ଆଜି ସକାଳେ Whats App ରେ ମୋ’ର ଜଣେ ବୟୋଜ୍ୟେଷ୍ଠ ବନ୍ଧୁ ହିନ୍ଦୀ ଭାଷାରେ ଲେଖାଟିଏ ପଠେଇଥିଲେ । ପଢିବା ପରେ ବେଶ୍ ମୋର ମନକୁ ଛୁଇଁଲା । ଭାବିଲି ଏହାକୁ ଓଡ଼ିଆରେ ଏକ ବିସ୍ତୃତ କାହାଣୀର ରୂପ ଦେଲେ ସାହିତ୍ୟ ପ୍ରିୟ ବନ୍ଧୁମାନଙ୍କୁ ଭଲ ଲାଗିବ ଓ ସମାଜରେ ପିଲାମାନଙ୍କ ଉପରେ ସୁପ୍ରଭାଵ ପଡିବ । ସେଥିପାଇଁ ଓଡ଼ିଆରେ କାହାଣୀଟି ପୂର୍ଣ୍ଣଭାବର ପଢନ୍ତୁ ନିଶ୍ଚୟ ପରିବର୍ତ୍ତନର କିଛି ସୂଚନା ଆସିବ ତେଣୁ ପରସି ଦେଉଛି କାହାଣୀକୁ ।
ଇଣ୍ଟରଭିଉର ଏକ ଚିତ୍ର :
ପିଲାବେଳୁ ରାଜୁକୁ ସବୁ କଥାରେ ତା’ ବାପା ବୋଉ ଆକଟ କରନ୍ତି ବୋଲି ଭାରି ଚିଡ଼ି ମାଡ଼େ ତାକୁ । ଏଇ ଯେମିତି ଆଜି ସକାଳେ ଉଠିଲା ମାତ୍ରେ ବୋଉ କହିଲେ-,“ବିଛଣା ଝାଡ଼ି ଚାଦର ବିଛେଇ ଦବୁ”…
ଦାନ୍ତ ଘଷୁଥିଲା ବେଳେ ବାପା କହିଲେ- “ପାଣି ଟ୍ୟାପ୍ ଟାକୁ ବନ୍ଦ କରୁନୁ କାହିଁକି ?”
ଗାଧୋଇ ସାରି ଆସିଲା ବେଳେ ପଚାରିଲେ- “ତଉଲିଆଟା ଶୁଖେଇଲୁ ନା ସେମିତି ସୋଫା ଉପରେ ଥୋଇ ଦେଇଚୁ?”
ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧି ଆଇନା ଆଗରେ ପାନିଆ ଧରୁ ଧରୁ ପୁଣି କହିଲେ,
“ଚୁଟି କାଟିବାକୁ ଟାଇମ୍ ହଉନି ବାବୁଙ୍କର ? ଆଉ ତୋ ରୁମ୍ ର ପଂଖା ବନ୍ଦ କରିଚୁ ନା ସେମିତି ଘାଇଁ ଘାଇଁ ବୁଲୁଚି?”
ସବୁ ଦିନ ସକାଳୁ ସଞ୍ଜ ଯାଏଁ ସବୁ କଥାରେ ଉଭୟଙ୍କର ଏଇମିତି କେଚେର୍ କେଚେର୍ ହବାଟା ଜମ୍ମା ଭଲ ଲାଗୁ ନଥିଲା ରାଜୁକୁ । କିଛି କହି ପାରୁନଥିଲେ ବି ସେ ଭିତରେ ଭିତରେ ବିରକ୍ତ ହଉଥିଲା । ଆଜି ସକାଳୁ ଚାକିରୀ ଲାଗି ଇଣ୍ଟରଭ୍ୟୁ ଦେବାକୁ ବାହାରିଲା ବେଳେ ବାପା ବୋଉକୁ ମୁଣ୍ଡିଆ ମାରିଲା । ବୋଉ କହିଲେ-“ଭଲରେ ଭଲରେ ଯାଇ ଭଲରେ ଭଲରେ ଆସିବୁ, ଆଉ ଭଲ ଖବର ଶୁଣେଇବୁ”। ବାପା କହିଲେ- “ଇଣ୍ଟରଭ୍ୟୁ ପାଇଁ ଠିକ୍ ଭାବରେ ପ୍ରସ୍ତୁତି କରିଚୁ ତ ? ନହେଲେ ତୁଚ୍ଛାକୁ ଗୁଡ଼ାଏ ଟଙ୍କା ଶ୍ରାଦ୍ଧ ହବା କଥା”। କିଛି କହିଲାନି ରାଜୁ, ଖାଲି ମୁଣ୍ଡ ଟୁଙ୍ଗାରି ଦେଇ ବାହାରି ଗଲା ।
ବାଟରେ କେବଳ ଗୋଟିଏ କଥା ତା ମୁଣ୍ଡରେ ଥାଏ- “ବହୁତ ହେଲା ଏବେ, ଦିନ ରାତି ଖାଲିଟାରେ ସବୁକଥାରେ ବୁଢ଼ା ବୁଢ଼ୀ ଦୁହେଁ ଗଜ ଗଜ ହଉଚନ୍ତି । କ’ଣ ଏଇଥି ପାଇଁ ଜନ୍ମ କରିଥିଲେ ? ନା, ଆଉ ନୁହେଁ । ଚାକିରୀଟା ମିଳିଗଲେ ଆଉ ଏଠି ରହିବାର ନାହିଁ । ଭୁବନେଶ୍ୱରରେ ହିଁ ସେଟଲ୍ ହେଇଯିବି । ଇଣ୍ଟରଭ୍ୟୁ ପାଇଁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଲା ରାଜୁ । ମୂଖ୍ୟ ଫାଟକ ଦେଇ ଅଫିସ୍ ବିଲଡିଂ ଭିତରକୁ ପ୍ରବେଶ କରିବା ପୂର୍ବରୁ ପକେଟ୍ ରୁ ରୁମାଲ୍ ବାହାର କରି ମୁହଁ ପୋଛିଲା ଆଉ ମନେ ମନେ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କଲା । ବେଶ୍ ପ୍ରଶସ୍ତ ହଲ୍ ଟିଏ, ବଡ଼ ବଡ଼ ଝରକା ଦେଇ ବାହାରୁ ଯଥେଷ୍ଟ ଆଲୋକ ଆଉ ପବନ ଆସୁଥାଏ । ଆଗରୁ ଅନେକ ପ୍ରାର୍ଥୀ ଆସି ଭିତରେ ବସିଥିଲେ । ରାଜୁ ଦେଖିଲା ଦୁଇଟି ବଡ଼ ବଡ଼ ଏଲ୍. ଇ. ଡି. ବଲ୍ବ ଅଯଥା ଜଳୁଛି । ବାପାଙ୍କ କଥା ମନେ ପଡ଼ିଗଲା । ଆଗେଇ ଯାଇ ସ୍ୱିଚ୍ ଅଫ୍ କରିଦେଲା ସେ । ତାପରେ ତା’ ନଜର ପଡ଼ିଲା ଗଦି ଦିଆ ଚୌକି ଭିତରେ ଗୋଟେ ଖାଲି ଥିବା ଚୌକି ଉପରେ । ରାଜୁ ବସିବାକୁ ଯାଉଥିଲା, କିନ୍ତୁ ଚୌକିରେ ଚୁଇଂଗମ୍ ଲାଗିଥିବାର ଦେଖିଲା । ବୋଧହୁଏ ସେଇଥି ପାଇଁ ସେଇ ଚୌକିଟିକୁ ଛାଡ଼ି ତା ଦୁଇ ପଟ ଚୌକିରେ ଦୁଇ ଜଣ ବସିଥିଲେ । ରାଜୁ ନିଜ ଫାଇଲ୍ ରେ ରଖିଥିବା ସାଦା କାଗଜଟିଏ ବାହାର କରି ସେଇ ପରିତ୍ୟକ୍ତ ଚୌକିରୁ ଚୁଇଂଗମ୍ ଛଡ଼େଇ ଦେଇ ତା ଉପରେ ବସିଗଲ। । ଅନ୍ୟମାନେ ସବୁ ଏହା ଦେଖିଲେ, ଆଉ ଟିକିଏ ମୁରୁକି ମୁରୁକି ହସିଲେ । ଠିକଣା ସମୟରେ ଇଣ୍ଟରଭ୍ୟୁ ଆରମ୍ଭ ହେଲା । ଜଣକ ପରେ ଜଣକର ନାଁ ଡକା ହଉଥାଏ, ସେମାନେ ଉପର ମହଲାରେ ଥିବା କମ୍ପାନୀର ମାଲିକଙ୍କ ରୁମ୍ ଭିତରକୁ ଯାଉଥାନ୍ତି, ପୁଣି ମିନିଟିକ ଭିତରେ ବାହାରି ଆସୁଥାନ୍ତି । କାହା ମୁହଁରେ ବିସ୍ମୟର ଭାବ ତ କାହାର କ୍ରୋଧାନ୍ୱିତ ଚେହେରା । ରାଜୁ ସବୁ ଦେଖୁଥାଏ, ହେଲେ କିଛି ଅନୁମାନ କରିପାରୁ ନ ଥାଏ । ପଚାରିଲାରୁ ଜଣେ କହିଲା ଯେ ଖାଲି ଫାଇଲ୍ ଖୋଲି ଦେଖୁଛନ୍ତି ଆଉ Thanks କହି ଫେରେଇ ଦଉଛନ୍ତି । ରାଜୁକୁ ଶୋଷ ହେଲାରୁ ଚୌକିରୁ ଉଠି ପାଖରେ ଥିବା ୱାଟର୍ କୁଲର୍ ପାଖକୁ ଗଲା । ଟୋପା ଟୋପା ପାଣି ପଡ଼ୁଥିବାର ଦେଖି ପୁଣି ତା’ର ବାପାଙ୍କ କଥା ମନେ ପଡ଼ିଗଲା । ତାକୁ ଠିକ୍ ଭାବରେ ବନ୍ଦ କରିବାକୁ ଚେଷ୍ଟା କଲାରୁ ପାଣି ପଡ଼ିବା ପୁରା ବନ୍ଦ ହେଇଗଲା । ଭାବିଲା କେହି ହୁଏତ ଢିଲା ଛାଡ଼ି ଦେଇଥିଲା । ତା’ ପରେ ନିଜେ ପାଣି ପିଇ ପୁଣି ଟ୍ୟାପ୍ କୁ ଠିକ୍ ଭାବରେ ବନ୍ଦ କରି ନିଜ ଯାଗାକୁ ଫେରିଲା ବେଳକୁ ଦେଖିଲା ଯେ ଗୋଟେ ଚୌକୀ ଓଲଟି ପଡ଼ିଚି, ତାକୁ ସଜାଡ଼ି ରଖିଲା । ଇତି ମଧ୍ୟରେ ତା ପୂର୍ବରୁ ଆସିଥିବା ସମସ୍ତେ ପ୍ରାୟ ଫେରିଗଲେଣି । ବାକି ଥିଲେ ଆଉ ମାତ୍ର ଜଣେ । ତାଙ୍କର ମଧ୍ୟ ତଦୃପ ଅବସ୍ଥା । ହଠାତ୍ ‘ରାଜକିଶୋର୍ ମହାପାତ୍ର’ ଡାକ ଶୁଣି ରାଜୁ ଉଠି ଠିଆହେଲା, ଇନ୍ କରିଥିବା ସାର୍ଟ୍ କୁ ସଳଖ କରି ଟାଏକୁ ସଜାଡ଼ିଲା ଆଉ ଉପର ମହଲାକୁ ଗଲା, ଯାଉ ଯାଉ ପାହାଚରେ ପଡ଼ିଥିବା ଛୋଟ ଜରି ପାଉଚ୍ କୁ ଉଠେଇ କଣରେ ଥୁଆ ହେଇଥିବା ଡଷ୍ଟବିନ୍ ରେ ପକେଇଲା । ତା’ପରେ ଧୀରେ ରୁମ୍ ର ଦରଜା ଠେଲି ଭିତରକୁ ଗଲା । ଭିତରେ କେବଳ ଜଣେ ଭଦ୍ରବ୍ୟକ୍ତି ଥିଲେ ଇଣ୍ଟରଭ୍ୟୁ ନେବାଲାଗି । କମ୍ପାନୀର ମାଲିକ ବୋଧହୁଏ ସେ ନିଜେ କମ୍ପାନୀର Boss । ବେସରକାରୀ କମ୍ପାନୀ ତ । ମାଲିକ ନିଜେ ସାକ୍ଷାତକାର କରୁଛନ୍ତି । ସେ ପଶୁ ପଶୁ କହିଲା-
“Good morning Sir” ଏହା କହି ରାଜୁ ନିଜ ଫାଇଲ୍ ଟିକୁ ତାଙ୍କ ହାତକୁ ବଢ଼େଇ ଦେଲା । ସାମ୍ନାରେ ବସିଥିବା Boss ଫାଇଲ୍ ଟିକୁ ଖୋଲିଲେ ଓ ସଂଗେ ସଂଗେ ବନ୍ଦ କରି ରାଜୁକୁ ଫେରେଇ ଦେଲେ, କହିଲେ-“କାଲି ତ Sunday, ପଅର ଦିନ Join କରିବାରେ କିଛି problem ନାହିଁ ତ ?” ରାଜୁ ହଠାତ୍ କିଛି ଉତ୍ତର ଦେଇ ପାରିଲାନି । କି ଉତ୍ତର ବା ସେ ଦେଇଥା’ନ୍ତା ! ତାକୁ ତ କିଛି ପ୍ରଶ୍ନ ପଚାରିଲେନି, ଫାଇଲ୍ ରେ ଥିବା ସାର୍ଟିଫିକେଟ୍ ସବୁ ବି ଭଲକି ଦେଖିଲେନି… ସିଧା କହିଦେଲେ join କରିବାକୁ ! ପୁଣି ଏଇ ସୋମବାର !! ନିଜକୁ ଥରେ ଚିମୁଟି ଦେଖିଲା, ନା .. ସ୍ୱପ୍ନ ନୁହେଁ ତ ? ରାଜୁର ଏମିତି ଚେହେରା ଦେଖି କମ୍ପାନୀର Boss ପଚାରିଲେ- “କ’ଣ ଭାବୁଛନ୍ତି ମିଷ୍ଟର୍ ମହାପାତ୍ର ? It’s not a joke. You have been hired. ସୋମବାର ଦିନ କିଛି ଅସୁବିଧା ଥିଲେ ଆପଣ କହିପାରନ୍ତି”। ରାଜୁ ଧୀର ଗଳାରେ ଉତ୍ତର ଦେଲା, ”ନାଇଁ ସାର୍, କିଛି …. ଅସୁବିଧା… କିଛି ନାହିଁ ଯେ … ତେବେ ଇଣ୍ଟରଭ୍ୟୁ ନ ଦେଇ ଏମିତି …” Boss ମଝିରେ ହିଁ ତା’ କଥା କାଟି କହିଲେ, “କିଏ କହିଲା ଯେ ଇଣ୍ଟରଭ୍ୟୁ ହେଇନି ବୋଲି ? ଆପଣଙ୍କ ଆଗରୁ ଏଠି ଯେତେ ଜଣ ଆସିଥିଲେ, ସେ ସମସ୍ତେ ତ ଇଣ୍ଟରଭ୍ୟୁ ଦେଇଛନ୍ତି, ଆଉ ଆପଣ ବି ଦେଇଛନ୍ତି“। ରାଜୁ କିନ୍ତୁ ଅବିଶ୍ୱାସ୍ ରେ ପଚାରିଲା, “କ୍ଷମା କରିବେ ସାର୍, ମୁଁ ତ ଏଇ ମାତ୍ର ଆପଣଙ୍କ ରୁମ୍ କୁ ଆସିଲି । ଆଉ ଆପଣ ମୋ ଡକ୍ୟୁମେଣ୍ଟ୍ ସବୁ ନ ଦେଖି କିଛି ପ୍ରଶ୍ନ ନ କରି ସିଧା ମୋତେ join କରିବାକୁ କହୁଛନ୍ତି । ତେବେ ମୁଁ ଇଣ୍ଟରଭ୍ୟୁ ଦେଲି କେତେବେଳେ ? !” Boss କହିଲେ, ଆପଣଙ୍କ ସବୁ ଇଣ୍ଟରଭିଉ ସରି ଯାଇଛି “ଆମ ଅଫିସ୍ ର main gate ଦେଇ ଭିତରକୁ ଆସିଲା ବେଳୁ ଆରମ୍ଭ କରି ମୋ ରୁମ୍ କୁ ପଶିବା ପର୍ଯ୍ୟନ୍ତ ଆପଣ ଆଉ ଅନ୍ୟ ସମସ୍ତେ ଇଣ୍ଟରଭ୍ୟୁ ହିଁ ଦେଇଛନ୍ତି”। ଏତିକି କହି Boss ନିଜ ଟେବଲ୍ ର ବାଁ ପଟେ ଥିବା CCTV monitorକୁ ରାଜୁ ଆଡ଼କୁ ବୁଲେଇ ଦେଲେ । ଆଉ rewind କରି ସକାଳୁ ଏଯାବତ୍ ସେଥିରେ ରେକର୍ଡ୍ ହୋଇଥିବା ସମସ୍ତଙ୍କର ସବୁ କାର୍ଯ୍ୟକଳାପ ଦେଖେଇଦେଲେ । ରାଜୁ ଦେଖୁଥାଏ ………….. main gateରେ ପଶି ପକେଟ୍ ରୁ ରୁମାଲ୍ ବାହାର କରି ମୁହଁ ପୋଛିବା ଠାରୁ ଆରମ୍ଭ କରି ହଲ୍ ରେ ଅନାବଶ୍ୟକ ଜଳୁଥିବା ଲାଇଟ୍ ଲିଭେଇବା, ଚୁଇଂଗମ୍ ସଫା କରି ସେଇ ପରିତ୍ୟକ୍ତ ଚୌକିରେ ବସିବା ଓ ତା’ ଦେଖି ଅନ୍ୟ ପ୍ରାର୍ଥୀ ମାନଙ୍କର ପରସ୍ପର ଚାହାଁ ଚାହିଁ ହେଇ ମୁରୁକି ହସିବା ଇତ୍ୟାଦି ସବୁ କିଛି ଦେଖୁଥାଏ ସେ । ଆଉ Boss ତାକୁ କହୁଥା’ନ୍ତି, “ହଲ୍ ଭିତରେ ପଶିଲା ପରେ ଆପଣ ଯାହା ଯାହା କଲେ, ଆପଣଙ୍କ ପୂର୍ବରୁ ଆସିଥିବା ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ତା’ କରିପାରିଥା’ନ୍ତେ । ହେଲେ ସେମାନଙ୍କ ଭିତରୁ କେହି ତା’ କଲେନାହିଁ । କାରଣ ଏସବୁ ପରିବାରରେ ବାପା, ମା’ ଏବଂ ଅନ୍ୟ ଗୁରୁଜନ ମାନଙ୍କ ଠାରୁ ଶିଖିବାକୁ ମିଳିଥାଏ । ଆପଣଙ୍କ ଘରେ ଆପଣଙ୍କୁ ଏମିତି ସଂସ୍କାର ମିଳିଛି, ଆଉ ଆପଣ ସେ ସବୁକୁ ଗ୍ରହଣ କରି ନିଜ ଜୀବନରେ କାର୍ଯ୍ୟରେ ଲଗେଇଛନ୍ତି । ଯାହାର self discipline ନଥାଏ, ସେ ଜୀବନରେ କେବେ ବି ସଫଳ ହୋଇପାରେନା । ଆଉ ଆମ କମ୍ପାନୀରେ ଉନ୍ନତି ଆଣିବା ପାଇଁ ଆମେ ଯେଉଁ ଗୁଣ ସବୁ ଥିବା ପ୍ରାର୍ଥୀ ଖୋଜୁଥିଲୁ, ସେ ସମସ୍ତ ଗୁଣ ଆପଣଙ୍କର ରହିଛି ବୋଲି ଆମର ବିଶ୍ୱାସ । ଏଥିପାଇଁ ଆପଣଙ୍କ ମା’ ବାପାଙ୍କୁ ମୁଁ ସମ୍ମାନ ଜଣାଉଛି….
ଏତିକି ସେ କହି ଚାଲିଥିଲେ……ରାଜୁକୁ କିନ୍ତୁ ଆଉ କିଛି ଶୁଭୁ ନଥିଲା କି କିଛି ଦିଶୁ ନଥିଲା । ପକେଟ୍ ରୁ ରୁମାଲ୍ ବାହାର କରି ଆଖି ଦି’ଟାରେ ଛଳ ଛଳ ହେଇ ବହି ଯିବାକୁ ଉଦ୍ୟତ ଲୁହକୁ ପୋଛି ଦେଇ ଉଠି ଠିଆ ହେଲା ରାଜୁ । Boss କହିଲେ, ……. “OK Mr. Mohapatra, See you on Monday.”ରାଜୁ ଆନନ୍ଦରେ ବିଭୋର ହୋଇ କହିଲା “Thank you Sir, thank you so much“ ହାତ ଯୋଡ଼ି ଏତକ କହି ନିଜ ଫାଇଲ୍ କୁ ଧରି ରାଜୁ ଫେରିଆସିଲା । ବାଟ ସାରା ସେ ଭାବି ଚାଲିଥାଏ……………ସକାଳୁ ଉଠିଲା ବେଳୁ ରାତିରେ ଶୋଇବା ପର୍ଯ୍ୟନ୍ତ ତାକୁ ତା’ ବାପା ବୋଉ ସବୁ କଥାରେ ଆକଟ କରି ନ ଥିଲେ, କେଚେର କେଚେର ହଉ ନ ଥିଲେ, ବରଂ ଜୀବନରେ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ସମସ୍ତ ପ୍ରକାର ସମସ୍ୟାର ନିରାକରଣ କରିବାର ଶିକ୍ଷା ଦେଉଥିଲେ । ଆଉ ସେ ସବୁ ଶିକ୍ଷା କେବଳ ବାପା ବୋଉ ହିଁ ଦେଇପାରନ୍ତି, କୌଣସି ବହି ନୁହେଁ । ଆଜି ଇଣ୍ଟରଭ୍ୟୁରେ ସ୍କୁଲ୍ ଓ କଲେଜ୍ ରେ ପଢ଼ିଥିବା କୌଣସି ପାଠ କିଛି ଆବଶ୍ୟକ ହେଲାନି । ଯାହାକୁ ସେ ବାପା ବୋଉଙ୍କର ଗଜ ଗଜ ବୋଲି ଭାବୁଥିଲା, ସେଇ ସଂସ୍କାର ଉଦ୍ରେକକାରୀ ଶିକ୍ଷା ହିଁ କାମରେ ଲାଗିଲା । ସଂସାରରେ ରହିବାକୁ ହେଲେ ସଂସ୍କାର ନିହାତି ଜରୁରୀ ଆଉ ସଂସ୍କାର ହାସଲ କରିବାକୁ ହେଲେ ବାପା ବୋଉଙ୍କ ଆକଟ ମଧ୍ୟ ଜରୁରୀ । ଘରେ ପହଁଞ୍ଚି ବାପାଙ୍କୁ କୁଣ୍ଢେଇ ପକେଇଲା ରାଜୁ । ଭୋ ଭୋ ହେଇ କାନ୍ଦିଲା ଆଉ ନିଜକୁ ଧିକ୍କାରି ଚାଲିଲା ରାଜୁ । ତା’ କାନ୍ଦ ଶୁଣି ରୋଷେଇ ଘରୁ ଧାଇଁ ଆସିଲେ ତା ବୋଉ, ବସିପଡ଼ିଲେ ସେଇଠି ତା ପାଖରେ । ରାଜୁ ବୋଉ କୋଳରେ ମୁଣ୍ଡ ଗୁଞ୍ଜି ଧକେଇ ଧକେଇ କାନ୍ଦୁଥାଏ । ବାପା ଗମ୍ଭୀର ଗଳାରେ ପ୍ରଶ୍ନ କଲେ, “କ’ଣ ହେଲା ? ଇଣ୍ଟରଭ୍ୟୁ ଦବାକୁ ଯାଇଥିଲୁ ପରା, କ’ଣ କଲୁ ସେଠି ?” ବୋଉ ବି କ’ଣ ହେଲା ବୋଲି ପଚାରିଲେ । ରାଜୁ ଧୀରେ ବୋଉ କୋଳରୁ ମୁଣ୍ଡ ଟେକି କହିଲା, “ମୋ’ର ଚାକିରୀ ହେଇଯାଇଚି”। ବାପା ବୋଉ ଉଭୟେ ଖୁସି ହେଇଗଲେ । ରାଜୁ କହିଲା “କିନ୍ତୁ ମୁଁ ଗୋଟିଏ ସର୍ତ୍ତରେ ଚାକିରୀ କରିବାକୁ ଯିବି । ଯଦି ତମେ ଦି’ଜଣ ମୋ ସହିତ ଭୁବନେଶ୍ୱରରେ ରହିବ, ତେବେ ମୁଁ କରିବି ଏ ଚାକିରୀ”। କାହାଣୀର ସାରାଂଶ ହେଉଛି ବାପା ମା’ଙ୍କ ତାଗିଦ ଯୋଗୁଁ ସେ ସବୁ ଶିଖି ପାରିଛି । ସେଥିପାଇଁ ତାର ସଂସ୍କାର ଯୋଗୁ କମ୍ପାନୀ ମାଲିକ ତାକୁ ଭଲପାଇଛି । କେବେ ହେଲେ ବାପା ମା’ ପିଲାର ଉନ୍ନତି ଚାହାଁନ୍ତି । ପିତାମାତାଙ୍କ ଠାରୁ ଦୁନିଆରେ ଆଉକିଛି ବଡ ନାହିଁ । ତାଙ୍କୁ ମାନିବା ନିହାତି ଜରୁରୀ ।
Very good