


ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ପର୍ଯ୍ୟଟକମାନେ ସୁବିଧାରେ ଯାତାୟାତ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ବସ ସେବାର ଶୁଭାରମ୍ଭ କରାଯାଇଛି । ଏହି ବସକୁ ପୁରୁଷୋତ୍ତମପୁର ମା’ କନକେଶ୍ଵରୀ ଘରୋଇ ବସ ମାଲିକ ସଂଘ ପକ୍ଷରୁ ତାରାତାରିଣୀ ମନ୍ଦିରକୁ ଦାନ ସୂତ୍ରରେ ପ୍ରଦାନ କରାଯାଇଛି । ବସ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତିଙ୍କ ସଂଯୋଜନାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ତହସିଲଦାର ଅରୁଣ କୁମାର ନାୟକ, ଦୈତାରୀ ବେହେରା, ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମା’ଙ୍କ ପୀଠରେ ବସକୁ ପୂଜା ଅର୍ଚ୍ଚନା କରିବା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପର୍ଯ୍ୟଟକଙ୍କ ଉତ୍ସର୍ଗୀକୃତ କରିଛନ୍ତି । ଏହି ବସଟି ବ୍ରହ୍ମପୁର ରେଳଷ୍ଟେସନଠାରୁ ତାରାତାରିଣୀ ମନ୍ଦିରକୁ ଯାତାୟାତ କରିବ । ଏହି ଅବସରରେ ବସ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି କହିଛନ୍ତି ଯେ, ପର୍ଯ୍ୟଟକଙ୍କ ସମସ୍ୟାକୁ ନେଇ ଏକ ବସ ମାଲିକ ସଂଘ ପକ୍ଷରୁ ଯୋଗାଇ ଦେବା ଲାଗି ଦୀର୍ଘଦିନ ହେଲା ସ୍ୱପ୍ନ ରହିଥିଲା । ଯାହା ସଂଘର ସମସ୍ତ ସଭ୍ୟଙ୍କ ସହଯୋଗରେ ଆଜି ସାକାର ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବସ୍ ମାଲିକ ସଂଘର ସଭାପତି ଓ ଉପସଭାପତି କମିଟି ପକ୍ଷରୁ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




