ପଦ୍ମଭୂଷଣ ଡ. କାଳିନ୍ଦୀ ଚରଣ ପାଣିଗ୍ରାହୀ ସ୍ମରଣେ…

ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୮)ର ବିପର୍ଯ୍ୟୟ ସାହିତ୍ୟ ଜଗତରେ ବିପ୍ଳବର ସୂତ୍ରପାତ କରିଥିଲା । ଆନ୍ତର୍ଜାତିକ ସ୍ତରରେ ଶୋଷିତ, ପରାଧୀନ ଜାତି ମାନଙ୍କ ନିକଟରେ ଜାତୀୟ ଚେତନାର ଉଦ୍ଦ୍ରେକ ହେଲା. ସାମ୍ୟ, ମୈତ୍ରୀ, ସ୍ଵାଧୀନତାର ଜୟଶଂଖ ନିନାଦିତ ହୋଇ ଉଠିଲା । ଭାରତବର୍ଷ ଏଥିରୁ ବାଦ୍ ପଡି ନଥିଲା । ହିନ୍ଦୀ ସାହିତ୍ୟରେ ‘ଛାୟାବାଦୀ ଗୋଷ୍ଠୀ’, ବଙ୍ଗଳା ସାହିତ୍ୟରେ ‘କଲ୍ଲୋଳ ଗୋଷ୍ଠୀ’, ମରାଠୀ ସାହିତ୍ୟରେ ‘ରବି କିରଣ ମଣ୍ଡଳ’ ଓ ଆମ ଓଡିଆ ସାହିତ୍ୟରେ ‘ସବୁଜ ଗୋଷ୍ଠୀ’ ନାମରେ ସଂଘବଦ୍ଧ ହେଲେ ତରୁଣ ସାହିତ୍ୟିକ ଗଣ । ୧୯୨୧, କଟକ ରେଭେନ୍ସା କଲେଜରେ ଗୋଟିଏ ଆଇ.ଏ. ଶ୍ରେଣୀରେ ପାଞ୍ଚ ଜଣ ଛାତ୍ର ପଢୁଥିଲେ ଇଂରେଜ କବି William Cowperଙ୍କ ପତ୍ରାବଳୀ । ସେଥିରେ ଗୋଟିଏ ଅଧ୍ୟାୟ ଥିଲା Non-Sense Club । ଏହି ପଞ୍ଚସଖାଙ୍କ ମନକୁ ପାଇଲା ଏହି ନାଁ ଟି । ଗଠିତ ହେଲା Non-Sense Club । ସେଦିନର ଏହି ପଞ୍ଚ ସଖା ଥିଲେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଶରତ ଚନ୍ଦ୍ର ମୁଖାର୍ଜୀ ଓ ହରିହର ମହାପାତ୍ର । ଅଧିକାଂଶ ସାହିତ୍ୟ ସମାଲୋଚକ ନାମିତ କରିଛନ୍ତି ସବୁଜ ଯୁଗ ନାମରେ । ଏହି ସବୁଜ ଗୋଷ୍ଠୀ ମଧ୍ୟରେ ଆଦ୍ୟରେ ଥିଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ । ପ୍ରଥମେ ଯୌବନ ଓ ସ୍ଵପ୍ନକୁ ନେଇ କବିତା ଲେଖୁଥିଲେ ହେଁ ପରବର୍ତ୍ତୀ କାଳରେ ତାଙ୍କର ସାହିତ୍ୟିକ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଥିଲା । ସମୟ କ୍ରମେ ସେମାନଙ୍କର ଲେଖା ଥିଲା ଜୀବନଧର୍ମୀ ଓ ସମ୍ବେଦନଶୀଳତାର ବାହକ । ସେ କବିତା ଗ୍ରନ୍ଥ ହେଉଛି ଯାଦୁଘର, ପୁରୀ ମନ୍ଦିର, ମହାଦୀପ, ଆଗାମୀ, କ୍ଷଣିକ ସତ୍ୟ, ମୋ କବିତା, ଛୁରୀଟିଏ ଲୋଡ଼ା’। ପଦ୍ମଭୂଷଣ ଡ. କାଳିନ୍ଦୀ ଚରଣ ପାଣିଗ୍ରାହୀ ପୁରୀ ଜିଲ୍ଲାର ବିଶ୍ଵନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ୧୯୦୧ ମସିହା ଜୁଲାଇ ମାସ ଦୁଇ ତାରିଖରେ. ତାଙ୍କର ପରଲୋକ ଘଟିଥିଲା ୧୯୯୧ ମସିହାର ମେ ମାସ ୧୫ ତାରିଖରେ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର, ଔପନ୍ୟାସିକ ଏବଂ ବିଭିନ୍ନ ଶ୍ରେଣୀ ପାଇଁ ପାଠ୍ୟ ପୁସ୍ତକ ରଚୟିତା । ଓଡ଼ିଆ ଉପନ୍ୟାସ ଜଗତକୁ ସମୃଦ୍ଧ କରିଛି ତାଙ୍କର ଲେଖା ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ଅମର ଚିତା, ଅମରାବତୀ ଓ ମୁକ୍ତାଗଡ଼ର କ୍ଷୁଧା ଉପନ୍ୟାସ ଗୁଡିକ । ଦ୍ଵାଦଶୀ, ରାଶିଫଳ, ଶେଷ ରଶ୍ମୀ, ସାଗରିକା, ମୋ କଥା ସରିନାହିଁ ଇତ୍ୟାଦି କ୍ଷୁଦ୍ରଗଳ୍ପ ସଂକଳନରେ ସ୍ଥାନିତ ଗଳ୍ପ ସମୂହ ବାସ୍ତବବାଦୀ ଓ ଆଦର୍ଶବାଦୀ ସାହିତ୍ୟ ରଚନା ଥିଲା ତାଙ୍କର ଆଭିମୁଖ୍ୟ. ନାଟ୍ୟକାର ଭାବେ ପରିଚିତ ହେଲେ ସେ ପଦ୍ମିନୀ, ପ୍ରିୟଦର୍ଶୀ, ସୌମ୍ୟା ଆଦି ନାଟକ ରଚନାରେ । ତାଙ୍କର ସର୍ବଶ୍ରେଷ୍ଠ ଉପନ୍ୟାସ ହେଉଛି ମାଟିର ମଣିଷ । ମାଟିର ମଣିଷ ଉପନ୍ୟାସର ଏହି ପଦଟି ମୋର ବହୁତ ମନେ ପଡେ :
“ଦୁନିଆର ହାଟେ କୋଟି ହୀରା ନୀଳା
ମଣି ମାଣିକର ତୁଲ,
ମାଟିର ପିତୁଳା ଗଢ଼ି ରଖିଦେଲି
କିଏ ପଚାରିବ ମୂଲ” !
ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ପ୍ରବନ୍ଧ ପୁସ୍ତକ ସାହିତ୍ୟ ଥିଲା ଉଚ୍ଚକୋଟୀର । ସେ ୧୯୭୧ ମସିହାରେ ‘ପଦ୍ମଭୂଷଣ’ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ରୂପେ ସମ୍ମାନିତ । ୧୯୭୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଡି.ଲିଟ୍. ପ୍ରଦାନ କରି ସମ୍ମାନିତ କରିଛନ୍ତି ।
**********
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ