ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଓଡ଼ିଶାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଦିନକୁ ଦିନ ଅନ୍ଧକାର ଆଡକୁ ଗତି କରୁଛି । ରାଜ୍ୟ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା ବାରମ୍ବାର ସରକାରଙ୍କୁ ଅବଗତି କରାଇଥିଲେ ସୁଦ୍ଧା ସରକାର ଭୃକ୍ଷେପ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଜୀବୀ ଚାଷୀ ମାନଙ୍କୁ ବିଭିନ୍ନ ସହାୟତା ଓ ସୁବିଧା ଯୋଗାଇ ଦେଉଥିଲେ ସୁଦ୍ଧା ଏହି ମତ୍ସ୍ୟଜୀବୀମାନେ ସେହି ସୁବିଧା ବା ସହାୟତା ପାଇ ପାରୁ ନଥିବା ଅଭିଯୋଗ ହେଉଛି ଫଳରେ ସେମାନେ ଚାତକ ପକ୍ଷୀ ଭଳି ଅନାଇ ରହୁଛନ୍ତି ବୋଲି ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା ଜଣାଇଛନ୍ତି । ସମ୍ପ୍ରତି କରୋନା ମହାମାରୀ ଯୋଗୁଁ ବୃତ୍ତି ବ୍ୟବସାୟ ଠପ ହୋଇଯାଇଛି । ଫଳରେ ବ୍ୟବସାୟୀ ହୀନ ତଥା ଉପାର୍ଜନ ବିହୀନ ଯୋଗୁଁ ବାହାର ରାଜ୍ୟକୁ ପଳାଉ ଥିବା ଅଭିଯୋଗ ହୋଇଛି । ମହିଳା ମତ୍ସ୍ୟଜୀବୀମାନେ ନିକଟସ୍ଥ ବାଲୁଗାଁରୁ ମାଛ ଆଣି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ବର୍ତମାନ ସେଠାରେ କରୋନା ପଜେଟିଭ ବାହାରି ଥିବାରୁ ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଛି । ଏହି କରୋନା ଯୋଗୁଁ ମାଛ ଗୋଦାମ ଓ ଚିଲିକାକୁ ମାଛ ଧରା ବନ୍ଦ ହୋଇଯାଇଛି । ଏଭଳି ପରିସ୍ଥିତିରେ ମତ୍ସ୍ୟଜୀବୀ ଉପାର୍ଜନ ଶୁନ୍ୟ ହୋଇ କିଭଳି ବଞ୍ଚିବେ ସେ ନେଇ ଚିନ୍ତା ସୃଷ୍ଟି ହୋଇଛି । ଲକ୍ଷାଧିକ ପାରମ୍ପରିକ ମତ୍ସ୍ୟଜୀବୀ ପରିବାର ବ୍ୟବସାୟ ଶୁନ୍ୟ ହୋଇ ବସିଥିବା ବେଳେ ପାଖାପାଖି ୨ଶହ ମତ୍ସ୍ୟଜୀବୀ ସଂଗଠନ ତଥା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଗୁଡିକ ବନ୍ଦ ହୋଇଯାଇଛି । ସରକାରଙ୍କ ମାଳମାଳ ଯୋଜନା କାଗଜ କଲମରେ ରହିଛି ନା ଉପେକ୍ଷିତ କରାଯାଇଛି, ମତ୍ସ୍ୟଜୀବୀ ନାଁରେ ଅଣ ମତ୍ସ୍ୟଜୀବୀ ସୁଯୋଗ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେଣୁ ବାଧ୍ୟହୋଇ ବଞ୍ଚିବାର ଅନ୍ୟରାସ୍ତା ନ ପାଇ ପୁଣି ଦାଦନ ମୁହାଁ ହେଉ ଥିବା ଶୁଣିବାକୁ ମିଳୁଛି । ଫଳରେ ମତ୍ସ୍ୟଜୀବୀମାନଙ୍କର ହିତ ଦୃଷ୍ଟିରୁ ଅନ୍ତଃ ବଞ୍ଚିବା ପାଇଁ ସରକାର ବିହିତ ପଦକ୍ଷେପ ନେବାକୁ ସଂଘ ନେତା ଭୀମସେନ ବେହେରା ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା