ପ୍ରଶାସନ ନିକଟରେ ଗୁହାରି କରି ଥକି ଗଲେଣି ବୃଦ୍ଧ ଦମ୍ପତି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗରିବ ଦିନ ମଜୁରିଆ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହି ମାଳମାଳ ଯୋଜନା ମଧ୍ୟରେ ଏପରି ଏକ ଅଭିଯୋଗ ଆସିଛି ଯାହା ରାଜ୍ୟ ସରକାରଙ୍କ ଅପରାଗତାକୁ ପଦାରେ ପକାଇ ଦେଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ଗ୍ରାମ ପଂଚାୟତର ଯୋଗୀମାରି ଗ୍ରାମର ଜୟନ୍ତୀ ରାଉତ ବୟସ ୬୦ ଟପିଲାଣି ଆଉ ସ୍ୱାମୀ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ । ଉଭୟ ଦମ୍ପତି ନିଜ କାମ କରିବାକୁ ମଧ୍ୟ ଅସମର୍ଥ । ଏଭଳି ପରିସ୍ଥିତିରେ ସେମାନଙ୍କ ସାହା ଏକ ମାତ୍ର ପୁଅ । ହେଲେ ସେ ବି ଦିନ ମଜୁରିଆ । ପୁଆ ବୋହୁ ଓ ନାତିନାତୁଣୀଙ୍କୁ ମିଶାଇ ୭ ପ୍ରାଣୀ କୁଟୁମ୍ବ । ହେଲେ ଖଣ୍ଡିଏ ରାସନ କାର୍ଡ଼ ଓ ଭତ୍ତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକି ଗଲେଣି ତଥାପି ଏହି ବୃଦ୍ଧଦମ୍ପତିଙ୍କ ଗୁହାରି କେହି ଶୁଣୁନାହାନ୍ତି । ଏକ ମାତ୍ର ପୁଅ ଦିନ ମଜୁରିଆ ଭାବେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛି । ଏଭଳି ସ୍ଥିତିରେ କମ ଆୟରେ ବୃଦ୍ଧ ବାପାଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ତିନି ପିଲା ଙ୍କ ପାଠପଢା ଖର୍ଚ୍ଚ ତୁଲାଇବା ସମ୍ଭାବନା ହେଉନାହିଁ । ରାସନକାର୍ଡ ଟିଏ କରିବା ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଜୟନ୍ତୀ ଅତି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ନେଇ ସେ ଗତ ବର୍ଷ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଲିଖିତ ଭାବେ ଦୁର୍ଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନି । କିଛି ମାସ ଅନ୍ତେଦୟ ଯୋଜନାରେ ଚାଉଳ ପାଇଥିବା ବେଳେ ବର୍ତ୍ତମାନ ତାହା ମଧ୍ୟ ବନ୍ଦ କରି ଦିଆଯାଇଥିବା ଜୟନ୍ତୀ କହିଛନ୍ତି । ଏ ନେଇ ସେ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାଯ୍ୟାଳୟକୁ ଆସି ରାସନକାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ପୁଣି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।