

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳି ପୋଲିସ ଡକାୟତି ଉଦ୍ୟମ ପଣ୍ଡ କରି ୮ ଜଣକୁ ଗିରଫ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗୁରୁବାର ରାତ୍ରୀକାଳୀନ ସମୟରେ ଆଇଆଇସିଙ୍କ ନିର୍ଦେଶ କ୍ରମେ ଏସଆଇ ବାସୁଦେବ ଭୋଇ, ଏଏସଆଇ ସୁରଥ ଭୁୟାଁ, ରାଜନ୍ ବିଷୋୟୀ, ହାବିଲଦାର ରାଜୀବ କୁମାର ପାଢ଼ୀ ଓ ଟିମ୍ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କୌଣସି ସୂତ୍ରରୁ ଖବର ଆସିଲା ଯେ, ଗୋପୀନାଥପୁର ବଡ଼ କେନାଲ ପାଖରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ କିଛି ଅସାମାଜିକ ଯୁବକ ସଂଗଠିତ ହୋଇ ରହିଛନ୍ତି । ଆଇଆଇସି ଖବର ପାଇଁ ଘଟଣା ସ୍ଥଳକୁ ପାଟ୍ରୋଲିଂ ଟିମ୍ କୁ ପଠାଇ ଚଢାଉ କରିଥିଲେ । ପାଟ୍ରୋଲିଂ ଗାଡ଼ି ଦେଖି ଘଟଣା ସ୍ଥଳରୁ ୨ ଜଣ ଫେରାର ହୋଇଥିବା ବେଳେ ଅନ୍ୟ ୮ ଜଣକୁ ପୋଲିସ କାବୁ କରିଥିଲା । ଘଟଣା ସ୍ଥଳରେ ପୋଲିସ ସେହିମାନଙ୍କ ଠାରୁ ଗୋଟିଏ ୭.୬୫ ଏମଏମର ପିସ୍ତଲ ଓ ୧ଗୁଳି, ଲଙ୍କା ଗୁଣ୍ଡ, ୨ଟା ଖଣ୍ଡା, ୨ଟା ବୋମା, ୧୦ଟା ମାସ୍କ, ମଦ ବୋତଲ, ସିଗାରେଟ୍, ଦିଆସିଲ୍ ଓ ୨ଟା ମୋଟର ସାଇକେଲ ଜବତ କରିଛି । ୮ ଜଣ ଯୁବକଙ୍କୁ ପୋଲିସ ଥାନାକୁ ଆଣି ଅଧିକ ପଚରାଉଚରା କଲା ବେଳେ ନିକଟସ୍ଥ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିବା କହିଥିଲେ ବୋଲି ଆଇଆଇସି ସୂଚନା ଦେଇଛନ୍ତି । ଏହି ଘଟଣାରେ ଆସ୍କା ଥାନା ଅନ୍ତର୍ଗତ ପୁଡୁଗେଶ୍ୱର ପଲ୍ଲୀର ସନିଆ ମହାନ୍ତି, କୋଟିନୋଡର କାଳୁ ଚରଣ ପାତ୍ର, ଖଲିକୋର୍ଟ ଥାନା ଅନ୍ତର୍ଗତ ତେନ୍ତୁଳିପଦାର ମିଥୁନ ସାହାଣୀ, ଶିବ ଜାଲି, କାହ୍ନା ସାହାଣୀ,ନୂତନ ବ୍ରହ୍ମପୁରର ନରହରି ପାଣ୍ଡି, ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟାର ଭଗବାନ ନାଇକ, ପୋଲସରା ସୂର୍ଯ୍ୟନଗର ସାହିର ଯଜ୍ଞ ପ୍ରଧାନ ଡକାୟତି ଉଦ୍ୟମ କଲା ବେଳେ ପୋଲିସ ଉଦ୍ୟମ ପଣ୍ଡ କରି ଗିରଫ କରିଛି । ଏହି ଘଟଣାର ତଦନ୍ତ ସବ୍ ଇନ୍ସପେକ୍ଟର ପ୍ରଦୀପ୍ତ କୁମାର ଦାସ କରୁଥିବା ବେଳେ ଏ ନେଇ ହିଞ୍ଜିଳି ଥାନା କେଶ୍ ନଂ- ୧୯୭/୨୦ ଧାରା ୩୯୯,୪୦୨, ଆଇପିସି ୨୫ (୧- ବି) ଓ ଆର୍ମ୍ସ ଏକ୍ଟ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ପାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା