ତଥ୍ୟ ଉପରେ ଆଧାରିତ ବିଚାର କରି ଦୋଷୀକୁ ଶାସ୍ତି,
ନିର୍ଦୋଷକୁ ନ୍ୟାୟ ପ୍ରଦାନ କରାଯିବା ଲକ୍ଷ ରଖି ସଂସ୍ଥାପିତ
ନ୍ୟାୟାଳୟର ପ୍ରକୃତ ଏବଂ ଅଲୌକିକ ବାସ୍ତବତା କ’ଣ ?
ଭାରତୀୟ ନ୍ୟାୟୀକ ବ୍ୟବସ୍ଥା କେବଳ ଉଚ୍ଚ/ଉଚ୍ଚତ୍ତମ ନ୍ୟାୟାଳୟ ମଧ୍ୟରେ ପରିସର ଭୁକ୍ତ ନୁହେଁ ! ଆମ ଦେଶର ଅନେକ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ବିଭିନ୍ନ ପଦସ୍ଥ ଅଧିକାରୀ ସ୍ଥଳ ବିଶେଷକୁ ନେଇ ଜଣେ ଜଣେ ବିଚାରପତି ଭାବେ ନିୟୋଜିତ ହୋଇଥା’ନ୍ତି ! ସେମାନେ ନିଜନିଜ କ୍ଷମତା ପରିସରଭୁକ୍ତ ନ୍ୟାୟ ପ୍ରଦାନରେ ବିଚ୍ୟୁତି/ବ୍ୟତିକ୍ରମ ଦେଖାଗଲେ ଉଚ୍ଚ/ଉଚ୍ଚତ୍ତମ ନ୍ୟାୟାଳୟର ଆଶ୍ରୟ ନେଇ ଲୋକଙ୍କୁ ନିଜର ନ୍ୟାୟ ଭିକ୍ଷା କରିବା ବ୍ୟବସ୍ଥା ଅତ୍ୟନ୍ତ ମର୍ମସ୍ପର୍ଶୀ । କାରଣ ଯଦି ଜଣେ ନ୍ୟାୟାଦାତା ପ୍ରକୃତ ନ୍ୟାୟ ଦେବାରେ ଅକ୍ଷମ ପ୍ରମାଣିତ ହୁଅନ୍ତି ତାହେଲେ ତାଙ୍କୁ ଜଣେ ନ୍ୟାୟଦାତା/ନ୍ୟାୟାଧୀଶ ଭାବେ ନିୟୋଜିତ କରାଯିବା ଅର୍ଥ କ’ଣ ଆମ ବୁଝିବା କ୍ଷମତା ବହିର୍ଭୁତ? ଆଉ ଜଣେ ବ୍ୟକ୍ତି ଯଦି ନିମ୍ନ ନ୍ୟାୟାଳୟରେ ଉପଯୁକ୍ତ ନ୍ୟାୟ ପାଇପାରୁନାହିଁ ତାହେଲେ ସେ ଉଚ୍ଚ/ଉଚ୍ଚତ୍ତମ ନ୍ୟାୟାଳୟରେ ନ୍ୟାୟ ପାଇବା ଆଶା କେତେ ଏବଂ ଏହି ବ୍ୟବସ୍ଥା କାହିଁକି/କିପରି ହୋଇଥାଏ? ଆମ ତଳୁ ଉପର ପର୍ଯ୍ୟନ୍ତ ଥିବା ନ୍ୟାୟିକ ବ୍ୟବସ୍ଥାରେ କ’ଣ ପ୍ରକୃତ ନ୍ୟାୟ ମିଳିଥାଏ ନିର୍ଦୋଷକୁ ? ନା କେତେକ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖାଯାଏ? ଏମିତି ଅସୀମ ପ୍ରଶ୍ନ ସୃଷ୍ଟି ହୁଏ ମନରେ ଯାହାର ଉତ୍ତର ଦେବାରେ ସମ୍ପୃକ୍ତ ନ୍ୟାୟାଳୟ/ନ୍ୟାୟାଧୀଶ ମଧ୍ୟ ନିର୍ବାକ ? ଆଉ ସାଧାରଣ ଲୋକେ ଏହି ବ୍ରିଟିଶ ନିୟମରେ ପରିଚାଳିତ ନ୍ୟାୟିକ ବ୍ୟବସ୍ଥାକୁ ବୁଝିଛନ୍ତି କେତେଯେ, ନିଜର ନିର୍ଦୋଶକୁ ସାବ୍ୟସ୍ତ କରି ନ୍ୟାୟ ପାଇଁ ନିଜର ବିଶ୍ୱାସ ରଖିପାରିବେ? ଅନେକ ପ୍ରଶ୍ନକୁ ନେଇ କିଛି ତର୍ଜମା କରି ବିଚାର କରି ଦେଖିଲେ ମନକୁ ଆସେ କି…….. ଆମେ ଭାରତୀୟ ଭାବେ ଜନ୍ମ ହୋଇ ଆମ ଦେଶର ସଂସ୍କାର, ସଂସ୍କୃତିକୁ କେବେହେଲେ କେହି ପ୍ରତ୍ୟାଖ୍ୟାନ କରିପାରିବା ନାହିଁ । ଆମ ଦେଶର ଅନେକ ନ୍ୟାୟ ପଦ୍ଧତ୍ତି ଥିଲା ଯାହା ସବୁ ବର୍ତ୍ତମାନ କାର୍ଯ୍ୟକ୍ଷମ ନଥାଇ କେବଳ ବ୍ରିଟିଶର ନକଲ ଲିଖିତ ସମ୍ବିଧାନ ଏବଂ ଆଇନ ଗୁଡିକ ମାଧ୍ୟମରେ ଭାରତର ବ୍ୟବସ୍ଥା ଚାଲୁଥିବା ସମସ୍ତେ ଜାଣନ୍ତି । ଏହାର ଗୋଟିଏ ଅତି ସାଧାରଣ ଉଦାହରଣ ଏହା ହୋଇପାରେଯେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଭାରତୀୟ ଭାଷାରେ ଲିଖିତ ଦଲିଲ, ଦସ୍ତାବିଜ ଗ୍ରହଣୀୟ ହୁଏ ନାହିଁ ! କେବଳ ବ୍ରିଟିଶ ଭାଷାରେ ଲେଖାଯାଇଥିବା ଦଲିଲ, ଦସ୍ତାବିଜ ଗ୍ରହଣ କରାଯାଇ ଭାରତୀୟ ନାଗରିକଙ୍କୁ ନ୍ୟାୟ ପ୍ରଦାନ କରାଯିବା ବ୍ୟବସ୍ଥା ମଧ୍ୟରେ ଜଣେ ସାଧାରଣ ନାଗରିକ ଯାହା ବୁଝୁଥିବ ଏବଂ ସେଗୁଡିକୁ ତର୍ଜମା କରି ଯାହା ଉତ୍ତର ପ୍ରଦାନ କରିବାରେ ସମର୍ଥ ହେବ ସେସବୁ ସହଜେ ଅନୁମେୟ ! ଅଧିକନ୍ତୁ ଇଂଗ୍ରେଜ଼ ବ୍ୟତୀତ କେତେକ ରୋମାନ ଏବଂ ପାର୍ସି ଭାଷାର ମଧ୍ୟ ପ୍ରୟୋଗ ହୋଇଥାଏ ଆମ ନ୍ୟାୟାଳୟରେ ଯାହା ସାଧାରଣ ଲୋକଙ୍କ ବୁଝିବା କ୍ଷମତା ବହିର୍ଭୁତ କ’ଣ ସମ୍ପୃକ୍ତ ଆଇନଜୀବୀ ମାନେ ମଧ୍ୟ ବେଳେ ବେଳେ ବୁଝିବାକୁ କଷ୍ଟକର ହୋଇଥାଏ ! ଆଉ ଏହି ବ୍ୟାବସ୍ଥାରେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାପାଇଁ ମଧ୍ୟସ୍ଥିତା କରୁଥିବା ଓକିଲ (ଆଇନଜୀବୀ) ମାନଙ୍କ ବିଷୟରେ ସାଧାରଣ ଲୋକଙ୍କ ବ୍ୟକ୍ତିଗତ ଅନୁଭୂତି ଯାହା…..!! ପ୍ରାଚୀନ ଭାରତୀୟ ନ୍ୟାୟୀକ ପଦ୍ଧତିରେ ଜଣେ ଦୋଷୀ ଖସିଯାଇ ନିର୍ଦୋଶକୁ ଦଣ୍ଡବିଧାନ କରାଯିବା ଅତୀବ ବିରଳ ଥିଲା । କାରଣ କୌଣସି ଘଟଣା / ଦୁର୍ଘଟଣାର, ବିଚାରପତିଙ୍କ ଠାରୁ ଆରମ୍ଭ କରି ରାଜା, ମହାରାଜାଙ୍କ ଦ୍ୱାରା କରାଯାଉଥିଲା ଯାହା ପ୍ରୟୋଗାତ୍ମକ ତଥ୍ୟ ଏବଂ ତତ୍ୱ ଉପରେ ଆଧାର କରି ଗୋଟିଏ ଥରରେ ନିଷ୍ପତ୍ତି ନିଆ ଯାଉଥିଲା । ପୁଣି ସେହି ନିଷ୍ପତ୍ତିରେ ବ୍ୟତିକ୍ରମ ଦେଖିବାକୁ ମିଳୁନଥିଲା । ନ୍ୟାୟାଧୀଶ ନିଜର ସ୍ୱାଭିମାନ / ଗୌରବ ରକ୍ଷା କରି କେତେକ କ୍ଷେତ୍ରରେ ନିଜେ ଭୁଲ କରୁଥିବା କଥାକୁ ସ୍ୱୀକାର କରୁଥିଲେ । ନ୍ୟାୟବେଳେ ଅଭିଯୁକ୍ତ ନ୍ୟାୟାଧୀଶଙ୍କ ଆଜ୍ଞାକୁ ଶ୍ରୀରାଧାର୍ଯ୍ୟ କରି ଯଥା ସମ୍ଭବ ଶାସ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେଉଥିଲେ । ଅନ୍ୟଥା କଠୋର ଦଣ୍ଡ ଭୋଗିବାକୁ ପଡୁଥିଲା ଯାହା ସ୍ଥଳ ବିଶେଷରେ ମୃତ୍ୟୁଦଣ୍ଡ ମଧ୍ୟ ହେଉଥିଲା । କି’ନ୍ତୁ କୌଣସି ମତେ ଲୋକଙ୍କ ସେହି ନ୍ୟାୟାଧୀଶଙ୍କ ଉପରେ ପ୍ରଗାଢ଼ ଅନୁରୋକ୍ତି ଏବଂ ବିଶ୍ୱାସ ରହିଥିଲା । ସର୍ବୋଚ୍ଚ କ୍ଷେତ୍ରରେ ଦୋଷୀଙ୍କୁ ଦଣ୍ଡ ଏବଂ ନିର୍ଦୋଶଙ୍କୁ ନ୍ୟାୟ ନିଶ୍ଚିତ ଭାବେ ମିଳୁଥିଲା ଯାହା ବର୍ତ୍ତମାନ ଅତ୍ୟନ୍ତ ବିରଳ ଦେଖିବାକୁ ମିଳୁଛି । କାରଣ କ\’ଣ ଏବଂ କେଉଁ ଅଭାବନୀୟତା କାରଣରୁ ଏମିତି ହେଉଛି ବିଚାର କରିବା…….! ଅନ୍ୟୁନ ୩୦-୪୦ କୋଟି ଲୋକଙ୍କୁ କ୍ଷମତା ପରିସରଭୁକ୍ତ କରି ଶାସନ କରିବା ପାଇଁ ଲକ୍ଷ ଲକ୍ଷ ବ୍ରିଟିଶ ଆସିନଥିଲେ । କେତେକ ହାତ ଗଣତି ବ୍ରିଟିଶ ଦୂତ ଆମ ଦେଶରେ ନିୟୋଜିତ ଥାଇ ଆମ ଦେଶର କିଛି ଲୋଭାଶକ୍ତ ଭ୍ରଷ୍ଟାଚାରୀ, ଦେଶଦ୍ରୋହୀଙ୍କୁ କରାୟତ କରି ଆମ ପୂର୍ବଜଙ୍କୁ ଶାସନ ପରିସର ଭୁକ୍ତ କରି ରଖି ସେମାନଙ୍କୁ ଶୋଷଣ, ଅତ୍ୟାଚାର କରି ଜୀବନ ହନ୍ତସନ୍ତ କରୁଥିଲେ ସେମାନେ ମିଳିମିଶି ! କୌଣସି କାରଣ ବଶତଃ ଅସହିଷ୍ଣୁତାର ସ୍ୱର ଉତ୍ତୋଳନକାରୀଙ୍କୁ ଦଣ୍ଡ ବିଧାନ କରିବା ଏବଂ ସେମାନଙ୍କ ଚାଟୁକାରଙ୍କୁ ମିଥ୍ୟା ନ୍ୟାୟ ପ୍ରଦାନ କରିବା ଦେଖାଇ ସାଧାରଣ ଲୋକଙ୍କୁ ଭଣ୍ଡିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟାପକ ଆଇନ ପ୍ରଚଳନ କରାଯାଇଥିଲା, ଯାହାର ସଜ୍ଞା ପାକ୍ଷିକ କଠୋର ଏବଂ ପାକ୍ଷିକ ନମନୀୟ ଭାବେ ଦର୍ଶାଯାଉଥିଲା ଯାହା ଏପର୍ଯ୍ୟନ୍ତ ଆମ ଦେଶରେ ପ୍ରଚଳିତ ଏକ ଅମାନବୀୟ ଆଇନ କହିଲେ ଅତ୍ୟୁକ୍ତି ହେବନାହିଁ ! ସେହି ପାକ୍ଷିକ କଠୋର ଏବଂ ପାକ୍ଷିକ ନମନୀୟ ନୀତିକୁ ଧରି ସେମାନେ ଅସୀମ ଅନ୍ୟାୟ ଅତ୍ୟାଚାର କରିବାରେ ସକ୍ଷମ ହେଉଥିଲେ ସେହି ସମୟରେ ଯାହା ଏପର୍ଯ୍ୟନ୍ତ ଆମକୁ ଛାଡ଼ିନାହିଁ ! ସେମାନଙ୍କ କବଳରୁ ଆମ ଦେଶ ବଂଚିତ ହୋଇଛି ସତ୍ୟ କି’ନ୍ତୁ ଦେଶବାସୀ କୌଣସି ମତେ ରକ୍ଷା ପାଇନାହାନ୍ତି ! କାରଣ ସେମାନଙ୍କ ପରବର୍ତ୍ତୀ ଯେଉଁସବୁ ଶାସନ ଭାରପ୍ରାପ୍ତ ମଣିଷ ଦେଶରେ କାର୍ଯ୍ୟ କରି ଆସୁଛନ୍ତି, ସେହି ବ୍ରିଟିଶ ନୀତିକୁ ଆଦରି ଯଥେଷ୍ଟ ସ୍ୱାର୍ଥ ହାସଲ କରିବା ଦିଗରେ ସମର୍ଥ ତଥା ସାଧାରଣ ଲୋକଙ୍କୁ ପ୍ରତାରିତ କରି ରଖିବାରେ ଯଥେଷ୍ଟ ସହାୟକ ସେହି ବ୍ରିଟିଶ ଆଇନ ଗୁଡିକୁ ପରିବର୍ତ୍ତନ କରାଯିବା ଲକ୍ଷ ରଖିନାହିନ୍ତି, ରଖିବେ ଅବା କାହୁଁ ?! ସାଧାରଣ ଲୋକେ, ଆମ ଦେଶବାସୀ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହି ସମୟୋପୋଯୋଗୀ ଶାସନ ବ୍ୟବସ୍ଥାର ମିଥ୍ୟା କୁହେଳିକାରେ ନିଜକୁ ଜଡିତ କରି ପ୍ରତାରିତ ହେଉଥିବା ସମ୍ପୂର୍ଣ୍ଣ ସ୍ୱୀକାର୍ଯ୍ୟ ! ଆଉ ଏହି ସାମ୍ବିଧାନିକ ବ୍ୟବସ୍ଥା ସହିତ ଅଂଗୀକାରବଦ୍ଧ ନ୍ୟାୟିକ ବ୍ୟବସ୍ଥାଯେ ସେହି ବ୍ରିଟିଶ ମାନଙ୍କ ପ୍ରତାରଣାପୂର୍ଣ୍ଣ, ଛଳନାତ୍ମକ ନିୟାମକ ଗୁଡିକୁ ଅନ୍ତରଣୀୟ କରି ଲୋକଙ୍କ ସେବାରେ ନିୟୋଜିତ ହେଉଛି ତାହା କେହି ଅସ୍ୱୀକାର କରିପାରିବେ ନାହିଁ ! ଆମ ସଂସ୍କୃତିର ନ୍ୟାୟୀକ ବ୍ୟବସ୍ଥା ଯାହା ଥିଲା ବ୍ରିଟିଶ ମାନଙ୍କ ଦ୍ୱାରା ପ୍ରଣୟନ ଆଜିର ଏହି ବ୍ୟବସ୍ଥା ମଧ୍ୟରେ ପାର୍ଥକ୍ୟ କ’ଣ ବିଚାର କରିବା……….. ସତ୍ୟ ସବୁବେଳେ ଶାଶ୍ୱତ, ଚିରନ୍ତନ ! ସତ୍ୟର ଅମଳିନତାକୁ ଅସ୍ୱୀକାର କରିବା ଅର୍ଥ ନିଜକୁ ନିଜେ ଦଣ୍ଡିତ, ପ୍ରତାରିତ କରି ନିଜର ମାନବିକତାକୁ ହତ୍ୟା କରିବା ! ତେଣୁ ନ୍ୟାୟୀକ ବ୍ୟବସ୍ଥାରେ ସତ୍ୟକୁ ନ୍ୟାୟ ଦେବା ପାଇଁ ଉଦ୍ୟମରତ ନ୍ୟାୟାଧୀଶ କେବେହେଲେ ପାଶ୍ୱର୍ ପରିବର୍ତ୍ତନ କିମ୍ବା ପାକ୍ଷିକ ବିଚାର କରିବା ଲକ୍ଷ ରଖିବା ଅର୍ଥ ନ୍ୟାୟୀକ ବ୍ୟବସ୍ଥାକୁ ହତ୍ୟା କରିବା ସହିତ ସମାନ ହୋଇଥାଏ ବୋଲି ବିଚାର ଆମର । ବ୍ରିଟିଶ ସେହି ପାକ୍ଷିକ କଠୋର ଏବଂ ପାକ୍ଷିକ ନମନୀୟ ଆଇନ ସାହାଯ୍ୟରେ ସବୁବେଳେ ସେମାନଙ୍କ ସହଚର ମାନଙ୍କୁ ଅନୈତିକ ନ୍ୟାୟ ପ୍ରଦାନ କରାଯିବା ଲକ୍ଷ ରଖି ଏହି ବର୍ଷ ବର୍ଷ ଧରି ବିଚାରାଧୀନ ବ୍ୟବସ୍ଥା ଲାଗୁ କରିଥିଲେ ଯାହା ସାହାଯ୍ୟରେ ପ୍ରମାଣ ନଷ୍ଟ କରିବା ପାଇଁ ଯଥେଷ୍ଟ ସମୟ ମିଳିବା ସାଙ୍ଗକୁ ଘଟଣାର ସତ୍ୟାସତ୍ୟ ଭୁଲିଯାଇ ସମୟ ସାପେକ୍ଷ ଯୁକ୍ତି ବଢ଼ିବାରେ ଯଥେଷ୍ଟ ସହାୟକ ହେଉଥିଲା ଯାହା ଅଦ୍ୟାବଧି ଆମ ଦେଶରେ ବଳବତ୍ତର ରହି ସେହି ଅମାନବୀୟ ବିଚାର ପ୍ରଦର୍ଶନ କରାଯିବାରେ ସିଦ୍ଧହସ୍ତ ହେଉଅଛି । ବର୍ଷ ବର୍ଷ ଧରି ବିଭିନ୍ନ ମାମଲା ବିଚାରାଧୀନ ରଖାଯାଉଥିବା ହେତୁ ପ୍ରକୃତ ଘଟଣାକୁ କରାୟତ କରାଯିବା ପରିବର୍ତ୍ତେ ଦୋଷୀକୁ ନିର୍ଦୋଷ ସାବ୍ୟସ୍ତ କରାଯିବାରେ ଯଥେଷ୍ଟ ସୁବିଧା ମିଳୁଛି ଯାହା ବ୍ରିଟିଶ ଆଇନର ମୂଳ ଲକ୍ଷ ଥିଲା । ତେଣୁ କହିବାକୁ ଗଲେ କେବଳ ମିଥ୍ୟାକୁ ସତ୍ୟରେ ପରିଣତ କରିବା ପାଇଁ ନ୍ୟାୟୀକ ବ୍ୟବସ୍ଥା ଯଥେଷ୍ଟ ସାହାଯ୍ୟ କରୁଥିବା ବେଳେ ସତ୍ୟର ଅନ୍ତ କରିବା ଏହି ନ୍ୟାୟୀକ ବ୍ୟବସ୍ଥାର ମୂଳ ଲକ୍ଷ ଭଳି ଅନୁଭବ ହୁଏ ଆଜି ସମୟରେ ଯାହା ସେହି ବ୍ରିଟିଶ ମାନଙ୍କ ମୂଳ ମନ୍ତ୍ର ରହିଥିଲା ! କାରଣ ସେମାନେ ସେହି ଆଇନ ବଳରେ ସାଧାରଣ ଲୋକଙ୍କୁ ପ୍ରତାରିତ କରି କଠୋର ଶାସନ ବ୍ୟବସ୍ଥା ମଧ୍ୟରେ ନିଜର ଶାସନ ପ୍ରଚଳନ କରୁଥିଲେ ! ସତ୍ୟ କେବେ ଲୁଚି ରହେନା ବୋଲି ଆମ ଉକ୍ତିଟି କଣ ବାସ୍ତବରେ ମର୍ମହିନ ?! ନା’ ! ଏହା ସତ୍ୟଯେ, ସତ୍ୟ କେବେ ଲୁଚି ରହେନା । କାରଣ ସତ୍ୟ ସବୁବେଳେ ଶାଶ୍ୱତ ଏବଂ ଚିରନ୍ତନ । କିନ୍ତୁ ମିଥ୍ୟକୁ ସତ୍ୟରେ ପରିଣତ କରି ନିଆଯାଉଥିବା ନିଷ୍ପତ୍ତି ସେହି ବ୍ରିଟିଶ ମାନଙ୍କ ନ୍ୟାୟ ଭଳି ହୋଇପାରେ । ଆଉ ସେମାନଙ୍କ ନ୍ୟାୟ ବ୍ୟବସ୍ଥାର ମୂଳ ଆଧାର ହେଉଛି ମିଥ୍ୟାକୁ ସତ୍ୟରେ ପରିଣତ କରିବା ! ବିଚାରାଳୟ/ନ୍ୟାୟାଳୟ ସହିତ ଅସଂଖ୍ୟ ଆଇନ/କାନୁନ ପ୍ରଚଳନ କରାଯିବାର ଅର୍ଥ ହେଉଛି କେବଳ ମିଥ୍ୟାକୁ ସତ୍ୟ ବୋଲି ସାବ୍ୟସ୍ତ କରାଯିବା ଯାହା ଏକ ତାର୍କିକ ଯୁକ୍ତି ମାତ୍ର ! କାରଣ ପ୍ରକୃତ ନ୍ୟାୟ ପାଇଁ ତର୍କ ନୁହେଁ ତଥ୍ୟ, ତତ୍ୱର ଆବଶ୍ୟକତା ରହିଥାଏ ଯାହା କେବଳ ମିଥ୍ୟା ଆଉ ସତ୍ୟ ଏହି ଦୁଇଟି ଯୁକ୍ତି ମଧ୍ୟରେ ସୀମିତ । ସେହି ମିଥ୍ୟା ଏବଂ ସତ୍ୟକୁ ଉନ୍ମୋଚନ କରାଯିବା ଲକ୍ଷ ରଖାଗଲେ ଅଜସ୍ର ଆଇନ, କାନୁନର କୌଣସି ଆବଶ୍ୟକତା ନଥାଇ କେବଳ ପ୍ରୟୋଗାତ୍ମକ ଅନୁଶୀଳନ ଏବଂ ଉନ୍ମୋଚନର ଆବଶ୍ୟକତା ରହିଥାଏ । ବ୍ରିଟିଶ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏବଂ ସେମାନଙ୍କ ମସ୍ତିଷ୍କ ବିଚଳନ କରି ସତ୍ୟକୁ ମିଥ୍ୟା, ମିଥ୍ୟକୁ ସତ୍ୟରେ ପରିଣତ କରିବା ପାଇଁ ଯେଉଁସବୁ ହଜାର ହଜାର ଆଇନ ତିଆରି କରିଥିଲେ ସେଗୁଡିକ ବାସ୍ତବ, ସତ୍ୟ ଏବଂ ମାନବୀୟ ବିଚାରଧାରା ସମ୍ପନ୍ନ ନୁହେଁ କି ଭାରତୀୟ ସଂସ୍କୃତି, ସଂସ୍କାର ଉପରେ ଆଧାରିତ ନୁହେଁ ! ତେଣୁ ସେମାନଙ୍କ ଦ୍ୱାରା ପ୍ରଚଳିତ ଏହି ଆଇନରେ ଜଣେ ମିଥ୍ୟାବାଦୀ କେବଳ ଭାଗିଦାରୀତା କରି ନିଜକୁ ମୁକୁଳାଇବା ପାଇଁ ଚେଷ୍ଟା କରିବା ଛଡା ଯଦି କୌଣସି ସତ୍ୟବାଦୀ ଏହି ଆଇନର ଆଶ୍ରୟ ନିଏ ତାହେଲେ ସେହି ବ୍ୟକ୍ତି ପାଇଁ ତାହା ଏକ ଅଭିଶପ୍ତ ଦଣ୍ଡ ଭଳି ହେବାଛଡା ଆଉ କିଛି ନୁହେଁ ! କାରଣ ସତ୍ୟକୁ ପ୍ରମାଣ କରି ଉପସ୍ଥାପନ କରିବା ପାଇଁ ନ୍ୟାୟାଧୀଶଙ୍କ ଅପେକ୍ଷା ଅନୁସନ୍ଧାନକାରୀଙ୍କ ଉପଯୋଗୀତା ଯଥେଷ୍ଟ ଅଧିକ ରହିଥାଏ । ଅନୁସନ୍ଧାନ କରି ସତ୍ୟ, ମିଥ୍ୟାର ଉନ୍ମୋଚନ ହେବା ପରେ ନ୍ୟାୟ ଦେବା ପାଇଁ କୌଣସି ଅସୁବିଧା ହୁଏନାହିଁ ଯାହା କେତେକ ଜଟିଳ ନିୟାମକ ମଧ୍ୟରେ ପାଳିତ ହୋଇଥାଏ ଏହି ବ୍ରିଟିଶ ଆଇନ ମାଧ୍ୟମରେ ଯାହା ସେମାନଙ୍କୁ ଯଥେଷ୍ଟ ସହାୟକ ହେଉଥିଲା । ଆଉ ସେହି ଆଇନ ପ୍ରଚଳନ କରି ଆମେ ଅଦ୍ୟାବଧି ନିଜକୁ ସ୍ୱାଧୀନ ରାଷ୍ଟ୍ରର ନାଗରିକ ବୋଲି କହୁଥିବା କେତେ ଯୌକ୍ତିକ ବିଚାର ଯୋଗ୍ୟ ! ସତ୍ୟବାଦୀଙ୍କ ପାଇଁ ଏହି ନ୍ୟାୟୀକ ବ୍ୟବସ୍ଥା ଏକ ଅଲୌକିକ ସ୍ଥାନ ଭଳି ବିବେଚିତ ହେଉଥିବା ବେଳେ ମିଥ୍ୟାଚାରୀ, ଦେଶଦ୍ରୋହୀ, ଭ୍ରଷ୍ଟାଚାରୀଙ୍କୁ ସୁରକ୍ଷା ଯୋଗାଇଦେଇ ସେମାନଙ୍କ ଆତ୍ମରକ୍ଷା କବଚ ଭଳି ଦଣ୍ଡାୟମାନ ଏହି ବ୍ରିଟିଶ ବ୍ୟବସ୍ଥାରେ ପିଢ଼ିକୁ ପିଢ଼ି ପ୍ରଚଳିତ ହୋଇ ଆସୁଥିବା ଅମାନବୀୟ ଆଇନ, କାନୁନ ବ୍ୟବସ୍ଥାର ଅନ୍ତ କେବେ…..?!!
ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.