ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ବିଭାଗର କୋଭିଡ୍-୧୯ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଯେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ କୋଭିଡ୍-୧୯ ମାର୍ଗଦର୍ଶିକାର ଖୋଲାଖୋଲି ଉଲ୍ଲଂଘନ ଯୋଗୁଁ ବ୍ଲକର ଜଣେ ଶିକ୍ଷକ ରମାକାନ୍ତ ପଟ୍ଟନାୟକ ମାନସିକ ଚାପରେ ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି । ଗତ ମାର୍ଚ୍ଚ ୨୪ତାରିଖରେ ଓଡିଶା ସରକାର କୋଭି୍ଡ-୧୯ ମାର୍ଗଦର୍ଶିକା ପତ୍ର ସଂଖ୍ୟା-୯୯୯୫ ଅନୁସାରେ ୫୫ବର୍ଷରୁ ଉର୍ଦ୍ଧ ଓ ବିଭିନ୍ନ ରୋଗରେ ଆକ୍ରନ୍ତ ଶିକ୍ଷକଙ୍କୁ କୋଭିଡ୍ ଦାୟିତ୍ୱ ନ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଛତ୍ରପୁର ବ୍ଲକରେ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଛି । ଶିକ୍ଷକ ଜଣକ ସ୍ୱର୍ଗତ ରମାକାନ୍ତ ୫୯ ବର୍ଷ ବୟସ ତଥା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଯାହା ଫଳରେ କୋଭିଡ୍ କେୟାର ହୋମ୍ ଦାୟିତ୍ୱରେ ସଂପର୍କରେ ସୂଚନା ପାଇବା ମାତ୍ରେ ମାନସିକ ଚାପର ବଶବର୍ତ୍ତି ହୋଇ ହୃଦ୍ଘାତରେ ପ୍ରାଣ ହରାଇଲେ । ଏହାର ତଦନ୍ତ କରି ଉକ୍ତ ଶିକ୍ଷକଙ୍କ ନାମ ସୁପାରିଶ କରିଥିବା ଏବଂ ତାଙ୍କୁ ଦାୟିତ୍ୱ ଦେଇଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ସଂକ୍ରାନ୍ତରେ ସଂଘର ସଭାପତି ଜୟକୃଷ୍ଣ ବେହେରା, ସଂପାଦକ ସୁବୋଧ ଚନ୍ଦ୍ର ରାଉତଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ଶୁଣାଣୀ କକ୍ଷରେ ଏବଂ ଛତ୍ରପୁର ବିଇଓଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ଉପରୋକ୍ତ ବିଷୟ ସହ ବର୍ତ୍ତମାନ କୋଭିଡ୍ ଦାୟିତ୍ୱରେ ଅଧିକାଂଶ ଶିକ୍ଷକ ନିୟୋଜିତ ଅଛନ୍ତି । ଏହି ସମୟରେ ଜନସାଧାରଣଙ୍କ ମଙ୍ଗଳ ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ଅଞ୍ଚଳକୁ ଅବରୋଧ କରି ରଖିଛନ୍ତି । କିନ୍ତୁ ପରିତାପର ବିଷୟ ବ୍ଲକ ଶିକ୍ଷା ବିଭାଗ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟକୁ ଯିବାକୁ ବାଧ୍ୟ କରିବା ସହ ଅତିରିକ୍ତ ଚାପ ସୃଷ୍ଟି କରୁଛନ୍ତି । ଯଦ୍ୱାରା ଶିକ୍ଷକ ଓ ଶିକ୍ଷୟିତ୍ରୀ ମହଲରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଏଣୁ ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଦୃଷ୍ଟିଗୋଚର କରି ଶିକ୍ଷକ ସମାଜ ପ୍ରତି ଉତ୍ତମ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା