ପ୍ରଥମ ପୁରାଣ ସାହିତ୍ୟ ମାତୃକୃପା ସମ୍ମିଳନୀ

କଟକ(ସମୃଦ୍ଧଓଡିଶା)କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ” ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ ” ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦ ପଠନ କରାଯାଇଥିଲା । କୃଷ୍ଣ ଭକ୍ତି ଶୀର୍ଷକ ଭଜନ କଣ୍ଠଶିଳ୍ପୀ ମାନେ ଗାନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି “ଦେବକୀ ଯଶୋଦା ଙ୍କ ଅନାବିଳ ମାତୃ ବାତ୍ସଲ୍ୟ” ଶୀର୍ଷକ କବିତା ପୂର୍ବରୁ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଦୁଇଟି ଅଧିବେଶନରେ ସଭାପତିତ୍ବ କରି ବାତ୍ସଲ୍ୟ ମମତା ଶ୍ରେଷ୍ଠ ସାମାଜିକ ବନ୍ଧନ ବୋଲି ମତବ୍ୟକ୍ତ କରିଥିଲେ । ଉଦ୍ ଘାଟକ ଶ୍ରୀ ଶ୍ରୀ ନୀଳାଚଳ ଦାସ ମହାରାଜ ,ଶ୍ରୀ ରାସବିହାରୀ ମଠ, କଟକ ପ୍ରଦୀପ ପ୍ରଜ୍ବଳନ କରି କୃଷ୍ଣ ବନ୍ଦନା ଗାନ କରି ପରିବେଶକୁ ଭକ୍ତିମୟ କରିଥିଲେ । ଦେବକୀ ଯଶୋଦାଙ୍କ ପୁତ୍ରମୋହକୁ ଆଧ୍ୟାତ୍ମିକ ସ୍ଵରରେ ସରଳ ଭାବେ ବିଶ୍ଳେଷଣ କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଦୀନବନ୍ଧୁ ମହାରଣା ପୁରାଣ ସାହିତ୍ୟରେ ମାତୃଶକ୍ତିର ଗରିମା ଉଦାହରଣ ମଧ୍ୟରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର, ପ୍ରଧ୍ୟାପିକା ( ଓଡ଼ିଆ ଭାଷା ସାହିତ୍ୟ ବିଭାଗ ) ଦେବକୀ ଯଶୋଦାଙ୍କ ମମତାର ସ୍ୱରୁପକୁ କାବ୍ୟିକ ଉପମା ମାଧ୍ୟମରେ ବର୍ଣ୍ଣନା କରିଥିଲେ । ବିଶିଷ୍ଟ ଅତିଥି କବି ନାରାୟଣ ମୁଦୁଲି ମହାମହିମ ରାଜ୍ୟପାଳଙ୍କ ଓ.ଏସ୍. ଡ଼ି-ସହ-ହିନ୍ଦୀ ଅଧିକାରୀ ରାଜଭବନ, ଭୁବନେଶ୍ୱର, ଡ଼କ୍ଟର ପ୍ରଣତୀ ମିଶ୍ର ପ୍ରାକ୍ତନ ଅଧ୍ୟକ୍ଷା , ଶୈଳବାଳା ମହାବିଦ୍ୟାଳୟ ଯୋଗଦେଇ ପୁରାଣ ସାହିତ୍ୟରେ ନାରୀ ଶକ୍ତିର ଗରିମାକୁ ଆଲୋଚନା କରିଥିଲେ ।ସମ୍ମାନିତ ଅତିଥି ଭାବେ ଯୋଗଗୁରୁ ସାଗରିକା ଜେନା, କବି ଜଗନ୍ନାଥ ବାରିକ , କବି ତୋଫାନ ଜେନା ଯୋଗଦେଇ ଆଧୁନିକ କବିତାରେ ପୁରାଣ ସାହିତ୍ୟର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଶୁକବି ହେମନ୍ତ ଜେନା ଏବଂ କବୟିତ୍ରୀ ପ୍ରବାସିନୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଦୁଇଶହରୁ ଉର୍ଦ୍ଧ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାରସ୍ବତ ପ୍ରତିଭାଙ୍କୁ ଦେବକୀ ଯଶୋଦା ସାରସ୍ବତ ସମ୍ମାନ ଏବଂ ଦେବକୀ ଯଶୋଦା ସେବା ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ଅଶୋକ କୁମାର ବେହେରା, ଡ଼କ୍ଟର ମମତା ତ୍ରିପାଠୀ , ବିଜୟ ପାଇଟାଲ , ଅରୁଣ ପାତ୍ର, ଅନିଶା ମଲ୍ଲ,ଡ଼କ୍ଟର ଅନିରୁଦ୍ଧ କୁର କୁରିଆ, ଆକାଂକ୍ଷା ସାହୁ ଏବଂ ଅନ୍ୟ ମାନେ କୃଷ୍ଣ ଭକ୍ତି ସଙ୍ଗୀତ ଗାନ କରିଥିଲେ । ନୃତ୍ୟଶିଳ୍ପୀ କିଶୋର କୁମାର ଦଳାଇ, ସମର୍ପିତା ସାହୁ, ସୋନାଲି ପ୍ରିୟଦର୍ଶିନୀ ସାହୁ, ଆଦ୍ୟାସା ମହାରଣା, ଆକାଂକ୍ଷା ସାହୁ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଡାକ୍ତର ଦୀନବନ୍ଧୁ ମହାରଣାଙ୍କ “ସ୍ବାସ୍ଥ୍ୟ ସନ୍ଦେଶ” ଉନ୍ମୋଚିତ ହୋଇଥିଲା । ଦଶ ଜଣରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ । କବି ଗୁପ୍ତେଶ୍ୱର ଚାନ୍ଦ(ଝାରସୁଗୁଡ଼ା )ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର