ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବୀ ପ୍ରସନ୍ନ ଚନ୍ଦ ବିଜେପିରେ ଯୋଗ ଦେବାର ପ୍ରାଥମିକ ପ୍ରସ୍ତୁତି ଚୁଡାନ୍ତ ହୋଇଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଗତ କିଛିଦିନ ଧରି ଶ୍ରୀ ଚନ୍ଦ, କଂଗ୍ରେସର ନୀତି ଦୃଷ୍ଟିରୁ ସନ୍ଦିହାନ ହୋଇ ପଡିଥିଲେ । ସମାଜସେବୀ ସୁଦର୍ଶନ ଦାସ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦିଲ୍ଲୀଠାରେ କଂଗ୍ରେସରେ ମିଶି ଥିବାରୁ ଏବଂ କଂଗ୍ରେସ ଦଳ ତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଶ୍ରୀ ଚାନ୍ଦ ଆସନ୍ତା ନିର୍ବାଚନରେ ଟିକଟ କଂଗ୍ରେସ ଦଳରୁ ପାଇବା ନେଇ ଚିନ୍ତିତ ହୋଇ ପଡିଥିଲେ । ତେଣୁ ଗତ କିଛିଦିନ ଧରି ବିଜେପିରେ ଯୋଗ ଦେଇଥିବା ତଥା ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ କଂଗ୍ରେସ ବିଧାୟକ ଜୟନାରାୟଣ ମହାନ୍ତି ଓ ପୂର୍ବତନ ଜିଲାପରିଷଦ ସଭ୍ୟ ଧ୍ରୁବଚରଣ ପାଳ ପ୍ରମୁଖଙ୍କ ସହିତ ଯୋଗସୂତ୍ରରେ ଥିଲେ । ଗତ ରବିବାର ରାତିରେ ଶ୍ରୀ ଚାନ୍ଦ ଚାଲନ୍ତିସ୍ଥିତ ଶ୍ରୀ ପଳାଙ୍କ ଫାର୍ମହାଉସ୍ରେ ଦୀର୍ଘ ସମୟଧରି ଆଗାମୀ ଦିନର କାର୍ଯ୍ୟପନ୍ଥ ନିମନ୍ତେ ଖସଡା ପ୍ରସ୍ତୁତ କରିଥିଲେ । ବସ୍ତାରୁ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ଥିବା ଜୟନାରାୟଣ ମହାନ୍ତି ଏବେ ଜଳେଶ୍ୱର ବିଜେପିରେ ଯୋଗ ଦେଇ ଥିବାରୁ ତାଙ୍କ ସମର୍ଥକମାନେ ବସ୍ତାରେ ଶ୍ରୀ ଚାନ୍ଦଙ୍କୁ କିପରି ସହାୟତା କରିବେ ସେଥିନେଇ ବିସ୍ତ୍ରୁତ ଆଲୋଚନା ହୋଇଥିବାର ଶ୍ରୀ ଧ୍ରୁବଚରଣ ପାଳ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି । ଜଳେଶ୍ୱର ଅଂଚଳରେ ଶ୍ରୀ ଚାନ୍ଦଙ୍କ କଂଗ୍ରେସ ଗୋଷ୍ଠୀ ବିଜେପିକୁ ସହାୟତ କରିବା ବିନିମୟରେ ଜୟନାରାୟଣଙ୍କ ଗୋଷ୍ଠୀ ବସ୍ତାରେ ଦେବୀ ପ୍ରଶନ୍ନଙ୍କୁ ନିର୍ବାଚନରେ ସହାୟତା କରିବା ନେଇ ଆଲୋଚନା ଶେଷ ହୋଇଥିବା ଜଣାଯାଇଛି । ଆସନ୍ତା ଦିନେ ବା ଦୁଇଦିନ ମଧ୍ୟରେ ବିଜେପି ପକ୍ଷରୁ ଦେବୀ ପ୍ରସନ୍ନ ଚାନ୍ଦଙ୍କ ନାମ ଘୋଷଣା ହେବ ବୋଲି ବିଜେପି ନଗର ସଭାପତି ଧ୍ରୁବଚରଣ ପାଳ ପ୍ରକାଶ କରିଛନ୍ତି । ଏ ସଂପର୍କରେ ଦେବୀପ୍ରସନ୍ନ ଚନ୍ଦଙ୍କୁ ମତାମତ ଲୋଡିବାରୁ ସମୟ ବଡ ବଳବାନ ବୋଲି କହି ପ୍ରଶ୍ନକୁ ଏଡାଇ ଯାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା