇଁ କେନ୍ଦ୍ରୀୟ ଟିମ୍‍ ଓଡିଶାକୁ ଆସିଛନ୍ତି । ଗତ ଦୁଇ ତିନି ଧରି ଟିମ୍‍ ବିଭିନ୍ନ ଅଞ୍ଚ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରୀ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ସ୍ଥାନରେ ଘର ଓ ହୋଟେଲ ଗୁଡିକ ଭାଙ୍ଗିରୁଜି ଯାଇଛି । ବହୁ ସ୍ଥାନରେ ଜଳଯୋଗାଣ ବ୍ୟାହତ ହୋଇଛି । କଟକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଲୋକଙ୍କ ଘର ସହିତ ପାନ ଚାଷ ଉଜୁଡି ଯାଇଛି । ପ୍ରାୟତଃ ସମସ୍ତ ସାଧାରଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମୁକାବିଲାରେ ରାଜ୍ୟର କାର୍ଯ୍ୟ ପ୍ରଶଂସନୀୟ ବୋଲି ଶ୍ରୀ ଭରଦ୍ୱାଜ କହିଛନ୍ତି । ପ୍ରାୟ ସବୁଠାରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରନ୍ଧାଖାଦ୍ୟ, ଚାଉଳ, ନଗଦ ଅର୍ଥ ଓ ପଲିଥିନ୍‍ ଭଳି ରିଲିଫ ମିଳୁଛି । ଓଡିଶା ସରକାରଙ୍କୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା କରିବେ ବୋଲି ଶ୍ରୀ ଭରଦ୍ୱାଜ କହିଛନ୍ତି । ବିଶେଷକରି ଶକ୍ତି କ୍ଷେତ୍ରରେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ । ଏହାଛଡା ମନନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପରେ କେନ୍ଦ୍ର ସହଯୋଗ କରିବ । ଆଜିର ଏହି ବୈଠକରେ କେନ୍ଦ୍ରୀୟଦଳର ପ୍ରତିନିଧିଙ୍କ ସହିତ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଏସ୍‍ଆରସି ଶ୍ରୀ ସେଠୀ ଓ ବିଭିନ୍ନ ବିଭାଗର ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର