ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଶିକ୍ଷା ଜିଲା ଅଧିନରେ ବିଛିନ୍ନାଞ୍ଚଳ ଭାବେ ବିବେଚିତ ରାଇବଣିଆ ଅଂଚଳର ଭଣ୍ଡାରପଲ୍ଲି ଗାଁରେ ୪୩ବର୍ଷ ପୂର୍ବେ ଗଢି ଉଠିଥିବା ଉଚ୍ଚ ବିଦ୍ୟାଳୟ ଏବେ ବହୁ ଦୁର୍ଗତିରେ ଗତି କରୁଛି । ଶିକ୍ଷକ ଅଭାବରୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇଛି । ପ୍ରଧାନ ଶିକ୍ଷକ ନ ଥିବା ବେଳେ ଜଣେ ବିଜ୍ଞାନ ଶିକ୍ଷକ ୨ଟି ଶ୍ରେଣୀର ସମସ୍ତ ବିଷୟରେ ଶିକ୍ଷାଦାନ ଦେବା କଷ୍ଟସାଧ୍ୟ ଓ ଅସମ୍ଭବ । ତେଣୁ ଅଭିଭାବକମାନେ ଚିନ୍ତିତ ହୋଇ ପଡିଛନ୍ତି । ଚମାର ଗାଁ ଓ କାଳିକ ପଂଚାୟତର ଛାତ୍ରଛାତ୍ରୀଙ୍କ ମାଧ୍ୟମିକ ଶିକ୍ଷାଲାଗି ୧୯୭୮ ମସିହାରେ ସେ ଅଂଚଳର ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥକ ସାହାଯ୍ୟ ଓ ସହାନୁଭୁତିରେ ବିଦ୍ୟାଳୟ ଗଢି ଉଠିଥିଲା । ଭଣ୍ଡାରପଲି ଗାଁର ନୀଳ ଓ ଚକ୍ରଧର ବ୍ୟକ୍ତି ଦ୍ୱୟଙ୍କ ବଦାନ୍ୟତାରେ ବିଦ୍ୟାଳୟଟି ଗଢି ଉଠିଥିବାରୁ ବିଦ୍ୟାଳୟର ନାମ ନିଳଚକ୍ର ଉଚ୍ଚ ବିଦ୍ୟାଳୟ ରଖାଯାଇଥିଲା । ପ୍ରତିଷ୍ଠା ଓ ସରକାରୀ ଭାବେ ଜଣେ ପ୍ରଧାନ ଶିକ୍ଷକ, ୨ଜଣ କଳା ଶିକ୍ଷକ, ୨ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକ, ଜଣେ ଶିକ୍ଷକ, ଜଣେ ହିନ୍ଦି ଶିକ୍ଷକ, ଜଣେ ଖେଳ ଶିକ୍ଷକ ଓ ଅନ୍ୟଜଣେ କିରାଣୀ ସହିତ ୪ଜଣ ପିଅନ୍ କାର୍ଯ୍ୟକରି ଆସୁଥିଲେ । କିନ୍ତୁ ୧୯୮୩ ମସିହାରେ ବିଦ୍ୟାଳୟ ସରକାରୀ ଅନୁଦାନପ୍ରାପ୍ତ ହେବା ସହିତ ୬୧୦ ସ୍କିମ୍ରେ ସ୍ଥାନୀତ ହୋଇଥିଲା । ସରକାରୀ ନିତୀ ଓ ନିୟମକୁ ପାଥେୟ କରି ଏବେ ନିଯୁକ୍ତି ହେଉନଥିବା କିମ୍ବା ସରକାର ଶିକ୍ଷକ ଯୋଗାଉ ନଥିବାରୁ କେବଳ ବିଜ୍ଞାନ ଶିକ୍ଷକ ନିଜ କାର୍ଯ୍ୟ ସହିତ ଭାରପ୍ରାପ୍ତ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି । ହିନ୍ଦି ଶିକ୍ଷକ ୯ମ ଓ ୧୦ମ ଶ୍ରେଣୀରେ ହିନ୍ଦୁ ପଢାଉଥିବା ବେଳେ ଜଣେ ଶିକ୍ଷକ ୨ଟି ଶ୍ରେଣୀରେ ସମସ୍ତ ବିଷୟରେ ସମସ୍ତ ଶିକ୍ଷାଦାନ ଅସମ୍ଭବ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରମାଦ ଗଣୁଛନ୍ତି । ଅନ୍ଲାଇନ୍ ଶିକ୍ଷାଦାନ ମଧ୍ୟ ହେବାରେ ବାଧକ ଉପୁଜିଛି । ଚଳିତବର୍ଷ ୯ମ ଓ ୧୦ମ ଶ୍ରେଣୀରେ ୯୮ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ପୂର୍ବରୁ ୮ମରୁ ୧୦ମ ଯାଏ ୪୦୦ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରିବା ସହିତ ବିଦ୍ୟାଳୟର ସୁନାମ ଅର୍ଜନ କରି ଆସୁଥିଲେ । ଶିକ୍ଷକ ନ ଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନନ୍ଦକିଶୋର ମହାନ୍ତି ୩ବର୍ଷ ଧରି ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲା ଶିକ୍ଷାଅଧିକାରୀ, ଶିକ୍ଷା ନିର୍ଦ୍ଦେଶକ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି । ସେ ଅଂଚଳର ଶିକ୍ଷିତ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଆସନ୍ତା ନଭେମ୍ବର ମଧ୍ୟଭାଗରେ ବୋର୍ଡ ପକ୍ଷରୁ ୯ମ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ହେବାକୁ ଥିବା ବେଳେ ଏବେଠୁ ଛାତ୍ରଛାତ୍ରୀମାନେ ଭବିଷ୍ୟତ ଲାଗି ସନ୍ଦିହାନ ହୋଇ ପଡିଛନ୍ତି । କମ୍ପ୍ୟୁଟର ଶିକ୍ଷକ ନ ଥିବାରୁ କମ୍ପ୍ୟୁଟର ଗୃହରେ ତାଲା ଝୁଲୁଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ କିରାଣୀ କାର୍ଯ୍ୟ କରିବାକୁ ପଡୁଥିବାରୁ ଶିକ୍ଷାଦାନ ସହିତ ସମସ୍ତ ସରକାରୀ ଚିଠି ନେଣଦେଣରେ ବ୍ୟାଘାତ ସୃଷ୍ଟି ହେଉଛି । ଅତିଶୀଘ୍ର ସେଠାରେ ଆବଶ୍ୟକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ନିଯୁକ୍ତି ଲାଗି ସମୁ ମହଲରୁ ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା