ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିଦିନ ଉପାନ୍ତ ପଶ୍ଚିମବଂଗର ବିିନନ ଅଂଚଳରୁ ବ୍ୟାପକ ଚୋରା ଦେଶୀ ବିଦେଶୀ ମଦ ଉପାନ୍ତ ଓଡିଶାକୁ ଆସୁଥିବାରୁ ଏ ଅଂଚଳରେ ମଦର ବନ୍ୟା ସୃଷ୍ଟି ହୋଇଛି । ଦୁଇ ରାଜ୍ୟର ମଦମାଫିଆଙ୍କ ସହଯୋଗରେ ଏପରି ମାଦକ ଦ୍ରବ୍ୟ କାରବାର ଚାଲି ଆସୁଥିବାରୁ ନିରାକରଣ ଲାଗି ବ୍ୟାପକ କର୍ମଚାରୀ ନିଯୁକ୍ତ ଓ ଦୃଢ ପଦକ୍ଷେପ ଲୋଡା ବୋଲି ମତପ୍ରକାଶ ପାଇଛି । ପ୍ରତିଦିନ ପଶ୍ଚିମବଂଗ ଅଂଚଳ ଦୀଘା, ରାମନଗର, କାନ୍ଥି, ଏଗ୍ରା, ମୋହନପୁର, ଦାନ୍ତୁନ, ନୟାଗ୍ରାମ ଥାନା ଇଲାକାରୁ ଓଡିଶାର ଜଳେଶ୍ୱର, ରାଇବଣିଆ, କମର୍ଦ୍ଦା, ଭୋଗରାଇ ଓ ଚନ୍ଦନେଶ୍ୱର ସାମୁଦ୍ରିକ ଥାନା ଇଲାକାକୁ ପ୍ରାୟ ୫ହଜାର ଲିଟର ଚେରାମଦ ଆସୁଥିବାର ପ୍ରଶାସନକୁ ସୂଚନା ମିଳିଛି । ଜଳେଶ୍ୱର ଅବକାରୀ ଥାନା ସବ୍ଇନସ୍ପେକ୍ଟର ହରପ୍ରସାଦ ରଣାଙ୍କୁ ବାଲେଶ୍ୱର ଜିଲା ଅବକାରୀ ଏସ୍ପି. ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶ ଯୋଗୁଁ ବାରମ୍ବାର ବିଭିନ୍ନ ସ୍ଥାନ ଚଢାଉ କରି ମଦକାରବାର କରୁଥିବା ଲୋକଙ୍କୁ ଗିରଫ କରିବା ସହ ମଦମଧ୍ୟ ଜବତ୍ ହେଉଛି । ଆଜି ଅବକାରୀ ବିଭାଗ ଜଳେଶ୍ୱରର ଛମୌଜ, ମହିସାମୁଣ୍ଡା, ସେଖବାର୍ଡ, ଶାଳିକୋଠା, ଆରୁହା, ଓଳିନ୍ଦା, ଜଳେଶ୍ୱରପୁର, କୁବାଡିଆ ଗ୍ରାମର ବିଭିନ୍ନ ସ୍ଥାନରେ ଚଢାଉ କରାଯିବା ଫଳରେ ମୋଟ ୧୧୫ଲିଟର ପଶ୍ଚିମବଂଗ ଦେଶୀ ରନ୍ଧା ମଦ ଜବତ୍ କରାଯାଇଛି । ହରାପ୍ରସାଦ ରଣାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏଏସ୍ଆଇ ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ରାଜୀବ କୁମାର ଭଂଜ, ମଙ୍ଗଳ ସିଂ ଓ ମିନତୀ ଜେନା ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ । ଫଳରେ ଛମୌଜ ଗାଁର ରବିନ୍ଦ୍ର ଜେନା, ମହିସାମୁଣ୍ଡାର ମାଖନ ହାତୀ, ଶାଳିକୋଠା ଗାଁର ସୀମା ସିଂ, ସେଖବାର୍ଡ ଗାଁର ଡୁମା ମୁର୍ମୁ ଓ ଓଳିନ୍ଦା ଗାଁର ସୀତା ହେମ୍ବ୍ରମକୁ ଗିରଫ କରି କୋଟ ଚାଲାଣ କରାଯାଇଛି । ପ୍ରକାଶଯୋଗ୍ୟ ଏପରି ଘଟଣା ବାରମ୍ବାର ହେଉଥିବା ବେଳେ କେବଳ କିଛି ସାଧାରଣ ଲୋକଙ୍କୁ ଗିରଫ କରି ଅବକାରୀ ବିଭାଗ ବାହାବା ନେଉଥିବା ବେଳେ ପ୍ରକୃତରେ ଏହାର ମାଷ୍ଟର ମାଇଣ୍ଡ ପର୍ଯ୍ୟନ୍ତ ଏବେ ସୁଦ୍ଧା ପ୍ରଶାସନ ପହଞ୍ଚି ପାରିନାହିଁ । ଅବାଧରେ ପଶ୍ଚିମବଂଗରୁ ଦେଶୀ ମଦ ଓ ଡ୍ରଗ୍ସ କିପରି ଓଡିଶା ଭିତରକୁ ଆସିପାରୁଛି ତାହା ପୋଲିସ୍ ଓ ଅବକାରୀ ବିକାଗ ପାଇଁ ଚ୍ୟାଲେଞ୍ଚ ସୃଷ୍ଟି କରିଛି । ପଶ୍ଚିମବଂଗରୁ ଏପରି ଚୋରାମଦ ନ ଆସିପାରିବାଲାଗି ପଦକ୍ଷେପ ନ ନେଲେ କେତେ ଯେ ଘର ଉଜୁଡି ନ ଯିବା ତାହା କହିବା ମୁସ୍କିଲ । ଏପରିକି ଜଳେଶ୍ୱର ଅଂଚଳରେ ଅପରାଧ ସଂଖ୍ୟା ଏପରି ବଢିଯିବ ଯେ ସରକାରଙ୍କ ଆୟତ୍ତରୁ ବାହାରକୁ ଚାଲିଯିବ । ତେଣୁ ଯଥାଶୀଘ୍ର ଏହାର ସମାଧାନ ହେବାକୁ ସାଧାରଣରେ ମତପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା