ଭଞ୍ଜନଗର (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ ବାତ୍ୟା ଅଫନ ପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ପୁରା ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ପ୍ରବଳ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି । ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ବଢିବା ସହ ଦିନ ତମାମ ଗୁଳୁଗୁଳି ଓ ଝାଞ୍ଜିରେ ଜୀବନଜୀବିକା ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଆଜି ଭଞ୍ଜନଗରରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ସହରରେ ସକାଳ ୮ଟାରୁ ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି । ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ପାଇଁ କଟକଣା ଟିକେ କୋହଣ ହେବା ପରେ ଦୋକାନ ବଜାର ଖୋଲିବା ସହ କାମଧନ୍ଦା ଆରମ୍ଭ ହୋଇଛି । ସକାଳୁ ସକାଳୁ ଗରମ ଗୁଳୁଗୁଳି ସହ ଖରା ଆରମ୍ଭ ହୋଇ ଯାଉଥିବାରୁ ଦିନ ୧୧ଟା ପରେ ଜନଶୂନ୍ୟ ହୋଇ ପଡୁଛି ପୁରା ସହର । ଫଳରେ ସହରରେ ଖୋଲିଥିବା ଜୁସ ସରବତ, ମୁର୍ଦୁପାନୀୟ, ଆଖୁରସ ବ୍ୟାପାର ସହ ଅନ୍ୟ ବ୍ୟବସାୟ ମଧ୍ୟ ମାନ୍ଧା ରହୁଥିବା କିଛି ବ୍ୟବସାୟୀ କହିଛନ୍ତି । ସନ୍ଧ୍ୟା ହେଲେ ବହୁ ସଂଖ୍ୟାରେ ଗ୍ରାହକ ପନିପରିବା ଓ ରାଶନ କିଣିବାକୁ ବଜାରକୁ ଆସୁଛନ୍ତି । କିନ୍ତୁ ୭ଟା ହେଲେ ଦୋକାନ ବଜାର ବନ୍ଦ ହୋଇ ଯାଉଥିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅପରପକ୍ଷରେ କୋରନା ପାଇଁ ପ୍ରଶାସନ ବର୍ତ୍ତମାନ ବ୍ୟସ୍ତ ଥିବା ବେଳେ ଖରାଦିନେ ଲୋକଙ୍କ ପାଇଁ ଜଳଛତ୍ର ଓ ପାନୀୟ ଜଳର ବ୍ୟବସ୍ତା କରିବା ଜରୁରୀ ହୋଇପଡିଛି ।
ରିପୋର୍ଟ – ନିଲୁ ବିଷୋୟୀ