ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଅର୍ଥାତ ଶନିବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଅନୁଷ୍ଠାନର ୩୭ତମ ବାର୍ଷିକୋତ୍ସବ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସର୍ବପ୍ରଥମେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଦୀପପ୍ରଜ୍ୱଳନ ପୂର୍ବକ ବନ୍ଦନା ପ୍ରାର୍ଥନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତତ୍ପଶ୍ଚାତ୍ ଅନୁଷ୍ଠାନର ପରିଚାଳନା ସମିତି ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ସମ୍ମାନିତ ଅତିଥି ବ୍ରହ୍ମପୁର ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସମାଜ ସେବାରେ ବ୍ରତୀ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ରାଜ୍ୟପାଳଙ୍କ ଦ୍ୱାରା ରାଜ୍ୟସ୍ତରରେ ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ରାଜେନ୍ଦ୍ର ପ୍ରସାଦ ଦାଶ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଶ୍ୱ ସମ୍ବାଦ କେନ୍ଦ୍ର, ଭୁବନେଶ୍ୱରର ସଭାପତି ଡଃ ନିରଞ୍ଜନ ପାଢୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ହରିକୃଷ୍ଣ ନାୟକ, ଉପଦେଷ୍ଟା ଶ୍ରୀଯୁକ୍ତ ଧର୍ମରାଜ ସାହୁ ଓ ବିଶିଷ୍ଟ ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାମନ୍ଦିର ଅଧ୍ୟକ୍ଷ ଶ୍ରୀ ଏସ୍. ମୋହନ ରାଓ ନିମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସେମାନଙ୍କୁ ସମ୍ମାନିତ କରିଥିଲେ । ଶିଶୁମନ୍ଦିର ବିଭାଗର ପ୍ରଧାନାଚାର୍ଯ୍ୟ ଶ୍ରୀ ଉମାଧବ ମହାନ୍ତି ବିଦ୍ୟାଳୟର ବିଭିନ୍ନ କୃତିତ୍ୱ ବିଷୟ ସମ୍ବଳିତ ବାର୍ଷିକବିବରଣୀ ପାଠ କରିଥିଲେ । ଏହି ଅବସରରେ ଗତବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଏତଦ୍ ବ୍ୟତୀତ +୩ ବିଜ୍ଞାନ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟାରର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍ ସଙ୍ଗେ ସଙ୍ଗେ ୨୦୧୭-୧୮ରେ ବିଭିନ୍ନ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନର ଗୌରବକୁ ବହୁଗୁଣିତ କରିଥିବା ଯେପରିକି ମେଡିକାଲରେ ୪୯ଜଣ, ଆଇଆଇଟି(IIT)ରେ ୧ ଜଣ, ଏନଆଇଟି(NIT)ରେ ୧୮ ଜଣ, ନାଇଜର(NISER)ରେ ୪ଜଣ, ଆଇଜର(IISER)ରେ ୮ଜଣ, ଆଇସିଏଆର(ICAR)ରେ ୧୨ଜଣ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ପରିଚାଳନା ସମିତିର ସଭାପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର । ଶେଷରେ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ଯୋଗୁଁ ସମସ୍ତ ଅଭିଭାବକ, ଶିଶୁ ଭାଇଭଉଣୀ, ଅନୁଷ୍ଠାନର କାର୍ଯରତ ଗୁରୁଜୀ, ଗୁରୁମା ତଥା କର୍ମଚାରୀଙ୍କୁ ପରିଚାଳନା ସମିତିର ଯଗ୍ମସମ୍ପାଦିକା ଇଂ. ଶ୍ରୀମତୀ ମମତା ପାଣିଗ୍ରାହୀ ଧନ୍ୟବାଦାର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ରଙ୍ଗମଞ୍ଚୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା