ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ପବିତ୍ର “ମହେନ୍ଦ୍ର-ତନୟା” ନଦୀରେ ବୋଇତ-ବନ୍ଦାଣ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସଂସ୍କୃତି ସମୃଦ୍ଧ ଓଡ଼ିଆ ଜାତିର ପାରମ୍ପରିକ ଗଣ-ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ-ବନ୍ଦାଣ ତଥା ଡଙ୍ଗା-ଭସାଣି କାର୍ଯ୍ୟକ୍ରମ ସମଗ୍ର ଗଜପତି ଜିଲ୍ଲାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠ ତଥା ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରବାହିତ ହେଉଥିବା ପବିତ୍ର ପୁଣ୍ୟତୋୟା “ମହେନ୍ଦ୍ର-ତନୟା” ନଦୀରେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତି ଅଞ୍ଚଳବାସୀଙ୍କ ଦ୍ଵାରା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଧ୍ୟରାତ୍ରୀରୁ ସକାଳ ପ୍ରାୟ ୮ ଟା ପର୍ଯ୍ୟନ୍ତ ଉଭୟ ରାଜ୍ୟ ସୀମାନ୍ତବର୍ତ୍ତି ପାରଳାଖେମୁଣ୍ଡି ଓ ପୁରୁଣାପାଟନାମ ସହର ସମେତ ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁ ଅଞ୍ଚଳବାସୀ ମହେନ୍ଦ୍ର-ତନୟା’କୁ ଆସି ନଦୀରେ ବୁଡ଼ ପକାଇ ପୁଣି ନଦୀର ବିଭିନ୍ନ ଠାରେ ତୁଳସୀ ଚଉରା ଓ ନଦୀବାଲି ସ୍ଥାପନ କରି ଦୀପ ହୁଳହୁଳି ଦେଇ ପାରମ୍ପରିକ ପୂଜାର୍ଚ୍ଚନା କରି ପରେ ଡଙ୍ଗା ଭସାଣି କରିଥିଲେ । ଡଙ୍ଗା-ଭସାଣି କାର୍ଯ୍ୟ ସମ୍ପନ୍ନ ହେବା ପରେ ଫେରିବା ବାଟରେ ବିଭିନ୍ନ ମନ୍ଦିର ଓ ମଠ ଗୁଡିକରେ ଠାକୁର ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ମନ୍ଦିରରେ ଠାକୁର’ଙ୍କ ଆଳତି ଦର୍ଶନ ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ସକାଳ ୧୦ ଟା ପର୍ଯ୍ୟନ୍ତ ଲାଗି ରହିଥିଲା । ସେହିଭଳି ଭଗବାନ କାର୍ତ୍ତିକଙ୍କ ମନ୍ଦିର ଓ କାର୍ତ୍ତିକ ପୂଜା ମଣ୍ଡପ ଠାରେ ମଧ୍ୟ ଠାକୁର ଓ ଆଳତି ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥିଲା । ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଥିବା “ଶ୍ରୀ ରାଧା-କୃଷ୍ଣ” ମଠ ଓ ମନ୍ଦିର ଗୁଡିକରେ “ହରିନାମ-ସଂକୀର୍ତ୍ତନ” ତଥା ଅଷ୍ଠ-ପ୍ରହର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏତେ ସବୁ ଭକ୍ତି-ଭାବ ପୂର୍ଣ୍ଣ କାର୍ଯ୍ୟକ୍ରମ ଲାଗି ରହିଥିବା ଯୋଗୁଁ ସମଗ୍ର ପାରଳାଖେମୁଣ୍ଡି ସହର ଏକ ଆଧ୍ୟାତ୍ମିକ ପରିବେଶର ମାହୋଲ ସୃଷ୍ଟି ହୋଇପଡିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା