

ଛତ୍ରପୁର (ସମୃଦ୍ଧ ଓଡିଶା) ସବୁ ମାସମାନଙ୍କ ମଧ୍ୟରେ ଶ୍ରାବଣ ମାସ ବହୁତ ପବିତ୍ର ମାସ । ଏହି ପବିତ୍ର ଶ୍ରାବଣ ମାସରେ ଜଳ ନେଇ ଶିବ ଲିଙ୍ଗରେ ଜଳାଭିଶେଖ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ଯାହାକୁ ନେଇ ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠମାନଙ୍କରେ ଜଳାଭିଶେଖ ନିମନ୍ତେ ରବିବାର ଦିନ ଗଞ୍ଜାମ ଜିଲ୍ଲାର ପୁଣ୍ୟତୋୟା ଋଷିକୂଲ୍ୟା ନଦୀରୁ ଶ୍ରାବଣୀ ଭାର ଉଠାଇବା ନିମନ୍ତେ ହଜାର ହଜାର ସଂଖ୍ୟାରେ କାଉଡ଼ିଆମାନଙ୍କ ଭିଡ଼ ଜମିଥିଲା । ଫଳରେ ଗଞ୍ଜାମ ସହରାଞ୍ଚଳର ଦାମୋଦରପୁର ଗ୍ରାମ ନିକଟସ୍ତ ଋଷିକୂଲ୍ୟା ନଦୀଘାଟରେ ପାରମ୍ପାରିକ ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା କରିବା ସହ ଜଳଭାର ବାହୁଙ୍ଗି ଧାରଣ କରି ବାବା ଅଖଣ୍ଡଳମଣୀଙ୍କୁ ଦର୍ଶନ କରି କାଉଡ଼ିଆମାନେ ବିଭିନ୍ନ ଶୈବପୀଠମାନଙ୍କୁ ଯାତ୍ରା ଆରମ୍ଭ କରିଥିଲେ । କାଉଡ଼ିଆମାନେ ଗେରୁଆ ନୂତନ ବସ୍ତ୍ର ପରିଧ୍ୟାନ ପୂର୍ବକ ବୋଲଭମ ହରହର ବମ, ଜଟିଆ ବାବା ପାର କରେଗା, ଆଦି ମହାଦେବଙ୍କ ସମ୍ପର୍କିତ ଭିଭିନ୍ନ ନାରା ଦେଇ ଭକ୍ତିଭାବନା ନେଇ ମାନସିକ ଧାରୀ ଶିବ ଭକ୍ତମାନେ ଦଳ ଦଳ ହୋଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶିବଙ୍କ ସଙ୍ଗୀତ ଲଗାଇ ଯାତ୍ରାକରୁଥିବା ଦେଖିବାକୁ ମିଳିଥିଲା । ଯାହାକୁନେଇ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଋଷିକୂଲ୍ୟା ନଦୀଘାଟରୁ ଜଳଭାର ନେଇ ମହାଦେବ ରାମେଶ୍ୱର ଓ ମାଳିଜଗନ୍ନାଥପୁର ଗ୍ରାମର ବାଲି ଲୋକନାଥ ନଦୀଘାଟରୁ ଜଳଭାର ନେଇ ମହାଦେବଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଶୈବପୀଠ ଅଭିମୁଖେ ବୋଲବମ ଭକ୍ତମାନେ ଯାତ୍ରା କରିଛନ୍ତି । ଯାହାକୁ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କାଉଡ଼ିଆମାନଙ୍କ ନିମନ୍ତେ ବ୍ୟାପକ ସୁବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


