ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ପିଠା ଯୋଜନା ଏକ ପ୍ରହସନ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।ପିଠା ଯୋଜନା ପଂଚାୟତ ବ୍ୟବସ୍ଥା ପ୍ରତି ଏକ ଅପମାନ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ରାଜ୍ୟବ୍ୟାପୀ କଳା ଦିବସ ପାଳନ କରାଯିବ । ପ୍ରତି ପଂଚାୟତ ଅଫିସ ମାନଙ୍କରେ କଳାପତାକା ଉଡାଯିବ, ପଂଚାୟତ ପ୍ରତିନିଧିମାନେ କଳା ବ୍ୟାଚ ପିନ୍ଧିବେ, ପଂଚାୟତ ସମିତି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯିବ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପଠାଯିବ ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସଂପ୍ରତି ରାଜ୍ୟ ସରକାର ପଂଚାୟତି ରାଜ ବ୍ୟବସ୍ଥାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବା ସହିତ ପଂଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଗୌଣ କରି ଦେଖିବା ପଂଚାୟତ ବ୍ୟବସ୍ଥାର ପରିପନ୍ଥୀ । ଆମ ଗାଁ ଆମ ବିକାଶ ଏବଂ ପିଠା କାର୍ଯ୍ୟକ୍ରମ ଏହାର ଜ୍ଜ୍ୱଳନ୍ତ ଉଦାହରଣ । ଏଥିରେ ଗ୍ରାମସଭା, ପଂଚାୟତ ଅନୁଷ୍ଠାନ, ପଂଚାୟତ ପ୍ରତିନିଧିମାନଙ୍କୁ ଅବମାନନା କରାଯିବାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳେ । ପଂଚାୟତ ପ୍ରତିନିଧିମାନଙ୍କୁ ଏଥିରେ ସଂଶ୍ଳିଷ୍ଟ ନକରିବା ଏବଂ ସେମାନଙ୍କୁ ବିଶ୍ୱାସକୁ ନେଇ ଦାୟିତ୍ୱ ନଦେବା ପଂଚାୟତ ବ୍ୟବସ୍ଥା ପ୍ରତି କେବଳ ଅସମ୍ମାନ ନୁହେଁ, ଏହାର ଅର୍ନ୍ତନିହୀତ ଉଦ୍ଦେଶ୍ୟ ପ୍ରତି କୁଠାରଘାତ । ଗ୍ରାମାଚଂଳ ବିକାଶ ପ୍ରକ୍ରିଚାୟତ ବ୍ୟବସ୍ଥା ଏବଂ ପଂଚାୟତ ପ୍ରତିନିଧିମାନେ ହେଉଛନ୍ତି ମୂଳ ଉପାଦାନ । ଏଥିପତି ଅବହେଳା ଏବଂ ଅଣଦେଖାର ଅର୍ଥ ହେଉଛି ବିକାଶ ପ୍ରକ୍ରିୟା ପ୍ରତି ତାଚ୍ଛଲ୍ୟ । ସ୍ୱର୍ଗତ ରାଜୀବ ଗାନ୍ଧୀ ୭୩ତମ ସମ୍ବିଧାନ ସଂଶୋଧନର ପ୍ରୟାସ କରିଥିଲେ ଯାହାକି ପଂଚାୟତ ମାଧ୍ୟମରେ କ୍ଷମତା ବିକେନ୍ଦ୍ରୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଥିଲା । ମାତ୍ର ଏହି ପ୍ରୟାସକୁ ବର୍ତମାନର ଓଡ଼ିଶା ସରକାର ଧୂଳିତାସ କରିବାକୁ ଯାଉଛନ୍ତି । ଏହି ହୀନ ଚକ୍ରାନ୍ତ କବଳରୁ ପଂଚାୟତିରାଜ ବ୍ୟବସ୍ଥାକୁ ସୁରକ୍ଷିତ କରିରଖିବା ପାଇଁ ଗତ ଡିସେମ୍ବର ୬ ତାରିଖରେ ରାଜ୍ୟ ସ୍ତରୀୟ ପଂଚାୟତ ପ୍ରତିନିଧି ସମ୍ମିଳନୀରେ ଆସନ୍ତା ଡିସେମ୍ବର ୨୬ ତାରିଖ ମଙ୍ଗଳବାରକୁ କଳାଦିବସ ଭାବରେ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପଂଚାୟତ ସଭ୍ୟ / ସଭ୍ୟା ମହାସଂଘ ସମର୍ଥନ ଜଣାଇଛି । କଂଗ୍ରେସ ଦାବି କରିଛି ଯେ ଆମା ଗାଁ ଆମ ବିକାଶ ଯୋଜନାର ପ୍ରହସନ ବନ୍ଦ ହେଉ । ଏଥିରେ ଯେଉଁ ପ୍ରକଳ୍ପ ଗୁଡ଼ିକୁ ଘୋଷଣା ହେଉଛି ତାହା ଗ୍ରାମ ସଭା/ ପଂଚାୟତ ର ବିନା ଅନୁମୋଦନରେ ଘୋଷଣା ନ ହେଉ । ଏହି ଯୋଜନାରେ ଘୋଷିତ ପ୍ରକଳ୍ପ ଗୁଡ଼ିକ ପଂଚାୟତ ପ୍ରତିନିଧିମାନଙ୍କ ସଂପୃକ୍ତିରେ କାର୍ଯ୍ୟକାରୀ ହେଉ । ଏହି କାର୍ଯ୍ୟକ୍ରମରେ ପଂଚାୟତକୁ ସଂପୃକ୍ତ କରାଯାଉ ଏବଂ ପଂଚାୟତ ସମିତି ସଭ୍ୟ / ସଭ୍ୟାମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉ । ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ପାଇଁ ଖୋଲା ହାତ ପାଣ୍ଠିର ବ୍ୟବସ୍ଥା ରହୁ , ପଂଚାୟତ ପ୍ରତିନିଧିମାନଙ୍କର ଭତାକୁ ସ୍ତର ଭିତିରେ ବୃଦ୍ଧି କରାଯାଉ ଏବଂ ସେମାନଙ୍କୁ ସମ୍ମାନଜନକ ପାରିଶ୍ରମିକ ଦିଆଯାଉ,ପଂଚାୟତ ପ୍ରତିନିଧିମାନଙ୍କୁ ସରକାରୀ ଅଫିସର / କର୍ମଚାରୀ ମାନଙ୍କର ଅଧସ୍ତନ ଭାବରେ ବିଚାର ନକରି ସେମାନଙ୍କୁ ଲୋକ ପ୍ରତିନିଧି ଭାବରେ ମର୍ଯ୍ୟଦା ଓ ସମ୍ମାନ ଦିଆଯାଉ ଏବଂ ୭୩ ତମ ସମ୍ବିଧାନ ସଂଶୋଧନ ଆଇନ୍ ମୁତାବକ ଯେଉଁ ଅଧିକାର ପଂଚାୟତ ବ୍ୟବସ୍ଥାକୁ ଦିଆଯାଇଛି ତାକୁ କାର୍ଯ୍ୟକାରୀ କରାଯାଉ । ରିପୋର୍ଟ : ଆକାଶ ମିଶ୍ର