

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୧୯ତମ ଜୟନ୍ତୀ ସ୍ଥାନୀୟ କୋର୍ଟପେଟା ହାଇସ୍କୁଲ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଭାଯାତ୍ରାରେ ଆସି ସ୍କୁଲ ପରିସରରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ସମିତି ସଭାପତି ବଂଶିଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଆଲୋଚକ ଭାବେ ବିଭିନ୍ନ ବକ୍ତଗଣ ଶହୀଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ତେନ୍ତୁଳି ଗୁମ୍ମା ଭଳି ମଫସଲ ଅଞ୍ଚଳରେ ଜନ୍ମ ଗ୍ରହଣ କରି ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଦେଶ ସ୍ୱାଧୀନ କରିବାର ନିଷ୍ଠୁର ଶପଥ ନେଇ ହସି ହସି ନିଜର ପ୍ରାଣବଳୀ ଦେଇଗଲେ । ଆମର ଶହୀଦ ଭାବେ ସୂର୍ଯ୍ୟ ଯେତେଦିନ ଯାଏଁ ଥିବ ସେ ଭାରତୀୟମାନଙ୍କର ଚିର ସ୍ମରଣୀୟ ଓ ପୂଜ୍ୟ ହୋଇ ରହିବେ । ସର୍ବ ଭାରତୀୟ ସ୍ତରରେ ଯେତେବେଳେ ବ୍ରିଟିଶ ବିରୁଦ୍ଧରେ ଜଗରଣ ଆରମ୍ଭ ହେଲା ସିପାହୀ ବିଦ୍ରୋହ ପାଇଁ ଆଦିବାସୀମାନେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା, ଗୁଣୁପୁର, ରାୟଗଡା ଅଞ୍ଚଳକୁ ମିଶାଇ ଏକ ସାଙ୍ଗଠନ କଲେ ଯାହାକୁ ‘ସୁନା ଗାରବ ମେଳି’ କୁହାଯାଏ । ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ ନିଜ ଘରସଂସାର ଗାଁ କଥା ଭୁଲି ସ୍ଵରାଜ୍ୟ କଥା ଚିନ୍ତା କରୁ କରୁ ଦେଶଦ୍ରୋହୀ ଓ ବ୍ରିଟିଶର ଚକ୍ରାନ୍ତରେ ପ୍ରାଣବଳୀ ଦେଇ କହିଲେ “ମୋର ମୃତ୍ୟୁ ହେଉ ପଛେ, ହେଲେ ସମାଜରେ ନିର୍ଯ୍ୟାତନା ନ ରହୁ ”. ସଭ୍ୟତାର ଆଲୋକରୁ ଦୂରରେ ଥାଇ ପାନକରୁ ପଦ୍ମ ଫୁଟିଲା ଭଳି ବୀର ଲକ୍ଷ୍ମଣ ନାୟକ ଦେଶପ୍ରୀତିର ପରିଚୟ ଦେଇ ଯାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଭାକର ସାହୁ, ଆର. ସତ୍ୟନାରାୟଣ ରାଓ, ପଦ୍ମ ଚରଣ ଦାଶ, ମାଗୁଣୀ ନାହାକ, ଭିଷ୍ମଆଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଗୌରୀ ଶଙ୍କର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାରଣା, ଅଜିତ କୁମାର ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ମମତା ସାହୁ, ପ୍ରଦୀପ କୁମାର ସାହୁ ସମତେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


