ପ୍ରକାଶ ପାଇଲା ଦକ୍ଷିଣାଞ୍ଚଳ +୨ ବିଜ୍ଞାନ ଫଳାଫଳ:ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୪.୬୧% ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬.୨୦% ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ବାରଟା ସମୟରେ ଭୁବନେଶ୍ୱର ସ୍ଥିତ ‘ଜୟଦେବ ଭବନ’ ପ୍ରେକ୍ଷାଗୃହରେ ଆନୁଷ୍ଠାନିକ ଭାବେ +୨ ବିଜ୍ଞାନ ଫଳାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ, ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସଚିବ ମୋନାଲିସା ମହାନ୍ତି, ପ୍ରାଶାସନିକ ଅଧିକାରୀ ଦେବଯାନୀ ଧଳ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ, ଉପ-ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ଦାଶ, ସହକାରୀ ପରୀକ୍ଷା ନିୟନ୍ତ୍ରକ ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସମଗ୍ର ରାଜ୍ୟରେ ମୋଟ ୯୭, ୭୫୦ ପରୀକ୍ଷାର୍ଥୀ ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭୦, ୭୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ତନ୍ମଧ୍ୟରୁ ୨୦, ୮୦୬ ଜଣ ପ୍ରଥମ, ୨୩, ୯୦୪ ଜଣ ଦ୍ଵିତୀୟ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ରାଜ୍ୟରେ ଫଳାଫଳ ହାର ରହିଛି ୭୨.୩୩ ପ୍ରତିଶତ । ସମଗ୍ର ରାଜ୍ୟରେ ଚଳିତ ବର୍ଷ ୬୦ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୬.୫୬% ପାସ ହାର ରହିଥିବା ବେଳେ ଗଜପତି ଜିଲ୍ଲାରେ ସର୍ଵନିମ୍ନ ୩୬.୨୦% ପାସ ହାର ରହିଛି । ନଅଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫଳାଫଳ ଶୂନ ରହିଥିବା ବେଳେ ୨୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ଛାତ୍ରୀଙ୍କ ପାସ ହାର ୭୫.୦୨% ହୋଇଥିବା ବେଳେ ଛାତ୍ରଙ୍କ ପାସ ହାର ୭୦.୪% ରହିଛି । ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ ଚଳିତ ବର୍ଷ ସର୍ବମୋଟ ୧୯,୬୭୩ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ସ୍ରୋତରେ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯,୩୪୮ ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୨,୪୧୩ ଜଣ ଅର୍ଥାତ ୫୨.୪୭ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୦୮୪ ଜଣ ପ୍ରଥମ ଶ୍ରେଣୀ, ୩୯୬୪ ଜଣ ଦ୍ଵିତୀୟ ଶ୍ରେଣୀ ଓ ୫୨୪୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଉପସଚିବ ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ବିଜ୍ଞାନ ସ୍ରୋତରେ ମୋଟ ୧୦,୯୩୯ ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୧୦,୮୪୩୦, ୮୪୩ ପରୀକ୍ଷାର୍ଥୀ । ତନ୍ମଧ୍ୟରୁ ୮,୦୯୦ ଜଣ ଅର୍ଥାତ ୭୪.୭୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୨୩୧୮ ଜଣ ପ୍ରଥମ, ୨୭୨୦ ଜଣ ଦ୍ଵିତୀୟ ଓ ୨୯୬୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୭ ଜଣ କମ୍ପାର୍ଟମେଣ୍ଟରେ ପାସ କରିଛନ୍ତି । ୧୬ ଜଣ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ । ଗଜପତି ଜିଲ୍ଲାରେ ବିଜ୍ଞାନ ପରୀକ୍ଷା ପାଇଁ ୧୦୪୩ ଫର୍ମପୂରଣ କରିଥିବା ବେଳେ ୧୦୧୧ ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୩୬୬ ଜଣ ଅର୍ଥାତ ୩୬.୦୨ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ବ୍ରହ୍ମପୁର ଜୋନରେ ବିଜ୍ଞାନ ସ୍ରୋତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୪.୬୧ ପ୍ରତିଶତ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଏହି ସୂଚନାରୁ ଜଣାପଡ଼ିଛି । କୋରାପୁଟ ଜିଲ୍ଲାରେ ଫର୍ମପୂରଣ କରିଥିବା ୨୬୯୪ ମଧ୍ୟରୁ ୨୬୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୩୯୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳାଫଳ ହାର ରହିଛି ୫୨.୭୫ ପ୍ରତିଶତ । ୪୦୦ ଜଣ ପ୍ରଥମ ଶ୍ରେଣୀରେ, ୪୨୫ ଜଣ ଦ୍ଵିତୀୟ ଶ୍ରେଣୀରେ, 562ଜଣ ତୃତୀୟ ଶ୍ରେଣୀରେ, ୩ ଜଣ କମ୍ପାର୍ଟମେଣ୍ଟାଲର ପାସ କରିଥିବା ବେଳେ ୧୩ ଜଣ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ଫର୍ମପୂରଣ କରିଥିବା ୧୧୨୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦୯୩ ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୬୬୪ ଜଣ ଅର୍ଥାତ ୬୦.୭୫ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ୭୩ ଜଣ ପ୍ରଥମ, ୧୭୭ ଦ୍ଵିତୀୟ, ୪୧୦ ତୃତୀୟ ଶ୍ରେଣୀରେ, ୪ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ ୭ ଜଣ ଏମ.ପି. ଅଭିଯୁକ୍ତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଫର୍ମପୂରଣ କରିଥିବା ୧୨୫୯ ମଧ୍ୟରୁ ୧୨୨୯ ଜଣ ପରୀକ୍ଷା ଦେଇଥିଲେ । ୫୭୯ ଜଣ ଅର୍ଥାତ ୪୭.୧୧ ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୭୩ ଜଣ ପ୍ରଥମ, ୧୬୯ ଜଣ ଦ୍ଵିତୀୟ, ୩୨୮ ଜଣ ତୃତୀୟ ଶ୍ରେଣୀରେ, ୯ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ ୧୫ ଜଣ ଏମ.ପି. ଅଭିଯୁକ୍ତ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାରେ ଫର୍ମପୂରଣ କରିଥିବା ୧୮୫୪ ମଧ୍ୟରୁ ୧୮୧୮ ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୧୦୨୭ ଜଣ ଅର୍ଥାତ ୫୬.୪୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୮୭ ଜଣ ପ୍ରଥମ, ୩୩୮ ଜଣ ଦ୍ଵିତୀୟ, ୪୮୯ ଜଣ ତୃତୀୟ, ୧୩ ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ ୫ ଜଣ ମାଲ ପ୍ରାକ୍ଟିସ ଅଭିଯୁକ୍ତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ଫର୍ମପୂରଣ କରିଥିବା ୧୫୫ ମଧ୍ୟରୁ ୧୫୨ ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୮୨ ଜଣ ଅର୍ଥାତ ୫୩.୯୪ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୬ ଜଣ ପ୍ରଥମ, ୨୯ ଜଣ ଦ୍ଵିତୀୟ, ୪୭ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ଫର୍ମପୂରଣ କରିଥିବା ୬୦୨ ମଧ୍ୟରୁ ୫୬୭ ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୨୧୫ ଜଣ ଅର୍ଥାତ ୩୭.୯୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୧ ଜଣ ପ୍ରଥମ, ୫୧ ଜଣ ଦ୍ଵିତୀୟ, ୧୫୩ ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ୩ ଜଣ ଏମ.ପି.ରେ ଅଭିଯୁକ୍ତ ହୋଇଛନ୍ତି । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ନୀଳକଣ୍ଠେଶ୍ୱରନଗର ସରସ୍ୱତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱର ସହ +୨ ବିଜ୍ଞାନ ପରୀକ୍ଷାରେ ସଫଳତା ପାଇଥିବା ଡ. ଓଝା କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା