

ବ୍ରହ୍ମପୁର(ସମୃଦ୍ଧ ଓଡିଶା)୧୯୯୮ ମସିହାରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ଘଟିଥିବା ଏକ ହତ୍ୟାକାଣ୍ଡର ଆଜି ଶୁଣାଣି ହୋଇଛି । ଏହି ହତ୍ୟାକାଣ୍ଡରେ ପୋଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟ ଘଟିଥିଲା । ସେତେବେଳେ ପୋଲିସ ପୂର୍ବତନ ବିଧାୟକ ନାରାୟଣ ରେଡିଙ୍କ ସମେତ ତାଙ୍କ ସହଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ୨୫ ବର୍ଷ ପରେ ଆଜି ଚୁଡାନ୍ତ ରାୟ ପ୍ରକାଶ ପାଇଛି। ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡିଙ୍କ ସମେତ ତାଙ୍କ ସହ ସହଯୋଗୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାୟ ପ୍ରକାଶ ବେଳେ ସମସ୍ତ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇଥିଲେ। ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡିଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ। ସେମାନଙ୍କୁ କୋର୍ଟରୁ କଡ଼ା ସୁରକ୍ଷା ଭିତରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଛି । ମୋକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଦୋଷୀଙ୍କ ଭିତରେ ଜଣେ ପକ୍ଷାଘାତ ରୋଗୀ ରହିଥିବା ସୁଚନା ମିଳିଛି। ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଲୋକଙ୍କ ଉପରେ ପୋଲିସ ଆକ୍ରମଣ କଲା I ଆଉ ପୋଲିସ ଉପରକୁ କିଏ ଜଣେ ବୋମାଟିଏ ଫିଙ୍ଗି ଦେଲା I ବୋମା ଫିଙ୍ଗିବେ ନାହିଁ ତ ଆଉ କଣ କରିଥାନ୍ତେ I ଲୋକଙ୍କ ଉପରେ ଆକ୍ରମଣ କରିବାର ପୋଲିସର ଅଧିକାର ଅଛି ହେଲେ ପୋଲିସକୁ ବୋମା ଫିଙ୍ଗିବାର ଲୋକଙ୍କ ଅଧିକାର କାହିଁକି ନାହିଁ ବୋଲି ପ୍ରଶ୍ନ କରିବା ସହ ଯିଏ ବୋମା ଫିଙ୍ଗିଛି ତାକୁ ଦଣ୍ଡିତ କର I ସାଧାରଣ ଲୋକଙ୍କୁ ଓ ଚାଷୀଙ୍କୁ ନ୍ୟାୟ ନାହିଁ ସେଥିପାଇଁ ଆମେ ମର୍ମାହତ I ଏହି ରାୟ ବିରୁଦ୍ଧରେ ଉପର କୋର୍ଟ ଯିବୁ ବୋଲି କହିଲେ ନାରାୟଣ ଏବଂ ଜେଲ ଗଲେ I
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
