ପଣ୍ଡିତ ଗୋପବନ୍ଧୁ ଥିଲେ ତ୍ୟାଗ, ସଂସ୍କାର ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ: ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଲୋକସେବା ହିଁ ଥିଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଧର୍ମ । ସେଇ ଥିଲା ତାଙ୍କର ଦେବସେବା । ଯେଉଁଠାରେ ଝଡି, ବଢି, ମଡକ, ମହାମାରୀ, ସେଇଠାରେ ଉଭା ହେଉଥିଲେ ଗୋପବନ୍ଧୁ । ସେ ଥିଲେ ତ୍ୟାଗ, ସଂସ୍କାର ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ । ଆଦର୍ଶ ଶିକ୍ଷକ, ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସଂସ୍କାରକ, ସଂପାଦକ, ସାହିତି୍ୟକ ଏମିତି ଅନେକ ପ୍ରତିଭାର ଅଧିକାରୀ ଥିଲେ ପଣ୍ଡିତ ଗୋପବନ୍ଧୁ । ତାଙ୍କର ଜୀବନ ଓ ଆଦର୍ଶ ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ସ୍ରୋତ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି । ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ଗୋପବନ୍ଧୁଙ୍କ ଜୀବନୀ ଆମ ଜାତିର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ, ଇତିହାସର ଅଂଶ । ସେହି ଅଧ୍ୟାୟ ଏ ଜାତିକୁ ଦେଇଯାଇଛି ଏକ ଦୀପକ ମନ୍ତ୍ର, ରଖିଯାଇଛି ଏକ ନୂତନ ମୂଲ୍ୟବୋଧ । ଗୋପବନ୍ଧୁଙ୍କ ଜୀବନୀ ଏକ ଜୀବନ୍ତ ଇତିହାସ । ସେ ଥିଲେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଭଗୀରଥ । ସତ୍ୟବାଦୀର ବନବିଦ୍ୟାଳୟରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ସେ ଯେଉଁ ସଂସ୍କାର ଆଣିଥିଲେ ତାହାର ପ୍ରସଙ୍ଗିକତା ଆଜି ମଧ୍ୟ ଅନୁଭୂତ ହୁଏ । ଓଡ଼ିଆ ସାହିତ୍ୟକୁ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ । ତାଙ୍କ ସୃଷ୍ଟିସମ୍ଭାରର ଆଧାର ହେଲା ଜାତୀୟ ସଂସ୍କୃତିର ଅଭିବ୍ୟକ୍ତି ବୋଲି ଶ୍ରୀମତୀ ପାଢ଼ୀ ଉଲ୍ଲେଖ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ପ୍ରକାଶ ମିଶ୍ର କହିଲେ ଯେ ସତ୍ୟବାଦୀ ଯୁଗର ପ୍ରବର୍ତ୍ତକ ପଣ୍ଡିତ ଗୋପବନ୍ଧୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ଆରମ୍ଭ କରି ଭାରତର ସ୍ୱାଧୀନତା ସଂଗ୍ରାମ, ସ୍ୱଦେଶୀ ଆନ୍ଦୋଳନ, ଅସ୍ପୃଶ୍ୟତା ନିବାରଣ, ଶିକ୍ଷା, ସଂପାଦନା ଓ ସାହିତ୍ୟ ପ୍ରତିଟି କ୍ଷେତ୍ରରେ ନିଜର ଅଲିଭା ସ୍ମୃତି ଛାଡ଼ି ଯାଇଛନ୍ତି । ଗୋପବନ୍ଧୁଙ୍କ ଜୀବନ କାହାଣୀ ଥିଲା ତ୍ୟାଗର ଅମଳିନ ମହାସ୍ରୋତ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍‌ ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବେ ଆଲୋଚନା କରି କହିଲେ ଯେ ସାକ୍ଷୀଗୋପାଳ ବକୁଳ ଛୁରିଅନା କୁଞ୍ଜରେ ଯେଉଁ ମୁକ୍ତ ବିଦ୍ୟାଳୟ ଆରମ୍ଭ ହୋଇଥିଲା ତାହା କେବଳ ଶିକ୍ଷା ନୁହେଁ ବରଂ ଥିଲା ସାଂସ୍କୃତିକ ଜାଗରଣର ପୀଠ । ୧୯୧୯ରେ ସେ ଉତ୍କଳ ସମ୍ମିଳନୀର ସଭାପତି ହୋଇଥିଲେ । ୧୯୨୧ରେ ଗାନ୍ଧି ମହାତ୍ମାଙ୍କୁ ପ୍ରଥମ କରି ଓଡ଼ିଶାକୁ ଡାକି କାଠଯୋଡି ନଈ ବାଲିରେ ସଭା ଆୟୋଜନ କରାଇଥିଲେ । ମାତ୍ର ୫୦ ବର୍ଷର ଜୀବନକାଳ ମଧ୍ୟରେ ଗୋପବନ୍ଧୁ ଯେଉଁ କୃତି ଓ କୀର୍ତ୍ତିର ଅଧିକାରୀ ହୋଇଛନ୍ତି ତାହା ସବୁ ଓଡ଼ିଆଙ୍କ ହୃଦୟରେ ସାଇତି ହୋଇ ରହିବ । ତାଙ୍କ ଜୀବନ ଓଡ଼ିଆ ଜାତିର ଇତିହାସରେ ଗୋଟିଏ ମହିମାନ୍ୱିତ ଅଧ୍ୟାୟ ବୋଲି ଡ. ମଲ୍ଲିକ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ସ୍ୱାଧୀନଚେତା ପଣ୍ଡିତ ଗୋପବନ୍ଧୁ ଥିଲେ ମାନବବାଦର ସର୍ବଶ୍ରେଷ୍ଠ ଅଗ୍ରଦୂତ । ଶିକ୍ଷାର ପ୍ରସାର ସହ ଆଧୁନିକ ସାମ୍ବାଦିକତାର ବୀଜ ବପନ କରିଥିଲେ ପଣ୍ଡିତ ଗୋପବନ୍ଧୁ । ସାହିତ୍ୟ, ସଂସ୍କୃତିର ପ୍ରଚାର ପାଇଁ ପଣ୍ଡିତ ଗୋପବନ୍ଧୁ ବହୁ କାର୍ଯ୍ୟ କରିଯାଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *