ପ୍ରେମ ହେଉଛି ଜଣଙ୍କ ପ୍ରତି ଅନ୍ତରଙ୍ଗ ଭଲ ପାଇବାର ଆକର୍ଷଣ । ଯେଉଁଥିରେ ପ୍ରତୀୟମାନ ହୁଏ ନିଃସ୍ୱାର୍ଥପର ତ୍ୟାଗ ଓ ଉତ୍ସର୍ଗୀକୃତ ସମର୍ପଣ ଭାବ । ସେଥିପାଇଁ ପ୍ରେମକୁ ନେଇ ରକ୍ଷଣଶୀଳ ସମାଜରେ ଘଟିଛି ଅନେକ ଦୁର୍ଘଟଣା ଓ ପ୍ରଳୟ । ଅନେକ ମୂଲ୍ୟବାନ ଜୀବନ ଅଚିରେ ଚାଲିଯାଇଛି । ଏହାର ଅନେକ ଉଦାହରଣ ଆମ ସମାଜରେ ରହିଛି । କେତେ ରାଜା, ମହାରାଜା ପ୍ରେମ ପାଇଁ ନିଜର ରାଜଗାଦି ତ୍ୟାଗ କରିଛନ୍ତି । ଅନେକ ନିଜ ଜୀବନକୁ ବିସର୍ଜନ କରିବାକୁ ପଛାଇ ଯାଇ ନାହାଁନ୍ତି । କେଦାର ଗୌରୀ, ଲୈଲା ମଜୁନ ଆଜି ବି ପ୍ରେମ ଜଗତରେ ଚିର ଜାଜ୍ଜଲ୍ୟମାନ । ବର୍ତ୍ତମାନ ଯୁଗରେ ମଧ୍ୟ ଦୁଇଟି ପ୍ରେମୀ ଯୁଗଳ ଗୋଟିଏ ବରଗଛରେ ଏକ ସମୟରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଆଜି ମୁଁ ଗୋଟିଏ ପ୍ରେମର ନିଚ୍ଛକ ବାସ୍ତବତା ଓ ସତ୍ୟ କାହାଣୀର ଉପସ୍ଥାପନା କରିବି । ମୁଁ ଯାହାକୁ ଅତି ନିକଟରେ ଅନୁଭବ କରିଛି । କାହାଣୀଟି ସତ୍ୟ କିନ୍ତୁ ଚରିତ୍ରମାନଙ୍କୁ ମୁଁ ଛଦ୍ମ ନାମରେ ବର୍ଣ୍ଣନା କରୁଛି । ପଦ୍ମପୁର ନାମରେ ଗୋଟିଏ ନିପଟ ମଫସଲ ଗାଁଆଟିଏ । ଏହା ଚିଲିକା କୂଳରେ ଅବସ୍ଥିତ । ସେଠାକାର ଲୋକେ ଚିଲିକା ଉପରେ ନିର୍ଭରଶୀଳ । ସମସ୍ତେ ଚିଲିକାରୁ ମାଛ ଧରିବା ଓ ତାହାକୁ ନେଇ ବେପାର ବଣିଜ କରି ନିଜର ଜୀବନ ନିର୍ବାହ କରନ୍ତି । ସ୍ୱଳ୍ପ ଲୋକଙ୍କୁ ଛାଡି ଦେଲେ ଅଧିକାଂଶ ଲୋକ ଉଚ୍ଚ ଶିକ୍ଷା ଦିଗରେ ମନ ବଳାଉନଥିଲେ । କିଛି ଶିକ୍ଷିତ ଲୋକଙ୍କ ପ୍ରଚେଷ୍ଟାରେ ନବେ ଦଶକରେ ଗ୍ରାମରେଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହେଲା । ଫଳରେ ଏବେ ସେହି ଗ୍ରାମରେ ପ୍ରାୟ ଶତକଡା ନବେ ଭାଗ ଲୋକେ ଉଚ୍ଚ ଶିକ୍ଷିତ ଏବଂ ବହୁତ ଉଚ୍ଚ ପଦବୀରେ କାର୍ଯ୍ୟରତ । ସେହି ମାନଙ୍କ ଭିତରେ ବଳରାମ ଅନ୍ୟତମ । ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାହେବା ପରେ ତା’ର ଗତିପଥ ବଦଳିଗଲା । ପରିବାରରେ ଚାରି ଭାଇ ଓ ଦୁଇ ଭଉଣୀ । ଭାଇମାନଙ୍କ ଭିତରେ ସେ ସର୍ବ କନିଷ୍ଠ ଓ ତା’ପରେ ଦୁଇ ଭଉଣୀଙ୍କ ଜନ୍ମ । ପିଲା ଦିନରୁ ବାପା ମରି ଯାଇଥିଲେ । ବଡ ଦୁଇ ଭାଇ ବିବାହ ପରେ ଅଲଗା ରହୁଥିଲେ । ଫଳରେ ଭରଣ ପୋଷଣ ଦାୟିତ୍ୱ ଏଇ ଦୁଇ ଭାଇଙ୍କ ଉପରେ ଥିଲା । ପାଠ ପଢିବା ପରେ ସେ ଅବସର ସମୟରେ ଭାଇକୁ ସାହାଯ୍ୟ କରିବା ସହିତ ପାଠ ପଢୁଥିଲା । ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଗାଁଆର ପ୍ରଥମ ଛାତ୍ର ଭାବରେ ଉତ୍ତୀର୍ଣ୍ଣ ହେବା ପରେ ତା’ର ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ବଢିଯାଇଥିଲା । ଫଳରେ ଭାଇର ପ୍ରେରଣା ଓ ଆର୍ଥିକ ସହାୟତାରେ ସେ ଗୋଟିଏ ଉଚ୍ଚ ପଦସ୍ଥ କର୍ମଚାରୀ ଭାବରେ ଚାକିରି ପାଇଲା । ଫଳରେ ତାଙ୍କର ପରିବାରର ସ୍ଥିତି ବଦଳି ଗଲା । ସମସ୍ତେ ଭୁବନେଶ୍ୱରରେ ରହିଲେ । ଦୁଇ ଭଉଣୀଙ୍କୁ ଭୁବନେଶ୍ୱରରେ ପାଠ ପଢାଇଲା । ଭାଇମାନଙ୍କୁ ସାହାଯ୍ୟ କରି ବିଭିନ୍ନ ବ୍ୟବସାୟର ବ୍ୟବସ୍ଥା କରିଦେଲା । ତା’ମନରେ ବି ଗାଆଁ ପ୍ରତି ବହୁତ ଭଲ ପାଇବା ଥିଲା । ଗାଁଆର ଉନ୍ନତି ପାଇଁ ସେ ପ୍ରସାଶନ ବିନା କିଛି କରିପାରିବ ନାହିଁ ଭାବି ନିଜ ମାଆକୁ ସରପଞ୍ଚ ପ୍ରାର୍ଥୀ ଭାବରେ ଠିଆ କରାଇ ନିର୍ବାଚିତ କରି ନିଜେ ଗ୍ରାମର ମଙ୍ଗଳ ପାଇଁ ଲୋକହୀତକର କାର୍ଯ୍ୟ କଲା । ରାସ୍ତା ଘାଟ ନିର୍ମାଣ ସହିତ ପାନୀୟ ଜଳ ଯୋଗାଣ, ବିଦ୍ୟାଳୟ ନିର୍ମାଣ ବିଭିନ୍ନ ଋଣ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଦେଲା । ସମସ୍ତେ ତା’କୁ ଭଲ ପାଉଥିଲେ । ତା’ର ମଧ୍ୟ ଯୌବନରେ ରଙ୍ଗ ଲାଗି ଯାଇଥିଲା । ତା’ଗାଁଆର ଚିଲିକାର ଆର କୂଳରେ ମଧୁପୁର ନାମରେ ଗାଁଆଟିଏ । ଗୋଟିଏ ସ୍ୱଳ୍ପ ରୋଜଗାରକ୍ଷମ ବାପାଙ୍କର ଚାରୋଟି ଝିଅଥିଲେ । ଦେଖିବାକୁ ସମସ୍ତେ ଅନିନ୍ଦ୍ୟ ସୁନ୍ଦରୀ ଥିଲେ । ନମ୍ର ବ୍ୟବହାର ଓ ଲାଜକୁଳୀ ସହିତ ସୌନ୍ଦର୍ଯ୍ୟ ପାଇଁ ଦୁଇ ଭଉଣୀଙ୍କୁ ବିନା ଯୌତୁକରେ ଭଲ ଭଲ ଉଚ୍ଚ ପଦସ୍ଥ କର୍ମଚାରୀମାନେ ବିବାହ କରିଥିଲେ । ଉର୍ମିଳା ଥିଲା, ତୃତୀୟ କନ୍ୟା । ହଳଦିଆ ଚମ୍ପାରଙ୍ଗ ଦେହ ସହିତ ସୁନ୍ଦର ମୁଖମଣ୍ଡଳ । ଉଚ୍ଚା, ତୀଳ ଫୁଲ ପରି ନାକ, ଢଳ ଢଳ ହରିଣୀ ଆଖି, ଲମ୍ବା କେଶ ସହିତ ତା’ର ନମ୍ର, ଶାନ୍ତ, ଲାଜକୁଳୀ ସ୍ୱଭାବରେ ଆକୃଷ୍ଟ ହୋଇ ବଳରାମ ଉର୍ମିଳାକୁ ଭଲ ପାଇବସିଲା । ସେତେବେଳେ ଉର୍ମିଳା ପୁରୀ ଏସ୍, ସି,ଏସ୍ କଲେଜର +3ର ଶେଷ ବର୍ଷର ଛାତ୍ରୀ । ଦୁଇ ପରିବାରର ସହମତି କ୍ରମେ ବିବାହ ପ୍ରସ୍ତାବ ପକ୍କା ହୋଇଯାଇଥିଲା । କେବଳ ଶେଷ ବର୍ଷର ପରୀକ୍ଷା ପରେ ବିବାହ ହେବ ବୋଲି ସ୍ଥିର କରାଯାଇଥିଲା । ଏଇ ସମୟଭିତରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେମାନେ ଏକାଠି ସମୁଦ୍ରକୂଳରେ ବୁଲୁଥିବାର ଓ ହୋଟେଲ, ପାର୍କରେ ପରସ୍ପରକୁ ଭେଟୁଥିବାର କଥା ଘଟଣାର ପରବର୍ତ୍ତୀ ସମୟରେ ଜଣାପଡିଥିଲା । ଏତେ ସବୁ ଖୁସି ଭିତରେ ସେମାନଙ୍କ ସୁଖର ପରିଧି ମଧ୍ୟରେ କାଳର ସୁନାମୀ ହୋଇ ଅଚାନକ ମାଡି ଆସି ସବୁ ସୁନେଲି ସ୍ୱପ୍ନକୁ କ୍ଷଣିକ ମଧ୍ୟରେ ଭସାଇନେଲା । ଯେତେବେଳେ ବଳରାମର ମୁଣ୍ଡ ବିନ୍ଧା ଆରମ୍ଭ ହେଲା । ପ୍ରଥମେ ପ୍ରଥମେ ଏହା ସାଧାରଣ ମୁଣ୍ଡ ବିନ୍ଧା ଭାବି ସେ ଏହାକୁ ଅଣଦେଖା କରୁଥିଲା । କିନ୍ତୁ ପରେ ସମସ୍ତଙ୍କ କହିବା ଦ୍ୱାରା ଡାକ୍ତରଖାନାରେ ପରୀକ୍ଷା କରିବା ଦ୍ୱାରା ତା’କୁ ବ୍ରେନ୍ କ୍ୟାନସର ହୋଇଛି କଥା ଶୁଣି ତା’ପାଦ ତଳୁ ମାଟି ଖସି ପଡିଲା । ସମସ୍ତେ ଦୁଃଖରେ ଭାଙ୍ଗିପଡିଲେ । ତା’ପରେ ଚିକିତ୍ସା ପାଇଁ ହାଇଦ୍ରାବାଦ୍ ନେଇଗଲେ । ସେଠାରେ ଡାକ୍ତର ରୋଗ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇ ଥିବାର କଥା କହି ଆଉ ଦୁଇ ମାସର ପୃଥିବୀ ରହଣିର ଅବଧି ଦେଇ ଫେରାଇ ଦେଇଥିଲେ । ଭଗବାନ ବହୁତ ନିଷ୍ଠୁର । ତାଙ୍କୁ ଦୁଃଖ, ଯନ୍ତ୍ରଣାର ଅନୁଭବ ବୋଧେ କିଛି ହୁଏ ନାହିଁ । ସମସ୍ତଙ୍କୁ ଦୁଃଖ ପାରାବାରରେ ବୁଡାଇ ଦେଇ ସେ ନିର୍ବିକାର ଚିତ୍ତରେ ବସି ରହନ୍ତି । ଏ କଥା ସାରା ଅଞ୍ଚଳରେ ରାଷ୍ଟ୍ର ହୋଇଗଲା । ସମସ୍ତ ବନ୍ଧୁ ବାନ୍ଧବ ଦେଖିବା ପାଇଁ ଆସିଲେ । ଏ କଥାକୁ ଲାଜକୁଳୀ ଉର୍ମିଳା ସଦ୍ୟ କରିଲା ନାହିଁ । ଲାଜ ସରମକୁ ପଛରେ ପକାଇ ହଷ୍ଟେଲ ଛାଡି ପୁରୀରୁ ଭୁବନେଶ୍ୱରରେ ପହଞ୍ଚିଗଲା ଓ ବଳରାମ ଘରେ ଯାଇ ପ୍ରବେଶ କଲା । ଏ କଥା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପରିବାରର ସମସ୍ତେ ଆଦର କରିବା ସହିତ ଫେରିଯିବାକୁ ବହୁତ ବୁଝାଇଲେ । ବଳରାମ ତାହାକୁ ଭୁଲିଯାଇ ନୂଆ ଜୀବନ ବାଛିବାକୁ ବହୁତ ଚେଷ୍ଟା କଲା କିନ୍ତୁ ଉର୍ମିଳା ତାହାକୁ କର୍ଣ୍ଣପାତ ନ କରି ବଳରାମ ସେବାରେ ଲାଗିଗଲା । ସମାଜର ରକ୍ଷଣଶୀଳ ମନୋଭାବ ଓ ଝିଅଟିର ଭବିଷ୍ୟତକୁ ନେଇ ବଳରାମର ପରିବାର ଉର୍ମିଳାର ବାପା,ମାଆଙ୍କୁ ଡକାଇ ଝିଅକୁ ଫେରାଇ ନେବାକୁ କହିଲେ ।ବାପା, ମାଆ ସେଠାରେ ପହଞ୍ଚି ବହୁତ ବୁଝାଇଲେ କିନ୍ତୁ ବିଫଳ ହୋଇ ଗାଁଆକୁ ଫେରିଗଲେ ।ଡାକ୍ତର ଦେଇ ଥିବା ସେହି ଦାରୁଣ ମୁହୂର୍ତ୍ତ ପାଖେଇ ଆସିଲା । ବଳରାମର ଅବସ୍ଥା ସଙ୍କଟାପନ୍ନ ହୋଇଗଲା । ତା’ଶରୀର ଅଚଳାବସ୍ଥାକୁ ଚାଲିଆସିଲା । ସମସ୍ତ ବନ୍ଧୁ ବାନ୍ଧବ ଦେଖିବା ପାଇଁ ଆସିଲେ । ଉର୍ମିଳାର ବାପ, ମାଆ ମଧ୍ୟ ଆସିଲେ । ଦେଖି ସାରିବା ପରେ ଝିଅକୁ ଘରକୁ ଯିବା ପାଇଁ ଡାକିବାରୁ ବିନା ପ୍ରତିବାଦରେ ସେ ବାପ, ମାଆ ସହିତ ଘରକୁ ଫେରିଆସିଲା । ଫେରିବାର ଦୁଇ ଦିନପରେ ବଳରାମ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ସବୁ ଦିନ ପାଇଁ ଆଖି ବୁଜିଦେଲା । ସମସ୍ତେ ଦୁଃଖରେ ତା’ର ଶବକୁ ଦାହ କରି ବିଳାପ କରୁଥିବା ବେଳେ ଉର୍ମିଳା କାଠ ଭଳି ନିରବ, ନିଶ୍ଚଳ ହୋଇଗଲା । ବାପା, ମାଆ ଝିଅକୁ ଅନେକ କଥା କହି ଆଶ୍ଵାସନା ଦେଉଥାନ୍ତି କିନ୍ତୁ ସେ ଶୁଣିବା ଅବସ୍ଥାରେ ନ ଥାଏ । ଦିନ ଦ୍ବିପ୍ରହରରୁ ସେଇମିତି ସେ ଚାଳ ଘରରେ ଗୋଟିଏ କୋଣରେ ବସିଥାଏ । ଖାଇବା ପିଇବା କଥା ଶୁଣୁ ନଥାଏ । ସମସ୍ତେ ଜଗି ବସି ବୁଝାଇ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବାକୁ ବୁଝାଉଥାନ୍ତି । ସେ କିଛି ନ କହି ସେହିଠାରେ ପଡିରହିଥାଏ । ଏମିତି ରାତି ଗଡିଲା ବାପା ମାଆ ସେହି ଘରେ ଝିଅ ପାଖରେ ଜଗି ରହିଥିବା ଅବସ୍ଥାରେ ରାତିର ଶେଷ ମୁହୂର୍ତ୍ତରେ ତାଙ୍କୁ କାଳ ନିଦ ଲାଗି ଯାଇଥାଏ । କିଛି କ୍ଷଣ ପରେ ମାଆର ହଠାତ୍ ନିଦ ଭାଙ୍ଗିଗଲା ଓ ସେ ଖୁବ୍ ଜୋର୍ ରେ ପାଟି କରି କାନ୍ଦି ଉଠିଲା । ସମସ୍ତର ନିଦ ଭାଙ୍ଗିଗଲା । ସମସ୍ତେ ରୁଣ୍ଡ ହୋଇ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ପାଖରେ ଗୋଟିଏ ପ୍ଳାଷ୍ଟିକ୍ ଚେୟାର ପଡିଥାଏ, ଯାହା ସେଇ ଘରେ ପୂର୍ବରୁ ଥିଲା । ଝିଅଟି ଗୋଟିଏ ରଶିରେ ଚାଳର ଗୋଟିଏ ବାଉଁଶ ଶେଣିରେ ଓହଳୁଥିଲା । ତା’ସୁନା ଚାନ୍ଦମୁହଁ ପୂର୍ବ ଭଳି ନିରୀହ ଓ ଶାନ୍ତ ଥିଲା । ଏ କଥା ଚାରି ଆଡେ ପ୍ରଚାର ହେବା ଫଳରେ ବଳରାମର ପରିବାର ସେହି ଦୁଃଖ ମଧ୍ୟରେ ଆସି ଝିଅଟିକୁ ସଧବା ବେଶରେ ସଜାଇ ମଶାଣିକୁ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କଲେ । ଦୁଇଜଣଙ୍କର ସୁଧିକ୍ରିୟା ଏକ ସମୟରେ କରି ଦୁଇ ଜଣଙ୍କର ଫୋଟରେ ଫୁଲ ମାଳ ପକାଇ ଘରେ ଟଙ୍ଗାଇ ଦେଲେ । ସମୟ ବଦଳି ଗଲା । ଅନୁକମ୍ପାମୂଳକ କିରାଣୀ ଚାକିରୀଟିଏ ସାନ ଭଉଣୀ ପାଇ ଗୋଟିଏ ସମ୍ଭ୍ରାନ୍ତ ଘରକୁ ବୋହୁ ହୋଇଗଲା । ଏଲ୍,ଆଇ,ସି ଟଙ୍କାରେ ଆଉ ଗୋଟିଏ ଭଉଣୀ ବାହାଘର କରି ଭାଇ ଅବଶିଷ୍ଟ ପଇସା ନେଇ ବେପାର କରି ଖୁବ୍ ଖୁସିରେ ରହିଲା । ମାଆକୁ ପେନସନ ଟଙ୍କା ମଳିଲା । ହେଲେ ଏଇ ଝିଅଟିକୁ କ’ଣ ମିଳିଲା ? ଯେତେବେଳେ ନିଜେ ଜନ୍ମ କରିଥିବା ମାଆ, ସୁଖରେ ଦୁଃଖରେ ସ୍ନେହ ସମ୍ପର୍କରେ ଡୋରୀରେ ଏତେ ବର୍ଷଯାଏ ଚଳି ଆସିଥିବା ଭାଇ ଓ ଭଉଣୀମାନେ ଭଗବାନଙ୍କ ନିର୍ଦ୍ଦେଶକୁ ମାନି ନେଲେ ତେବେ ସଂସାର କ’ଣ ଜାଣିନଥିବା ଝିଅଟି କେମିତି ଏତେ ବଡ ନିଷ୍ପତ୍ତି ନେଇପାରିଲା ? ମିଛ ମାୟା ସଂସାରରେ ସମସ୍ତେ ସମସ୍ତଙ୍କ ପାଇଁ ଆହେତୁକ ଦରଦ ଦେଖାନ୍ତି କିନ୍ତୁ କେହି କାହା ସହିତ ଶେଷ ଯାତ୍ରୀ ହୋଇପାରନ୍ତି ନାହିଁ, ମାତ୍ର ଏଇ ଝିଅଟି ପ୍ରେମର ପରିଭାଷାକୁ ବଦଳାଇ ଦେଇଥିଲା । ସ୍ତ୍ରୀ ଟିଏ ସ୍ୱାମୀ ବ୍ୟତିରେକ ଜୀବନ ଜିଇଁ ପାରୁଛି କିନ୍ତୁ ଛୋଟ ଝିଅଟିଏ ତା’ଭଲ ପାଇବାକୁ ଛାଡି ବଞ୍ଚି ପାରିଲା ନାହିଁ । ଯୁଗେ ଯୁଗେ ପ୍ରେମ ଚିର ଅମର । ତା’ର ପରିଭାଷା ବୁଝିବା ଜଟିଳ । ଅତୀତର ସତୀପ୍ରଥା ଠାରୁ ଏହା ଆହୁରି ପବିତ୍ର । ଏହାହିଁ ପ୍ରେମ ।ତାହା ଯୁଗେ ଯୁଗେ ଚିର ଶ୍ୱାସତ ।
ବନଲତା ଜାଲି,
କୃଷ୍ଣ ପ୍ରସାଦ, ପୁରୀ