ରକ୍ତରଞ୍ଜିତ ହୃଦୟକୁ ମୋର
ନିଦା ପଥରରେ ଗଢା ଛାତିରୁ କାଢିନେଇ
ରାତ୍ରିର ଅନ୍ଧକାର,ସୂର୍ଯ୍ୟରଶ୍ମି,ଅମ୍ଳଜାନ କିବା
ଫୁଲଙ୍କର ସୁଗନ୍ଧ ସଂସ୍ପର୍ଶରେ
ଜୀବନରେ ଥରୁଟିଏ ମଧ୍ୟ ଆସିନଥିବା
ନୀରୋଳା ନିଛାଟିଆ ସ୍ଥାନରେ ଥାପିଲି ।
ତମ ପ୍ରେମର ସାନ୍ଧ୍ରତା
ଇଚ୍ଛା – ଅନିଚ୍ଛାମାନଙ୍କ ଭାଗମାପ
ଖାଦ ଓ ଖାଣ୍ଟିର ପରିମାଣ ,
ପ୍ରେମରେ ମତୁଆଲା ସମୟରେ
ତମ ହୃତ୍ ସ୍ପନ୍ଦନର ତୀବ୍ରତାଦି ବିଷୟରେ
ପଚାରି ବୁଝିଲି ।
ପ୍ରଶ୍ନର ପାହାଡ ଦେହେ
ମୋ’ ପ୍ରଶ୍ନ-ଢେଲା ଧକ୍କାଖାଇ
ଚୁମ୍ବକୀୟ ସମମେରୁ ବିକର୍ଷଣ ପରି
ପ୍ରଶ୍ନମାନଙ୍କର ପ୍ରତିଧ୍ୱନି ଖାଲି
ଫେରସ୍ତ ପାଇଲି ।
ରିକ୍ତ ହସ୍ତରେ ଅପମାନିତ ହୋଇ ଫେରିବାରୁ
ଜାଣି ସିଆଣା କହି ମୋତେ
ଅଜସ୍ର ଗାଳି ମନ୍ଦ ଦେଲେ ।
ମୁଣ୍ଡପାତି ସହିନେଲି ,
ଯେମିତିକା ଦିନ ମୋ ବିତୁଛି
ତମ ଅବର୍ତ୍ତମାନରେ
ଖରାପିଠିଆ ହୋଇ
ଆଶା ଓ ଆକାଂକ୍ଷା ମାନଙ୍କର
ତତଲା ନିଃଶ୍ଵାସର ଆଞ୍ଚ ସହି ସହି
ଶୂନ୍ୟ ପଞ୍ଜୁରୀର
ଉନ୍ମୁକ୍ତ ଦ୍ୱାରକୁ ଚାହିଁ ଚାହିଁ । ଲେଖକ : ଯଶୋବନ୍ତ ସେଠୀ
ଅସମ୍ପୂର୍ଣ୍ଣା….
ଜାଣିଥିଲି ଏହିଦିନ ନିଶ୍ଚୟ ଆସିବ ।
ତମକୁ ମୁଁ ଭୁଲି ପାରୁନଥିବି କି ପାଇପାରୁନଥିବି
ଆଖିପାଣି ଆଖିରେ ମରିବ ।
ଆଶା ଓ ଭରସାମାନେ ଆତ୍ମହତ୍ୟା କରୁଥିବେ
ଅର୍ଦ୍ଧସତ୍ୟ-ଅସମ୍ପୂର୍ଣ୍ଣ ସ୍ୱପ୍ନମାନଙ୍କର
ମୃତଦେହ-ସଂସ୍କାର ନିଆଁରେ ,
ସକାଳର ସଜଫୁଲ
ମୋପାଇଁ ପାଲଟିଯିବେ ବାସ୍ନା ବିବର୍ଜିତ
ନଦୀମାନେ ସମୁଦ୍ରରୁ ଫେରିଆସି
ଭିଜାଇବେ ବିପର୍ଯ୍ୟସ୍ତ ଅଗଣା ମୋ
କୁଳଲଙ୍ଘୀ ଅଶ୍ରୁର ବନ୍ୟାରେ ।
ଆମେ କିନ୍ତୁ ଭେଟିଥିଲୁ ପରସ୍ପର
ଜୀବନକୁ ଜାଣିବାର ଯଥେଷ୍ଟ ପୂର୍ବରୁ ।
ସ୍ନେହ-ପ୍ରେମ, ମିଳନ-ବିଚ୍ଛେଦ,
ରାଗ-ରୁଷା, ମାନ ଅଭିମାନ ଆଦି
ଜୀବନର ଅବିଚ୍ଛେଦ୍ୟ ଅଂଶଙ୍କର
ସଂଜ୍ଞାସବୁ ଆମ ହୃଦୟକୁ ଛାଇବା ଆଗରୁ ।
ସୂର୍ଯ୍ୟ,ଚନ୍ଦ୍ର,ଆକାଶ,ପୃଥିବୀ
ଇନ୍ଦ୍ରଧନୁ, ଢେଉ ଢେଉ ବାଦଲର ମେଳ,
ଚଢେଇଙ୍କ କିଚିରି ମିଚିରି, ଧୁ ଧୁ ଖରା ପୁଣି
ସାୟାହ୍ନରେ ଗୋବତ୍ସାଙ୍କ ଲେଉଟାଣି ଗହଳଚହଳ,
ସବୁକିଛି ଧରାବନ୍ଧା, ଆତଯାତ ପୂର୍ବବତ
ଆମପାଇଁ ହେଲା କିବା ପ୍ରକୃତିର ନିୟମ ଅଚଳ ?
ତମକୁ ମୁଁ ଲୋଡୁଥିବି ପୂର୍ବର ସେ ସଂଜ୍ଞା ତଳୁ
ଅପୂର୍ବ ଆତ୍ମସନ୍ତୁଷ୍ଟି ଭରିଅଛି ତବ ଅନ୍ୱେଷାରେ
ଜହ୍ନ ଆଲୁଅରେ, ତଡିତର ଆଖିମିଟିକାରେ
ଶତଶତ ଇଚ୍ଛାଙ୍କର ଆତ୍ମାହୂତି-ପାଉଁଶ ଗଦାରେ
କ୍ଷୁଧାର୍ତ୍ତ ଏ ନୟନଯୁଗଳ ଅବସନ୍ନ ହୋଇପଡୁ ପଛେ
ଖୋଜି ଖୋଜି ତମରି ସାନ୍ନିଧ୍ୟ
ସ୍ୱର୍ଗ ମର୍ତ୍ତ୍ୟ, ଆକାଶ.ପାତାଳେ ।
ଲେଖକ : ଯଶୋବନ୍ତ ସେଠୀେ