ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରାକୃତିକ ବିପର୍ଯ୍ୟୟର ତତକ୍ଷଣାତ ଏବଂ ସଫଳ ମୁକାବିଲା ପାଇଁ ବିଭିନ୍ନ ବ୍ୟବସ୍ଥା ଉପରେ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପଦ୍ଧତିକୁ ତିନି ଗୋଟି ପର୍ଯ୍ୟାୟରେ ବିଭକ୍ତ କରିଥିଲେ । ପ୍ରାକ ପ୍ରସ୍ତୁତି ସୁରକ୍ଷିତ ରହଣି ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ଥଇଥାନକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ବିପର୍ଯ୍ୟୟର ପ୍ରାକ ସୂଚନା ପ୍ରଦାନ ପାଇଁ ଜିଲ୍ଲା ସ୍ତରରୁ ଗ୍ରାମାଞ୍ଚଳ ସ୍ତର ପର୍ଯ୍ୟନ୍ତ ଖବର ଆଦାନ ପ୍ରଦାନର ସୁଦୃଢ ବ୍ୟବସ୍ଥା କରାଯାଇଛି । ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ପକ୍କା ଘରକୁ ଆଶ୍ରୟ ସ୍ଥଳ ଭାବରେ ଚିହ୍ନଟ କରାଯାଇଛି । ସ୍ଥାନାନ୍ତରିତ ଲୋକମାନଙ୍କ ପାଇଁ ଖାଦ୍ୟ ପାନୀୟ ଓ ଆଲୋକର ବ୍ୟବସ୍ଥା ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ପଦାଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଜିଲ୍ଲାର ୧୦୫୦ ଗୋଟି ରାଜସ୍ୱ ଗ୍ରାମରେ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ବାବଦରେ ଲୋକମାନଙ୍କୁ ଅବଗତ କରାଯାଉଛି । ବିପର୍ଯ୍ୟୟ ସମୟରେ ଖାଦ୍ୟ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ସର୍ଵାଧିକ ଧ୍ୟାନ ଦେବାକୁ କର୍ମଚାରୀ ମାନଙ୍କୁ କୁହାଯାଇଛି । ମହିଳା ମାନଙ୍କୁ ବିପର୍ଯ୍ୟୟର ସଫଳ ମୁକାବିଲାରେ ସହାୟତା କରିବା ପାଇଁ ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀର ୫ ହଜାର ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇ ଦକ୍ଷ କରାଯିବ । ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାରେ ସମସ୍ତ ତଥ୍ୟର କମ୍ପ୍ୟୁଟରୀକରଣ କରାଯିବ । ଏଥିରେ ସମ୍ପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ପଦବୀ ଓ ଯୋଗାଯୋଗ ଠିକଣା ରହିବ । ସୁରକ୍ଷା ସ୍ଥଳୀ ଗୁଡିକର ତାଲିକା ମଧ୍ୟ ରହିବ । କେଉଁ ସ୍ଥାନରେ ଯନ୍ତ୍ରପାତି, ଆଲୋକ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀ ମହଜୁଦ ହେବ ଏସବୁର କମ୍ପୁଟରୀକରଣ ତଥ୍ୟ ରହିବ । ତଥ୍ୟ ଗୁଡିକ ଜିଲ୍ଲା ସ୍ତରୀୟ କରାଯାଇ ଏହାର ରାଜ୍ୟସ୍ତରୀୟ ସଂଯୋଗୀକରଣ ହେବ । ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଲକ୍ଷ୍ମୀକାନ୍ତ ସେଠି, ଓସଡାମାର ଚିଫ ଜେନେରାଲ ମ୍ୟାନେଜର ସତ୍ୟ ରଞ୍ଜନ ସାହୁ ଓ ଜେନେରାଲ ମ୍ୟାନେଜର ସସ୍ମିତା ବେହେରା, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞା ପାରମିତା ଥାଟୋଇ ପ୍ରଭୃତି ଯୋଗଦାନ କରିଥିଲେ । ପ୍ରକଳ୍ପ ପରିଚାଳନା କିଶୋର ସାହୁ ତାଲିମ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରଭୁ ପ୍ରସାଦ ମହାରଣା ଏଥିରେ ସହଯୋଗ କରିଥିଲେ ବୋଲି ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା