
ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ମୌସୁମୀ ବର୍ଷା ହେଉନଥିବା ବେଳେ ଚାଷୀମାନେ ମୁଣ୍ଡରେ ହାତମାରି ବସିଥିଲେ । ବର୍ଷାଋତୁରେ ନିଅଣ୍ଟିଆ ବର୍ଷା ସତ୍ତେ ଗତ ଶନିବାର ରାତିତମାମ ବର୍ଷା ଫଳରେ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି । ଫଳରେ ଧାନତଳି, ନୂଆକରି ରୂଆଯାଇଥିବା ଧାରଗଛ, ପନିପରିବା ଚାଷର ବହୁ କ୍ଷତି ଘଟିବାର ଆଶଙ୍କା ସୃଷ୍ଟି ହୋଇଛି । ବର୍ଷାଋତୁରେ ଆବଶ୍ୟକ ବର୍ଷା ହୋଇନଥିଲେ ମଧ୍ୟ ଗତ ଶନିବାର ପ୍ରବଳ ବର୍ଷା ଓ ପଶ୍ଚିମ ବଂଗର ଉଦ୍ବୃତ୍ତ ବର୍ଷାପାଣି ମାଡି ଆସିବାରୁ ଜଳେଶ୍ୱର ବ୍ଲକର ବିଭିନ୍ନ ପଂଚାୟତର ଚାଷଜମି ବୁଡି ରହିବା ସହିତ ଗାଁ ଦାଣ୍ଡରେ ପାଣିର ସୂଅ ଛୁଟୁଛି । ସୂଚନା ଅନୁଯାୟୀ ନେତୁଆ ପଂଚାୟତର ପୀରବାଗ, କମାରଶାଳିଆ, ବାଉଁଶବଣି, କପାସୁଦା, ସୁଗୋ ପଂଚାୟତର ବାଣିଦା, ନାମ୍ପୋ ପଂଚାୟତ, ଖାଲିନା ପଂଚାୟତ, ରାୟାଁରାମଚନ୍ଦ୍ରପୁର ପଂଚାୟତ, ପଶ୍ଚିମବାର୍ଡ, ନଛିମପୁର, ଲକ୍ଷ୍ମଣନାଥ, ଚମାରଗାଁ, ଗୋବରଘଟ୍ଟା, ଦକ୍ଷିଣପ୍ରହରାଜପୁର, ଖୁଦିଆ ମାଝୀସାହି, ଆରୁହା ପଂଚାୟତ ଅଂଚଳର ବିଭିନ୍ନ ସ୍ଥାନର ଚାଷ ପାଣିରେ ବୁଡି ରହିଛି । ବର୍ଷା ଯୋଗୁଁ ବିଭିନ୍ନ ରାସ୍ତା ଉପରେ ପାଣିର ସୁଅ ଛୁଟୁଛି । ପଶ୍ଚିମବଂଗର ଦାନ୍ତୁନ, ମୋହନପୁର ଅଂଚଳର ଉଦ୍ବୃତ୍ତ ବର୍ଷାପାଣି ମାଡି ଆସିବାରୁ ପରିସ୍ଥିତି ଦ୍ୱିଗୁଣିତ କରିଛି । ହଜାର ହଜାର ଏକର ସଦ୍ୟରୂଆ ଧାନଜମି ପାଣି ମଧ୍ୟରେ ବୁଡି ରହିଥିବାରୁ ବ୍ୟାପକ କ୍ଷତି ହେବାର ସମ୍ଭାବନା ଦେଖା ଦେଇଛି । ମାତ୍ର ଜଳ ନିଷ୍କାସନର ରାସ୍ତା ସଂକୁଚିତ ହେବା କାରଣରୁ ଦିନକୁ ଦିନ ପରିସ୍ଥିତି ସଂଗୀନ ହେବା ସହିତ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପ୍ରଶାସନ ଅବିଳମ୍ଭେ ଏହାର ସମାଧାନ କରିବାକୁ ଚାଷୀମହଲରେ ଦାବି କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା