ପ୍ରାର୍ଥନା ଚାଲିଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ, ୨୭ ମୃତ……..

କାବୁଲ: ଆଫ୍‌ଗାନିସ୍ତାନର ପୂର୍ବ ପ୍ରଦେଶରେ ଥିବା ଏକ ସେନା ବେସ୍‌ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଆତ୍ମଘାତୀ ଆତଙ୍କବାଦୀ ବିସ୍ଫୋରଣ କରିବାରୁ ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯ ଜଣ ସୁରକ୍ଷାକର୍ମୀ ରହିଛନ୍ତି।ଏଥିସହ ଏହି ଭୟଙ୍କର ଆତଙ୍କବାଦୀ ହମ୍‌ଲାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।୨୦୩ ଆର୍ମି କ୍ରପ୍ସ ବ୍ରିଗେଡିୟରଙ୍କ ମୁଖପାତ୍ର କହିଛନ୍ତି, “ ଇସ୍ମାଇଲ୍‌ ଖେଲ୍‌ ମନଜୋଦାଇଠାରେ ଥିବା ସେନା ବେସ୍‌ର ମସଜିଦ୍‌ରେ ଶୁକ୍ରବାର ଏହି ଭୟଙ୍କର ବିସ୍ଫୋରଣ ଘଟିଛି। ମସିଜିଦ୍‌ରେ ପ୍ରାର୍ଥନା ଆରମ୍ଭ ହେବା କ୍ଷଣି ଜଣେ ବିସ୍ଫୋରକ ଖଚିତ ଆତଙ୍କବାଦୀ ନିଜକୁ ଉଡ଼ାଇ ଦେଇଥିଲା।ଏଥିରେ ଘଟଣାସ୍ଥଳରେ ହିଁ ୯ ସୁରକ୍ଷାକର୍ମୀଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସେନା ବେସ୍‌ ମଧ୍ୟକୁ ଆତଙ୍କବାଦୀ ଜଣଙ୍କ କେମିତି ଗଲା, ତାହା ଜଣାପଡ଼ିନାହିଁ। ଏବେ ଏହାର ତଦନ୍ତ ଚାଲିଛି।”ଏହା ପୂର୍ବରୁ କାବୁଲରେ ଜଣେ ଆତ୍ମଘାତୀ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେବାରୁ ୫୫ ଜଣଙ୍କ ମୃତ୍ୟୁ ଘଟିଥିଲା।