ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଆମ୍ବଗାଁ ପଞ୍ଚାୟତର ୪ଗୋଟି ୱାର୍ଡର ୯୭୦ ଜଣ ଭୋଟର ଏବେ ନୋଟାକୁ ଭୋଟ ଦେବେ ବୋଲି ମନସ୍ଥ କରିଥିବା ଜଣାପଡିଛି । ପଞ୍ଚାୟତରେ ଆମ୍ବଗାଁ, ସୁମନ୍ତପୁର ଏବଂ ଶୁଣ୍ଢିପଲ୍ଲୀ ତିନି ଗୋଟି ଗାଁ ରହିଥିବା ବେଳେ ସମସ୍ତ ଗ୍ରାମରେ ନିର୍ବାଚନକୁ ନେଇ ଅସନ୍ତୋଷ ଲାଗି ରହିଥିବା ଆଭାସ ମିଳିଛି । ଶୁଣ୍ଢିପଲ୍ଲୀ ଗ୍ରାମର ୪,୫,୬ ଓ ୭ନଂ ଚାରିଗୋଟି ୱାର୍ଡର ୯୭୦ ଜଣ ଭୋଟର ଏବେ ମତଦାନ ଗ୍ରହଣ ଦିନ ନୋଟାକୁ ଭୋଟ ଦେବେ ବୋଲି ନିଜ ନାମ ଗୋପନ ରଖି ଜଣାଇଛନ୍ତି । ୧୭ ତାରିଖ ଦିନ ସନ୍ଧ୍ୟାରେ ଗ୍ରାମବାସୀ ନିଷ୍ପତ୍ତି ନେଇ ମତଦାନରୁ ବିରତ ରହିବେ ନତୁବା ନୋଟାରେ ଦେବେ ବୋଲି ସୂଚନା ଦେଇଛନ୍ତି । ପ୍ରକାଶ ଯେ, ମୌଳାଭଣଞ୍ଜା ପଞ୍ଚାୟତ ବିଭାଜନ ହୋଇ ଆମ୍ବଗାଁ ପଞ୍ଚାୟତ ଗଠନ କରାଯାଇଥିଲା । ପଞ୍ଚାୟତ ହେଡ୍ କ୍ୱାର୍ଟର ସ୍ଥାପନ ନେଇ ତିନିଗୋଟି ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ତାହାର ସମାଧାନ ନହୋଇ ତ୍ରୀସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଶୁଣ୍ଢିପଲ୍ଲୀ ଗ୍ରାମର ବିଜୟୀଲାଭ କରିବା ପରେ ଶୁଣ୍ଢିପଲ୍ଲୀ ଗ୍ରାମରେ ପଞ୍ଚାୟତ ଅଫିସ୍ ସ୍ଥାପନ ନେଇ ଦାବୀ ହୋଇଆସିଥିଲା । ପରବର୍ତ୍ତୀ ସମୟରେ ଆମ୍ବଗାଁ ରେ ପଞ୍ଚାୟତ ଅଫିସ୍ ସ୍ଥାପନ କରିବା ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା । ସେହିପରି ଉଚ୍ଚଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ ଶୁଣ୍ଢିପଲ୍ଲୀ ଗ୍ରାମବାସୀ ସର୍ବଦା ନିକଟବର୍ତ୍ତୀ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଉପରେ ନିର୍ଭର ହେଉଥିବା ବେଳେ ବିଭିନ୍ନ ସମସ୍ୟାର ସମାଧାନ ହୋଇନଥିବାରୁ ଗ୍ରାମବାସୀ ମତଦାନ ସମୟରେ ନିଜର ଜବାବ୍ ଦେବେ ବୋଲି ଶୁଣିବାକୁ ମିଳିଛି । ଏଥିପାଇଁ ଗ୍ରାମବାସୀ ମେଳି ବାନ୍ଧି କୌଣସି ରାଜନୈତିକ ଦଳର ଦଳୀୟ ନିର୍ବାଚନୀ ପ୍ରଚାର ପତ୍ର କିମ୍ବା ପୋଷ୍ଟର ମଧ୍ୟ ଗ୍ରାମରେ ଲଗାଇଦେଇନଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ସମିରକାନ୍ତ ତ୍ରିପାଠୀ