ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମ ବଂଗର ନୟାଗ୍ରାମ, ପୂର୍ବ ମେଦିନୀପୁର ଓ ପଶ୍ଚିମ ମେଦିନୀପୁର ଅଂଚଳର ଉପାନ୍ତ ଗ୍ରାମ ଗୁଡିକରେ ବହୁ ମଦଭାଟି ଥିବାରୁ ପ୍ରତିଦିନ ଓଡିଶାକୁ ବ୍ୟାପକ ଚୋରା ମଦ ଚାଲାଣ ହୋଇ ଆସୁଛି । ଏଥିରୁ ଅବକାରୀ ବିଭାଗ କେତେକେ ଜବତ୍ କରୁଥିବା ବେଳେ ଅନ୍ୟ ସବୁ ବିଭିନ୍ନ ଗ୍ରାମ ସଡକ ରାସ୍ତାରେ ରାଇବଣିଆ, ଜଳେଶ୍ୱର, କମର୍ଦ୍ଦା, ଭୋଗରାଇ, ସାମୁଦ୍ରିକ ଥାନା, ବାଲିଆପାଳ, ବସ୍ତା ଅଂଚଳକୁ ଚାଲାଣ କରାଯାଇ ଆସୁଛି । ଗତ ୩ ଦିନ ତଳେ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଥିବା ବେଳେ ଆଜି ଏକ ପିକ୍ଅପ୍ ସହିତ ୮୦୦ ଲିଟର ମଦ ଜବତ୍ କରିବାରେ ଅବକାରୀ ବିଭାଗ ସଫଳ ହୋଇଛି । ପଶ୍ଚିମବଂଗ ଓ ଓଡିଶା ଉପାନ୍ତରେ ବ୍ୟାପକ ଚୋରା ଦେଶୀ ଓ ବିଦେଶୀ ମଦ ଚାଲାଣ ହୋଇ ଆସୁଥିବାର ଏକ ଗୁପ୍ତ ତଥ୍ୟ ଅବକାରୀ ଏସ୍ପିଙ୍କୁ ରାଜେନ୍ଦ୍ର କୁମାର ଭତ୍ରାଙ୍କୁ ମିଳିବାପରେ ସେ ଜଳେଶ୍ୱର ଥାନା ଅଧିକାରୀ ହରପ୍ରସାଦ ରଣାଙ୍କୁ ଅବଗତ କରାଇଥିଲେ । ଗତ ରାତିରେ ଶ୍ରୀ ରଣା, ଏଏସ୍ଆଇ ଦୋଳଗୋବିନ୍ଦ ଧଳ, କନେଷ୍ଟବଳ ରାଜୀବ କୁମାର ଭଂଜ, ମଂଗଲ ସିଂ, ମିନତୀ ଜେନା ପ୍ରମୁଖ ଜଗିଥିବା ବେଳେ ପଶ୍ଚିମବଂଗରୁ ଡବ୍ଲୁବି-୩୩ବି-୩୫୯୯ ପିକ୍ଅପ୍ରେ ଚୋରା ଦେଶୀ ମଦ ବଡବଡ ଟ୍ୟୁବ୍ରେ ଆସିଥିବା ବେଳେ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ଠାରୁ ଜଳେଶ୍ୱର ଅବକାରୀ କର୍ମଚାରୀମାନେ ପିଛା କରିଥିଲେ । ଗୁରୁଦାସପୁର ଅଂଚଳରେ ଗାଡିଟିକୁ କାବୁ କରିବା ସହ ସେଥିରେ ଥିବା ବ୍ୟାପକ ମଦକୁ ସେଠାକାର କେତେକ ବ୍ୟକ୍ତି ଲୁଟିନେବା ପାଇଁ ପ୍ରଚେଷ୍ଟା କରିଥିଲେ । ଉପନିରିକ୍ଷକ ଶ୍ରୀ ରଣା ଅବକାରୀ ଏସ୍ପିଙ୍କୁ ଏ ସଂପର୍କରେ ସୂଚନା ଦେବାରୁ ସେ ବାଲେଶ୍ୱର ଏସ୍ପିଙ୍କୁ ଖବର ଦେବାରୁ ଜଳେଶ୍ୱର ଆଇଆଇସି ପ୍ରଦୀକ ପୁମାର ମାଝୀ ଘଟଣାସ୍ଥଳରେ ପହଞ୍ଚି ୮୦୦ ଲିଟର ମଦ ସହିତ ଗାଡିକୁ ଜବତ୍ କରିବାରେ ସକ୍ଷମ ହୋଇଥିଲେ । ସ୍ଥାନୀୟ ଲୋକେ କିଛି ଟ୍ୟୁବ ଭର୍ତ୍ତି ମଦ ଲୁଟ କରିଥିବାର ଶ୍ରୀ ରଣା ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । କେସ୍ ନଂ-୪୧,୪୨, ୪୩, ୪୪ / ୧୯ ମୂଳେ ମାମଲା ରୁଜୁ କରାଯାଇଛି । ଏହି ଚୋରାକାରବାରର ମୂଖ୍ୟ ନୟାଗ୍ରାମ ଥାନା ଅନ୍ତର୍ଗତ ଅମିତ୍ ପାତ୍ର, ରାଇବଣିଆ ଥାନା ଅନ୍ତର୍ଗତ କଣ୍ଡରାଡିହା ଗ୍ରାମର ଅର୍ଜୁନ ହାଁସଦା ଓ ପ୍ରଧାନ ହାଁସଦା ତଥା ଚାଲନ୍ତି ଗାଁର ଗୋରା ସିଂକୁ ଗିରଫ କରି କୋଟ ଚାଲାଣ କରାଯାଇଛି । ଏହା ପୂର୍ବରୁ ଗତ ସପ୍ତାହ ମଧ୍ୟରେ ମୋଟ ୧୨୦୦ ଲିଟର ମଦ ପଶ୍ଚିମବଂଗରୁ ଓଡିଶାକୁ ଆସିଥିବା ବେଳେ ତାହା ଅବକାରୀ ବିଭାଗ ଦ୍ୱାରା ଜବତ୍ କରାଯାଇଛି । ଏପରି ବିପୁଳ ମଦ ଓଡିଶାକୁ ଆସିବାର ଲାଗି ରହିଲେ ଭବିଷ୍ୟତରେ ଜଳେଶ୍ୱର ଓ ତାରା ଆଖପାଖରେ ମଦର ବନ୍ୟା ସୃଷ୍ଟି ହେବ । ଯଥାଶୀଘ୍ର ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା