ପର୍ଯ୍ୟଟନ ମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାର ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ଐତିହାସିକ ମାର୍ଦ୍ଦା ମନ୍ଦିର ପରିଦର୍ଶନ କରିଥିଲେ । ଏହି ଅବସରରେ ମାର୍ଦ୍ଦା ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ କରିବେ ବୋଲି ମନ୍ତ୍ରୀ ମହୋଦୟ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ ଯେ’ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦୁଇ ଦିନ ହେଲା ଗଞ୍ଜାମ ଗସ୍ତରେ ଆସିଥିବା ସେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିଛନ୍ତି । ଏହି କ୍ରମରେ ଐତିହାସିକ ମାର୍ଦ୍ଦା ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି । ପ୍ରକାଶ ଥାଉ କି, ୧୭୩୩ ମସିହାରେ ତକି ଖାଁର ଆକ୍ରମଣରୁ ପ୍ରଭୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଗଜପତି ମହାରାଜାଙ୍କ ଅନୁରୋଧ ରକ୍ଷା କରି ଆଠଗଡର(ଗଞ୍ଜାମ ଜିଲ୍ଲା) ରାଜା ପୋଲସରା ଠାରୁ ପ୍ରାୟ ସାତ କିଲୋମିଟର ଦୂର ନିଘଞ୍ଚ ଜଙ୍ଗଲ ମଧ୍ୟରେ ରାତା ରାତି ଐତିହାସିକ ମାର୍ଦ୍ଦା ମନ୍ଦିର ନିର୍ମାଣ କରିଥିଲେ । ଏହା ସୁଦୀର୍ଘ ପ୍ରାୟ ତିନି ଶହ ବର୍ଷ ବିତି ଯାଇଥିଲେ ବି ମନ୍ଦିରଟି ଅକ୍ଷୁର୍ଣ୍ଣ ରହିଛି । ଅବସ୍ଥା ସୁଧୁରିବା ପରେ ପୁରୀ ଗଜପତି ପୁଣି ତିନି ମୂର୍ତ୍ତିଙ୍କୁ ନେଇ ଯିବାରୁ ବର୍ତ୍ତମାନ ଏହି ମନ୍ଦିରରେ କେବଳ ତିନିଟି ପିଣ୍ଡି ପୂଜା ପାଉଛନ୍ତି । ମାର୍ଦ୍ଦା ମନ୍ଦିରର ଐତିହାସିକ ଗୁରୁତ୍ୱ ଥିବାରୁ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦିର୍ଘ ବର୍ଷ ହେଲା ଦାବୀ ହୋଇ ଆସିଛି । ଏଣୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘୋଷଣା ପରେ ଅଞ୍ଚଳବାସୀ ଖୁବ ଆନନ୍ଦ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା