ବିଜୟୱାଡା (ସମୃଦ୍ଧ ଓଡିଶା) ପ୍ରକୃତ ଶିକ୍ଷା ଲାଭ ପାଇଁ ଯୁବକମାନେ ଗ୍ରାମାଭିମୁଖି ହେବାର ଆବଶ୍ୟକତା ରହିଛି ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ହିଁ ମିଳିଥାଏ ପ୍ରକୃତ ଶିକ୍ଷା । ଉଚ୍ଚ ଶିକ୍ଷିତ ଯୁବକ ମାନେ ଗ୍ରାମାଞ୍ଚଳ ଭ୍ରମଣ କରି ଗାଁ ଗହଳିର ଲୋକମାନଙ୍କ ଠାରୁ ସେମାନଙ୍କ ଜୀବନ ଶୈଳୀ, ଆଦାନ ପ୍ରଦାନ, ଭାତୃତ୍ୱ ମନଭାବ ଶିକ୍ଷା ନେବା ଉଚିତ । କାହିଁକି ନା ଗ୍ରାମାଞ୍ଚଳରେ ହିଁ ପ୍ରକୃତ ଶିକ୍ଷା ରହିଥାଏ ବୋଲି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗୁଣ୍ଟୁରୁ ଠାରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସମାବେଶରେ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱଵିଦ୍ୟାଳୟରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶିକ୍ଷାର ଗୁଣାତ୍ମକମାନ ବଢାଇବା ନିମନ୍ତେ ଉଚ୍ଚ ଶିକ୍ଷିତ ଯୁବକ ମାନଙ୍କୁ ଗାଁ’କୁ ଯାଇ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମାବେଶରେ ଉଚ୍ଚ ଶିକ୍ଷା ବିଭାଗର ବହୁ ଛାତ୍ର ଯୋଗ ଦେଇଥିବା ବେଳେ ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ରମାନଙ୍କ ସମେତ ଶିକ୍ଷକ, ଅଧ୍ୟାପକ, ଭାଇସ ଚାନ୍ସଲେର ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଆନ୍ଧ୍ର ପ୍ରଦେଶ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଜେ.ଏସ.ଭି ପ୍ରସାଦ, ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର କେ.ହେମାଚନ୍ଦ୍ର ରେଡ୍ଡୀ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦର ଅଧ୍ୟକ୍ଷ ଡବ୍ଲ୍ୟୁ.ଜି ପ୍ରସନ୍ନ କୁମାର, ୟୁନିସେଫର ଦୁର୍ବିପାକ ସୁରକ୍ଷା ଅଧିକାରୀ ଡ଼କ୍ଟର ମହେନ୍ଦ୍ର ରାଜାରାମ, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର କୁନରାମ ଜିଙ୍କ ସମେତ ଅନ୍ୟାନ୍ୟ ବିଶ୍ୱ ବିଦ୍ୟାଳୟର କୁଳପତି ମାନେ ଯୋଗ ଦେଇଥିଲେ ।