ଜଳେଶ୍ୱର (ସମୃଦ୍ଧ ଓଡିଶା) ପନ୍ଦର ଦିନ ତଳେ ଜଳେଶ୍ୱରରେ ପୁରୁଲିଆ-ଭିଲୁପୁରମ୍ ସୁପରଫାଷ୍ଟ ଟ୍ରେନ୍ ଜଳେଶ୍ୱରରେ ଅଟକିବାର ଖବର ଯେତିକି ଆନନ୍ଦ ପ୍ରକାଶ ପାଇଥିଲା, ନ ଅଟକିବାର ରେଳ ଯାତ୍ରୀଙ୍କ କ୍ଷୋଭ ଚରମ ସୀମାରେ ପହଞ୍ଚିଛି । ଏକ ଆନ୍ଦୋଳନର ସୂଚନା ମିଳିଥିବା ବେଳେ କେତେକ ସଂଗଠନ କେନ୍ଦ୍ର ମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପିୟୁଷ ଗୋଏଲ, ରେଳ ଉଚ୍ଚ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଖଡଗପୁର ରେଳ ଡିଭିଜନରେ ଜଳେଶ୍ୱର ଏକ ପ୍ରମୁଖ ସ୍ଥାନ । ଏଠାରୁ ବାଲେଶ୍ୱର ଜିଲାର ଜଳେଶ୍ୱର, ରାଇବଣିଆ, କମର୍ଦ୍ଦା, ଭୋଗରାଇ, ବାଲିଆପଳ, ମୟୂରଭଂଜର ରାସଗୋବିନ୍ଦପୁର, ବେତନଟି, ମେଦିନୀପୁର ଜିଲାର ଝାଡଗ୍ରାମ, ଦାନ୍ତୁନ, ମୋହନପୁର ଓ ଏଗ୍ରା ଥାନା ଅଂଚଳର ପ୍ରାୟ ୧୦ଲକ୍ଷ ରେଳଯାତ୍ରୀ ଜଳେଶ୍ୱର ରେଳ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି । ଏଠାରୁ ବାର୍ଷିକ ରେଳବାଇ ୧୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ରାଜସ୍ୱ ପାଇ ଆସୁଥିବା ବେଳେ ଏହି ଷ୍ଟେସନ ଠାରୁ ପଶ୍ଚିମବଂଗର ଛୋଟ ଷ୍ଟେସନରେ ଯେପରି ସୁବିଧା ସୁଯୋଗ ଓ ଦୂରଗ୍ରାମୀ ଟ୍ରେନ ଅଟକୁଛି କତ୍ତୃପକ୍ଷଙ୍କ ବୈମାତୃକଭାବ ଯୋଗୁଁ ସେପରି ସୁବିଧା ଏଠାରେ ନ ଥିବାରୁ ବିଭିନ୍ନ ସମୟରେ ଦାବୀ, ଆଲୋଚନା ଏପରିକି ଆନ୍ଦୋଳନ ହୋଇ ଆସୁଛି । ବିଭିନ୍ନ ସମୟରେ ରେଳଯାତ୍ରୀ ସୁରକ୍ଷା ମଂଚ, ବଣିକ ସଂଘ ଓ ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ରେଳ ଡିଆର୍ଏମ୍, ଦକ୍ଷିଣପୂର୍ବ ରେଳବାଇର ଜେନେରାଲ ମ୍ୟାଜେତର ଓ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଛି । ଗତ ୩ମାସ ତଳେ ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ଆଇନ୍ଜିବୀ ରାମଚନ୍ଦ୍ର ଜେନା ଓ ଅନ୍ୟକେତେକ ବରିଷ୍ଠ ସଦସ୍ୟ କୋଲକତାର ଗାର୍ଡେନରିଚସ୍ଥିତ ଜିଏମ୍, ଦିଲ୍ଲୀସ୍ଥିତ ରେଳମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହ ଆଲୋଚନାରେ ୮ଟି ଟ୍ରେନର ରହଣି, ଏକ ପାସେଞ୍ଜର ଟ୍ରେନର ଚଳାଚଳ ଓ ଜଳେଶ୍ୱର ରେଳ ଷ୍ଟେସନର ବିକାଶ ଲାଗି ଆଲୋଚନା କରିଥିଲେ । ଏ ସଂପର୍କରେ ବାଲେଶ୍ୱର ସାଂସଦ ଅବଗତ ହୋଇ ଦାବୀ କରି ଆସୁଥିବାରୁ ଗତ ଜାନୁଆରୀ ୨୭ ତାରିଖରେ ପୁରୁଳିଆ ଭିଲୁପୁରମ୍ (୨୨୬୦୫ ଓ ୨୨୬୦୬) ସୁପରଫାଷ୍ଟ ଟ୍ରେନ ଜଳେଶ୍ୱରରେ ଓ ୨୬ ତାରିଖରେ ହଳିଦିଆ -ଚେନ୍ନାଇ ସୁପରଫାଷ୍ଟ ଟ୍ରେନ ବାଲେଶ୍ୱରଠାରେ ଅଟକିବ ବୋଲି ରେଳବାଇ ପକ୍ଷରୁ ଘୋଷଣା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । କିନ୍ତୁ ୨ଟି ଟ୍ରେନ ଅଦ୍ୟାବଧି ଅଟକୁନଥିବାରୁ ରେଳ ଯାତ୍ରୀ ସୁରକ୍ଷା ମଂଚ ପକ୍ଷରୁ ଆନ୍ଦୋଳନର ସୂଚନା ମିଳିଛି । ଏହା ଜଣାଯିବାପରେ ସ୍ଥାନୀୟ ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ରାମଚନ୍ଦ୍ର ଜେନା, ସଦସ୍ୟ ଅଜିତ୍ ମହାନ୍ତି, ସୁକୁମାର ରଣା, ଆଦିତ୍ୟ କୁମାର ପାତ୍ର, ଡ. ରମାକାନ୍ତ ଭଂଜ, ମଧୁଛନ୍ଦା ମହାନ୍ତି, ଶରତ ଚନ୍ଦ୍ର ପରିଡା, ଶତୃଘ୍ନ ରାଉଳ ଓ ଅବନୀ ଚାନ୍ଦ ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲିଖିତଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟପକ୍ଷରେ ରେଳଯାତ୍ରୀ ସୁରକ୍ଷା ମଂଚ ପକ୍ଷରୁ ରେଳମନ୍ତ୍ରୀ, ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଉପରୋକ୍ତ ୨ ଟ୍ରେନ ବ୍ୟତୀତ ଖଡଗପୁର-ଭିଲୁପୁରମ୍ (୨୨୬୦୩ ଓ ୨୨୬୦୪) ଟ୍ରେନର ଜଳେଶ୍ୱରରେ ଅଟକ ଲାଗି ଦାବୀ ଜଣାଇଛନ୍ତି । ଅନ୍ୟଥା ଆନ୍ଦୋଳନର ସିଦ୍ଧାନ୍ତ ସଂପର୍କାରେ ସୂଚନା ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା