ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ପ୍ରଶାସନ ଅଧିକାରୀମାନେ ଓ ସାମାଜିକ ବ୍ୟକ୍ତିମାନେ ଏହି ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ରଙ୍ଗବେରଙ୍ଗରେ ଅଭିନୟ କରି ଏଥିପ୍ରତି ଲୋକଙ୍କୁ ଆକର୍ଷିତ କରୁଥିବା ଦେଖାଯାଉଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ମାସ୍କ ପିନ୍ଧିବା, ଘରୁ ନ ବାହାରିବା, ଭଲ ରୂପେ ସାବୁନରେ ହାତ ଧୋଇବା, ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଆଦି ଉପରେ ଗୁରୁତ୍ୱ ଦେଇ ସାମାଜିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଅଭିନୟ କରି ଲୋକଙ୍କୁ ସଚେତନ କରିବା ଦେଖିବାକୁ ମିଳୁଛି । ସେହିଭଳି ଢେଙ୍କାନାଳ ପୋଲିସ ପ୍ରଶାସନର ଏକ ନୂତନ ଧରଣର ସଚେତନତା ଅଭିଯାନକୁ ପ୍ରଶଂସା କରାଯାଇଛି । ଏଠିକାର ଟାଉନ ପୋଲିସ ଜଣେ କର୍ମଚାରୀ ଚକୁଳିଆ ପଣ୍ଡା ରୂପେ ସଜିତ ହୋଇ ଢେଙ୍କାନାଳ ସହରର ବିଭିନ୍ନ ଅଞ୍ଚଳ ବୁଲି କରୋନା ସମ୍ପର୍କରେ ଗୀତ ଗାଇ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ପୋଲିସ ଅଭିନବ ଢଙ୍ଗରେ ଗୀତ ଗାଇ ଲୋକ ମାନଙ୍କୁ ସଚେତନ କରୁଥିବାରୁ ପୋଲିସର ଏପରି ସାମାଜିକ କର୍ତ୍ତବ୍ୟ ପାଇଁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । କରୋନା ଭଳି ମହାମାରୀର ମୁକାବିଲା କରିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ଆଗାମୀ ମଇ ୩ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରିଛନ୍ତି । ସମସ୍ତେ ଘରେ ରହିବା ସହ ସମସ୍ତେ ସୁସ୍ଥ ରୁହନ୍ତୁ ବୋଲି ଦେଶବାସୀଙ୍କୁ ବାରମ୍ବାର ନିବେଦନ କରୁଛନ୍ତି । ତେବେ ଆଜି ଟାଉନ୍ ଥାନା ଆଇ.ଆଇ.ସି ଜ୍ଞାନ ରଞ୍ଜନ ସାମଲଙ୍କ ନେତୃତ୍ତ୍ୱରେ ପୋଲିସ କର୍ମଚାରୀ ମାନେ ସହରର ରଥଗଡ଼ା ଠାରୁ ଏକ ରାଲିରେ ବାହାରି ଚକୁଳିଆ ପଣ୍ଡା ବେଶ ହୋଇ ମାଇକ ଲଗାଇ ଗୀତ ଗାଇ ଗାଇ କରୋନା ଭୁତାଣୁ ସଂକ୍ରମଣରୁ ବର୍ତ୍ତିବା ଦିଗରେ ଲୋକଙ୍କୁ ସଚେତନ କରାଉଥିବା ଦୃଶ୍ୟ ଦେଖି ଯେ କେହି ହେଲେ ଢେଙ୍କାନାଳ ପୋଲିସକୁ ଧନ୍ୟବାଦ ଦେବାରେ ପଛାଇ ନାହାନ୍ତି । ଢେଙ୍କାନାଳ ପୋଲିସର ଟାଉନ ଥାନା ଅଧିକାରୀ ଆଇ.ଆଇ.ସି ଜ୍ଞାନ ରଞ୍ଜନ ସାମଲଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ସୁରେଶ ଚନ୍ଦ୍ର ପଣ୍ଡା ଚକୁଳିଆ ପଣ୍ଡା ଭାବେ, ଦ୍ଵିତୀୟ ଚକୁଳିଆ ପଣ୍ଡା ଭାବେ ମାୟାଧର ପ୍ରଧାନ, କରୋନା ସମ୍ପର୍କରେ ଗାୟକ ଭାବେ ବିରେନ ପ୍ରଧାନ ରାଲିରେ ସାମିଲ ହୋଇ ଲୋକଙ୍କୁ ସଚେତନ କରାଇଥିଲେ । କରୋନା ସମ୍ପର୍କରେ ଗୀତ ଲେଖିଥିଲେ ପୋଲିସ କର୍ମଚାରୀ ମହେଶ୍ୱର ନାୟକ ।
ରିପୋର୍ଟ : ଶୁଭମ ପାଣି