ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୋଳନ୍ଥରା ପାଲୁରୁ ହିଲ୍ ସ୍ଥିତ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ନିଷ୍ଟ) କଲେଜ ପରିସରରେ ରୌପ୍ୟ ଜୟନ୍ତି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଟ୍ରିଆଲ୍ ମାଧ୍ୟମରେ ଯୋଗଦେଇ ଭିଡ଼ିଓ ବାର୍ଭା ଜାରି କରିଥିଲେ । ରୌପ୍ୟ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଗତ ୨୫ ବର୍ଷ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ନିଷ୍ଟ ରାଜ୍ୟ ତଥା ଦେଶରେ ଉତ୍ତମ ପ୍ରଦର୍ଶନ କରିଛି । ନିଷ୍ଟ୍ ଉଚ୍ଚସ୍ତରୀୟ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରି ଦେଶ ଓ ବିଦେଶରେ ଓଡ଼ିଶାର ନାଁ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କଲେଜର ପ୍ରତିଷ୍ଠାତା ସୁକାନ୍ତ କେ. ମହାପାତ୍ର, ପରିଚାଳନା କମିଟି ସଦସ୍ୟ ବିମଳ କୁମାର ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ବ୍ୟକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି ମଂଞ୍ଚାସିନ ଥିଲେ । ୧୯୯୬ ମସିହା ଆଜିର ଦିନରେ ଏହି ଅନୁଷ୍ଠାନ ଗଢ଼ି ଉଠିଥିଲା । ଆଜି ଏହାର ୨୫ ତମ ଜୟନ୍ତୀ । ବୈଷୟିକ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଏହି ଅନୁଷ୍ଠାନ ସ୍ଵତନ୍ତ୍ର ପରିଚୟ ହାସଲ କରିବା ସହ ଏଠାରୁ ବହୁ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇ ଭଲ ସ୍ଥାନରେ ଚାକିରି କରୁଛନ୍ତି ବୋଲି ପ୍ରତିଷ୍ଠାତା ଶ୍ରୀ ମହାପାତ୍ର କହିଥିଲେ । ଗତ ୨୫ ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ଷ୍ଟ୍ରକ୍ଚର ସୃଷ୍ଟି କରିପାରିଛି ନିଷ୍ଟ । ଆମ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କ୍ୟାମ୍ପକୁ ଦୃଷ୍ଟିରେ ରଖି ଆମ ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ପୁନର୍ଗଠନ କରିବାକୁ ହେବ । ଗବେଷଣା ଓ ବିକାଶ ଉପରେ ଫୋକସ୍ କରିବାକୁ ହେବ । ଭବିଷ୍ୟତ ଜ୍ଞାନକୌଶଳର ଶୀର୍ଷରେ ରହିବାକୁ ହେଲେ ବିଶ୍ୱରେ ଭାରତକୁ ସେହି ଭଳି ଭିତ୍ତିଭୂମି ଅନୁସନ୍ଧାନ କରିବାକୁ ହେବ ଅତିଥି ମାନେ କହିଥିଲେ । ଅନୁଷ୍ଠାନର ବାଦ ବିବାଦ ଦେଇ ଗତି କରିଥିଲେ ହେଁ ପ୍ରତିଷ୍ଠାତାଙ୍କ ଉଦ୍ୟମ ଫଳରେ ସବୁ ଠିକ୍ ହୋଇପାରିଛି ବୋଲି ବ୍ରହ୍ମପୁର ସାଂସଦ କହିବା ସହ ଗବେଷଣା ପ୍ରତି ବିଦ୍ୟାର୍ଥୀମାନେ ମନ ବଳାଇବାକୁ ପରାମର୍ଶ ଦେଇଥିଲେ । ଏଠାରେ ପଢୁଥିବା ପ୍ରତ୍ୟେକ ପିଲା ଭାଗ୍ୟବାନ ବୋଲି ବ୍ରହ୍ମପୁର ବିଧାୟକ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇଜର ନିର୍ଦ୍ଦେଶକ ପ୍ରଫେସର କେ.ଭି. ଆଚାରୀ, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଇମର୍ଜିଙ୍ଗ୍ ଟେକ୍ନୋଲୋଜି ଶୀର୍ଷକରେ ବୈଜ୍ଞାନିକ ଡ. ଅଜିତ୍ ପାଣିଗ୍ରାହୀ, ଡ. ମନୋରଞ୍ଜନ ପତ୍ରି, ଡ. ଆଶୁତୋଷ ଦତ୍ତ, ବିବେକାନନ୍ଦ ମିଶ୍ର, ପ୍ରଶାନ୍ତ ବିଶ୍ବାଳ, ଅକ୍ଷୟକାନ୍ତ ମହାନ୍ତି ଅଂଶ ଗ୍ରହଣ କରିବା ବେଳେ ପ୍ୟାନେଲ ଡିସକସନରେ ଭାଗ ନେଇଥିଲେ ରିଲାଏନ୍ସର ବିବେକାନନ୍ଦ ମିଶ୍ର, ଜେଏସ୍ଡବ୍ଲ୍ୟୁ ଷ୍ଟିଲର ପ୍ରଶାନ୍ତ ବିଶ୍ୱାଳ, ତ୍ବତ୍ତ ପକ୍ଷରୁ ଅୟସକାନ୍ତ ମହାନ୍ତି, କୁଳସଚିବ କ୍ଷୀରୋଦ ମହାପାତ୍ର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ତ୍ରିପାଠୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା