

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅନିୟମିତ ବର୍ଷାରେ ବ୍ରହ୍ମପୁର ସହରକୁ ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ବ୍ରହ୍ମପୁରରେ ସ୍ୱରେଜ ବ୍ୟବସ୍ଥା କରାଯାଉ-ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକ ପତ୍ର ରାଜ୍ୟ ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଦାନ କରାଯାଇଥିଲା । ଗତ ଅନିୟମିତ ବର୍ଷାରେ ବ୍ରହ୍ମପୁର ସହରର ବ୍ୟାପକ ଅଞ୍ଚଳରେ ଜନସାଧାରଣ ଜଳବନ୍ଦୀ ମଧ୍ୟରେ ଫସି ରହିବା ସହ ଦୁର୍ଗନ୍ଧ ନାଳ ପାଣି ଘର ଭିତରେ ପଶିବା ଫଳରେ ଜୀବାଣୁଜନିତ ରୋଗ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି । ସମସ୍ତ ତଳିଆ ଅଞ୍ଚଳର କୂପ ଗୁଡିକ ନଷ୍ଟ ହେବା, ଜଳମଗ୍ନ ଅଞ୍ଚଳ ଗୁଡିକରେ ପଚାସଢ଼ା ଦୁର୍ଗନ୍ଧ ଦ୍ୱାରା ପରିବେଶ ଦୂଷିତ ହେବା ସହ ବହୁ ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ସହରର ଜଳ ନିଷ୍କାସନ ବ୍ୟବସ୍ଥା ଠପ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ପରୀପ୍ରେକ୍ଷିରେ ବ୍ରହ୍ମପୁରରେ ସ୍ୱରେଜ ନିର୍ମାଣ କରିବାରେ ରାଜ୍ୟ ସ୍ୱରେଜ ବୋର୍ଡ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଓ ପୁରୀ ଭଳି ସହରରେ ସ୍ୱରେଜ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରହ୍ମପୁର ସହରକୁ କାହିଁକି ଅବହେଳା କରାଯାଇଛି ? ଗତ କେନ୍ଦ୍ରୀୟ ଆର୍ଥିକ ବର୍ଷରେ ବ୍ରହ୍ମପୁର ସହର ପାଇଁ ସ୍ୱରେଜ ବ୍ୟବସ୍ଥା ନିମନ୍ତେ ଆର୍ଥିକ ଅନୁଦାନ ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରହ୍ମପୁର ଭଳି ଗୁରୁତ୍ୱପୂର୍ଣ୍ଣ ସହରକୁ ବାଦ ଦେବା ଦୁର୍ଭାଗ୍ୟଜନକ ବୋଲି ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି କରାଯାଉଛି । ଏଣୁ ବ୍ରହ୍ମପୁର ସହରରେ ତୁରନ୍ତ ସ୍ୱରେଜ ନିର୍ମାଣ ସହ ୱାଟର ଟ୍ରିଟମେଣ୍ଟ ସେଣ୍ଟର ଖୋଲାଯିବା ନିମନ୍ତେ ଏକ ଜଳ ନିଷ୍କାସନ ଡି.ପି.ଆର ପ୍ରସ୍ତୁତ ସହିତ କାର୍ଯ୍ୟକାରୀ କରାଯିବା ନିତାନ୍ତ ଆବଶ୍ୟକ । ସ୍ୱରେଜ ନିର୍ମାଣ ପାଇଁ ପ୍ରଗତିଶୀଳ ଉତ୍କଳ ସମାଜର ମୁଖ୍ୟ ଉପଦେଷ୍ଠା ବଳରାମ ଦାସ, ଜିଲ୍ଲା ସଭାପତି ତଥା ଆଇନଜୀବୀ ପ୍ରଦୀପ୍ତ କୁମାର ମିଶ୍ର, ଉପ-ସଭାପତି ଭି. ତାରିଣୀ କୁମାର, ଜିଲ୍ଲା ସମ୍ପାଦକ ଲିଙ୍ଗରାଜ ମହାପାତ୍ର, ନଗର ସଭାପତି ଜଗଦାନନ୍ଦ ଦାଶ, ସମ୍ପାଦକ ଉମାକାନ୍ତ ନାୟକ, ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କୁମାର ମୁନି, ସାଙ୍ଗଠନିକ ସମ୍ପାଦକ ତଥା ଆଇନଜୀବୀ ଆଦିତ୍ୟ ନାୟକ, ଶିକ୍ଷାବିତ ଗୋପାଳକୃଷ୍ଣ ପାଢ଼ୀ, ରବୀନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ବେହେରା, ରବି ରାଉତରାୟ, ଡି. କେଶବ ରାଓ, ଅନନ୍ତ ଆପଟ, ଗୌରୀ ଶଙ୍କର ମହାନ୍ତି, ବାସୁଦେବ ବିଷୋୟୀ, କୁଶ ବେହେରା, ପଦ୍ମ ଚରଣ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
