ପୁର୍ତ୍ତ ବିଭାଗର ଅଣଦେଖା : ନିର୍ମାଣାଧିନ ରେଳ ଓଭରବ୍ରିଜ୍ ଡାଇଭରସନ୍ ରୋଡ ପାଲଟିଛି ମରଣଯନ୍ତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁଚର୍ଚ୍ଚିତ ୪୫ନଂ ଜଳେଶ୍ୱର ନୂଆବଜାରସ୍ଥିତ ରେଳ ଓଭରବ୍ରିଜ୍ ନିର୍ମାଣ ବେଳେ ଏହାର ଡାଇଭର୍ସନ ରୋଡର ଦୂରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଆସୁଛି । ବର୍ଷା ହେଲେ ଏହି ରାସ୍ତାଟି କାଦୁଅ ପଚ ପଚ ହେଉଥିବା ବେଳେ ବ୍ରିଜ୍ ନିର୍ମାଣ ଶେଷ ହେବାକୁ ଦୀର୍ଘ ସମୟ ଲାଗୁଥିବାରୁ ଏହି ଡାଇଭର୍ସନ ରୋଡ ପିଚ କିମ୍ବା କଂକ୍ରିଟ ନ ହେବା ପୁର୍ତ୍ତବିଭାଗର ଉଦାସୀନତାକୁ ଦାୟୀ କରାଯାଇଛି । ୨୦୧୦ ମସିହାରୁ ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ରାସ୍ତାର ନୂଆବଜାରଠାରେ ଏକ ରେଳ ଓଭରବ୍ରିଜ୍ ନିର୍ମାଣଲାଗି ଦାବି ହୋଇ ଆସୁଥିଲା । ଏଥିପାଇଁ ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନା ଓ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଚେଷ୍ଟାରେ ମୋଟ ୬୨କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରିବାକୁ ପୁର୍ତ୍ତବିଭାଗ କାର୍ଯ୍ୟାଦେଶ ଦେଇଛି । ଏହି କାର୍ଯ୍ୟ ୧୧-୯-୧୮ରୁ ଆରମ୍ଭ ହୋଇଥିବା ବେଳେ ୧୦-୯-୨୦୨୦ରେ ଶେଷ ହେବାକଥା । ପ୍ରାୟ ୧ କି.ମି. ଲମ୍ବର ପୋଲଟି ନିର୍ମାଣ ହେବାକୁ ଥିବା ବେଳେ ରେଳବାଇ ସ୍ଥାନକୁ ବାଦ୍ଦେଲେ ମୋଟ ୩୫ କୋଟି୬୧ଲକ୍ଷ ୫୫ହଜାର୬୪୩ ଟଙ୍କାରେ ପୋଲ ନିର୍ମାଣ ଓ ଡାଇଭର୍ସନ ରୋଡ କରାଯିବାକୁ ଠିକାଦାର ଆଶିର୍ବାଦ କନ୍ଷ୍ଟ୍ରକସନ୍ ଠିକା ନେଇଛି । ପୁର୍ତ୍ତବିଭାଗର ଉଦାସୀନତା ଯୋଗୁଁ ଜମି ଅଧିଗ୍ରହଣ ହୋଇନଥିବା ବେଳେ ନିର୍ମାଣ ହେବାକୁ ଥିବା ୨୩ଟି ପିଲର କାର୍ଯ୍ୟ ନାମକୁ ଆରମ୍ଭ ହୋଇଛି । ଉଡନ୍ତାପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟଏକ ଡାଇଭର୍ସନ ରୋଡ ନିର୍ମାଣ ହେବାକଥା । ପୋଲକାର୍ଯ୍ୟ ଶେଷ ହେବାକୁ ୪/୫ବର୍ଷ ସମୟ ଲାଗୁଥିବାରୁ ଏହି ଡାଇଭର୍ସନ ରାସ୍ତାକୁ ପିଚ କିମ୍ବା କଂକ୍ରିଟ କରାଯିବାକୁ ଜନସାଧାରଣ କାର୍ଯ୍ୟ ଆରମ୍ଭରୁ ଦାବି କରିଆସୁଛନ୍ତି । ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ ବେଳେ ଡାଇଭର୍ସନରୋଡ ହେବା ନିୟମ ଥିବା ବେଳେ ଏ କ୍ଷେତ୍ରରେ ଠିକାଦାର ଓ କର୍ତ୍ତୃପକ୍ଷ ଆଖିବୁଜି ଦେଇଛନ୍ତି । ଏବେ ବର୍ଷା ଲାଗି ରହିଥିବାରୁ ଡାଇଭର୍ସନ ରୋଡଟି ଗର୍ତ୍ତମୟ ହେବା ସାଂଗକୁ ମରଣ ଯନ୍ତାରେ ପରିଣତ ହୋଇଛି । ତେଣୁ ପୁର୍ତ୍ତବିଭାଗ ଯଥାଶୀଘ୍ର ଏଠାରେ ଡାଇବର୍ସନରୋଡଟି ପିଚ କିମ୍ବା କଂକ୍ରିଟ କରାନଗଲେ ସହରବାସୀଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କେତେକ ବୁଦ୍ଧିଜିବୀ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା