ପଶ୍ଚିମବଙ୍ଗ ଦଲମା ଅଞ୍ଚଳର ୧୨ ହାତୀ ରାଇବଣିଆ ଅଞ୍ଚଳରେ : ବ୍ୟାପକ କ୍ଷତି ଆଶଙ୍କା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦଲମା ଜଙ୍ଗଲରୁ ୧୨ଟି ହାତୀ ଖସିଆସି ବାଲେଶ୍ୱର ଜିଲ୍ଲା ରାଇବଣିଆ ଅଞ୍ଚଳରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି । ଗତ ୨ଦିନ ଧରି ଏହା ୧୨ଟି ହାତୀ ଦୁଧିଆଖାଳ, ଆମ୍ବତୁମ୍ବା ଓ ରଙ୍ଗାମାଟିଆ ଅଞ୍ଚଳର ପାଚିଲାଧାନ ନଷ୍ଟ କରିବା ସହିତ ଗ୍ରାମାଞ୍ଚଳକୁ ଯିବା ପାଇଁ ପ୍ରସ୍ତୁତ ବେଳେ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ କର୍ମଚାରୀ ସେମାନଙ୍କୁ ଘଉଡାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ସୋମବାର ସଂଧ୍ୟାରେ ୧୨ଟି ହାତୀକୁ ଆମ୍ବତୁମ୍ବା ଓ ଦୁଖିଆଖାଳ ଗ୍ରାମ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଥିଲା । ଗତ କିଛିଦିନ ତଳେ ଝାଡଖଣ୍ଡର ୧୭ଟି ହାତୀ ରାଇବଣିଆ ଅଞ୍ଚଳରେ ଦୀର୍ଘଦିନ ରହି ଫସଲ ନଷ୍ଟ, ବହୁ ଘର ଭାଙ୍ଗିବା ସହିତ ଜଣେ ଲୋକକୁ କଚାଡି ମାରିଥିବାର ଭୟ ଏବେ ବି ଲୋକଙ୍କ ମନରୁ ଯାଇନାହିଁ । ଏବେ ପଶ୍ଚିମବଙ୍ଗର ହାତୀକୁ ଦେଖି ଲୋକେ ଛାନିଆ ହୋଇଥିବା ବେଳେ ଏମାନଙ୍କୁ ଘଉଡାଇବା ଲାଗି ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମ ମେଦିନୀପୁର ଜିଲାର ଜଙ୍ଗଲ କର୍ମଚାରୀମାନେ ତତ୍ପର ହୋଇ ଉଠିଛନ୍ତି । ଆଜି ହାତୀଗୁଡିକ ରଂଗାମିଟିଆ, ଆମ୍ବତୁମ୍ବା ଓ ଦୁଧିଆଖାଳ ଗ୍ରାମକୁ ଆକ୍ରମଣି ପାଇଁ ଗଲାବେଳେ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜର ଦେବେନ୍ଦ୍ର ପାତ୍ର, ଫରେଷ୍ଟର ଅଞ୍ଜନ କୁମାର ଦାସ, ତପନ କୁମାର ସିଂ, ମନୋହର ସିଂ, ଅମରେଶ ଦାସ, ସୁରେଶ ଦାସ ପ୍ରମୁଖ ୨୦ଜଣ କର୍ମଚାରୀଙ୍କୁ ଧରି ଜଗି ରହିଛନ୍ତି । ଓଲମରାସ୍ଥିତ ହାତୀ ସୁରକ୍ଷାବାହିନୀର ସ୍ୱେଚ୍ଛାସେବୀମାନେ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ସେମାନଙ୍କୁ ସହାୟତା କରୁଛନ୍ତି । ଅନ୍ୟପକ୍ଷରେ ବାରିପଦା ଡିଏଫଓଙ୍କ ନିର୍ଦ୍ଦେଶରେ ରାସଗୋବିନ୍ଦପୁର, ମୁରୁଡା ଓ ଚିତ୍ରଡା ଜଙ୍ଗଲ ବିଭାଗ କର୍ମଚାରୀମାନେ ମୟୂରଭଂଜକୁ ପ୍ରବେଶ କରାଇ ନ ଦେବାପାଇଁ ସଦଳବଳେ ଜଗି ରହିଛନ୍ତି । ଅନୁରୂପ ଭାବେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲା ବନ୍ୟ କର୍ମଚାରୀମାନେ ହାତୀଗୁଡିକୁ ଘଉଡାଉଥିବାରୁ ସେମାନେ ତ୍ରୀଶଙ୍କୁ ଅବସ୍ଥାରେ ଏଣେତେଣେ ବୁଲୁଛନ୍ତି । କିନ୍ତୁ ଗତ ୨ଦିନ ମଧ୍ୟରେ ହାତୀଗୁଡିକ ଗ୍ରାମାଭିମୁଖୀ ନ ହୋଇ ପାଚିଲାଧାନ ଖାଇବା ଦଳିଚକଟି ନଷ୍ଟ କରିବା ଯୋଗୁଁ ଏକପ୍ରକାର ଆତଙ୍କ ଖେଳି ଯାଇଛି । ୩ ଜିଲାର ଜଙ୍ଗଲ କର୍ମଚାରୀମାନେ ସମ୍ମିଳିତ ଭାବେ ଏପରି ଏକ ସମସ୍ୟାସ ସମାଧାନ କରିବାକୁ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା