ପନିପରିବା ଓ କାଜୁ ଚାଷୀମାନଙ୍କ ପକ୍ଷରୁ ବାତ୍ୟାର କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଫୋନି ବାତ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବର୍ଗର ଚାଷୀମାନଙ୍କର ବହୁ ପରିମାଣରେ କ୍ଷୟକ୍ଷତି ଘଟିଛି । ବାତ୍ୟା ଫଳରେ ବିଭିନ୍ନ ପନିପରିବାର କାଜୁ, ଆମ୍ବ, ପଣସ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଯାହା ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହୋଇ ଭୋକ ଉପବାସରେ ରହୁଛନ୍ତି । ଏନେଇ ଆଜି ଗଞ୍ଜାମ ବ୍ଲକର ସୁବଳୟା, ସାନରାମଚନ୍ଦ୍ରପୁର, ଝାରେଡ଼ି ରାଧାଗୋବିନ୍ଦପୁର ଓ ରାମଗଡ଼ ପଂଚାୟତର ବହୁ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଆସି କ୍ଷତିପୂରଣ ତୁରନ୍ତ ସର୍ଭେ କରି ଯୋଗାଇ ଦେବା ନିମନ୍ତେ ଏକ ଲିଖିତ ଅଭିଯୋଗ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣାଣି କକ୍ଷରେ ପ୍ରଦାନ କରିଛନ୍ତି । ରାମଗଡ଼ା ପଂଚାୟତର ପୂର୍ବତନ ସରପଂଚ ତୋଫାନ ନାହକଙ୍କ କହିବା ଅନୁସାରେ ରାମଗଡ଼ ପଂଚାୟତର ୧୫ଶହରୁ ଉଦ୍ଧ୍ୱର୍ ଚାଷୀମାନଙ୍କର ବିଭିନ୍ନ ପ୍ରକାର ଯଥା କଦଳୀ, ଅମୃତଭଣ୍ଡା, କାଜୁ, ଟମାଟ ସମେତ ବିଭିନ୍ନ ପନିପରିବା ନଷ୍ଟ ହୋଇଯାଇଛି । ଏନେଇ ଜିଲ୍ଲାପ୍ରଶାସନକୁ ଅଭିଯୋଗ କଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଆରଆଇ ଏବଂ ଉଦ୍ୟାନ ବିଭାଗ ପକ୍ଷରୁ ସର୍ଭେ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି । ସେହିପରି ସାନରାମଚନ୍ଦ୍ରପୁର ପଂଚାୟତର ଭଗବାନ ନାୟକ କହିଛନ୍ତି ଯେ ପଂଚାୟତର ୨ହଜାରରୁ ଉଦ୍ଧ୍ୱର୍ ଚାଷୀ ମାନଙ୍କର ବିଭିନ୍ନ ପନିପରିବା, କାଜୁ, ପଣସ ଏବଂ ରବି ଫସଲ ନଷ୍ଟ ହୋଇଯାଇଛି । ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଟିମ୍ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିନଥିବା ଅଭିଯୋଗ କରିଛନ୍ତି । ସୁବଳୟା ଗ୍ରାମପଂଚାୟତର ବିକ୍ରମ ପଲେଇ, ମୋହନ ରେଡ୍ଡି, ଉପେନ୍ଦ୍ର ପଲେଇ କହିଛନ୍ତି ଯେ ସୁବଳୟା ପଂଚାୟତର ପ୍ରାୟ ୧୫ଶହରୁ ୧୭ ଚାଷୀମାନଙ୍କ ଫୋନି ବାତ୍ୟାରେ ବହୁ ପରିମାଣର ବିଭିନ୍ନ ପନିପରିବା, କାଜୁ, ଆମ୍ବ ଓ ପଣସ ଆଦି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ପୂର୍ବରୁ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନାହିଁ ବୋଲି ସେମାନେ କହିଛନ୍ତି । ସେହିପରି ବେଗୁନିଆପଡ଼ା ବ୍ଲକ୍, ପୋଲସରା ବ୍ଲକ୍ ଏବଂ ଖଲିକୋଟ ବ୍ଲକର ବିଭିନ୍ନ ଆଦିବାସୀ ମଂଚ ପକ୍ଷରୁ ଆଜି ଗରିବ ଆଦିବାସୀ ମାନେ ସେମାନଙ୍କର କାଜୁ ଓ ଆମ୍ବ, ପଣସ ସଂପୂର୍ଣ୍ଣ ଭାବେ ଏହି ବାତ୍ୟାରେ ନଷ୍ଟ ହୋଇଯାଇଛି । ତେଣୁ ସେମାନଙ୍କର ଜୀବନ ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମେ ନିହାତି ଗରିବ ଆଦିବାସୀ ଶ୍ରେଣୀ ଲୋକ ହୋଇଥିବାରୁ ଆମ ପ୍ରତି ଘୋର ଅନ୍ୟାୟ କରାଯାଉଛି ବୋଲି ଆଦିବାସୀ ମଂଚ ସଂଘର ଜଗବନ୍ଧୁ ଶବର, ଲିଙ୍ଗରାଜ ଜାନି, କେଦାର ଶବର, ନାରାୟଣ ଶବର, ଦେବ ଶବର, ନିରଞ୍ଜନ ଶବର ଓ ହୀନ ଶବର ପ୍ରମୁଖ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାଶୀଘ୍ର କ୍ଷତିଗ୍ରସ୍ତମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଦାବି ହୋଇଛି ।  

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା