ପାଲୁରୁ ଛକରେ ରହିଥିବା ଏସବିଆଇ ଏଟିଏମକୁ ଲୁଟ ଉଦ୍ୟମ…

ଗଞ୍ଜାମ (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକରେ ରହିଥିବା ଏସବିଆଇ ଏଟିଏମକୁ ଲୁଟ କରିବା ପାଇଁ କିଛି ଦୁର୍ବୁତ୍ତ ଉଦ୍ୟମ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଏସଡିପିଓ ଉତ୍କଳ କେଶରୀ ଦାସ, ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ହୁମ୍ମା ଫାଣ୍ଡି ଅଧିକାରୀ ନରହରି ବିଶୋଇ, ସାଇଣ୍ଟିଫିକ ଅଧିକାରୀ ଅଖିଳ କୁମାର ସାମଲ, ମୌସୁମୀ ଦଳାଇ, ଏ. ବାଳ କ୍ରିଷ୍ଣା ରାଓ ପ୍ରମୁଖଙ୍କ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତ୍ରରେ ଉକ୍ତ ଛକ ଦେଇ ସ୍ଥାନୀୟ ପୋଲିସ ପେଟ୍ରୋଲିଂ କରି ହୁମ୍ମା ଅଭିମୁଖେ ଯିବାପରେ ପୋଲିସକୁ ଖବର ଆସିଥିଲା ଏଟିଏମ କୋଠରୀ ମଧ୍ୟରେ ଶବ୍ଦ ହେଉଛି । ଉକ୍ତ ଏଟିଏମ ନିକଟର ଅଞ୍ଚଳବାସୀ ଶବ୍ଦ ଶୁଣି ଉଠି ପଡିବାରୁ ଦୁବୃତ୍ତମାନେ ଛତ୍ରଭଙ୍ଗ କରି ରାତ୍ର ଅନ୍ଧକାର ମଧ୍ୟରେ କେଉଁଠି ଲୁଚିଯାଇ ଦଉଡି ଚାଲିଯାଇଥିଲେ । ପ୍ରଥମେ ଏଟିଏମ କୋଠରୀର ତାଲାକୁ ତଡା ଯାଇଥିବା ସତର ଖୋଲା ଯାଇଥିବା ବେଳେ ଏଟିଏମ ମେସିନଟିକୁ ମଧ୍ୟ ତଳୁ ତଡା ଯାଇ ସଟର ନିକଟକୁ ଟେକି ଅଣାଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳବାସୀ ନ ଜାଣି ପାରିଥିଲେ ହୁଏତ ଦୁବୃତ୍ତ ମନେ ଏଟିଏମ ମେସିନକୁ ସେଠାରୁ କୌଣସି ଗାଡ଼ିରେ ଉଠାଇ ନେଇଯାଇଥାନ୍ତେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ପୋଲିସ ଏକ ଶାବଳ ଜବତ କରିଥିବା ଜଣାପଡ଼ିଛି । ରମ୍ଭା ଥାନା ଇଲାକାରେ କିଛିଦିନ ହେଲା ଚୋରି ହାରି ବୃଦ୍ଧି ପାଉଥିବା ଅଭିଯୋଗ ହୋଉଥିବା ବେଳେ ଉକ୍ତ ଘଟଣାକୁ ନେଇ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା