ସେ ଏମିତିଆ ଗୋଟେ
ପ୍ରେମିକା ପରି ଲାଗୁଥିବା ଝିଅ
ପ୍ରେମିକା ନୁହଁ ଜମା,
ଅନେକ ବାର ମୁଁ ଏଇ ନିର୍ଯ୍ୟାସ ରେ ପହଞ୍ଚିଛି
ପଚାରି ପାରେନା
ଗୋଲାପୀ ଗୋଲାପୀ ଓଠ
ଗାଲ ଆଖି ଅଧର ଗଳାବନ୍ଧ
ଏମିତିକି ମୁଲାୟମ ହାତ ପାପୁଲି
ଖୁବ ବିଶ୍ୱସ୍ଥ
ହେଲେ ତା ଦାନ୍ତ ,ପଞ୍ଝା, ନଖ ଖୁବ ଅବିଶ୍ୱସ୍ଥ
ଯାହା ଏବେ ବି ଜଳଜଳ
ମୁଁ ଯାହାକୁ ସଜାଇ ରଖିଛି କରି
ମୋ ଏକାକୀ ବେଳର ସନ୍ତକ,
ମୁଁ ତାକୁ ଅନେକ କଥା ପଚାରିବି ପଚାରିବି
ହୋଇ ଢ଼ୋକି ନେଇଛି ଗଳା କୁ ଆସିବା କ୍ଷଣି
ଯଦିଚ ମୁଁ ଜାଣେ ସେ ଏକ ପାହାଡ଼ି ଝରଣା
ମନକୁ ମନ ବହୁଥିବ
କହିଦେଲେ ମୋଡ଼ ବୁଲାଇ କୁଆଡେ ଯେ
ପାହାଡୀ ଖୋଲ ରେ ଲୁଚି ଯିବ ହଜାଇ ଠିକଣା
ତାକୁ ହିଁ ଜଣା,
ବେଶ ଭଲ ଥିଲା ଆଗ୍ନେୟଗିରି ଟା
ଶୋଇଥିଲା
ଛୁଉଁ ଛୁଉଁ କେମିତି ପାଲଟି ଗଲା ଜୀବନ୍ତ
ଟକ ଟକ ଉତ୍ତପ୍ତ ଲାଭା କେମିତି ବହିଗଲା
ଜାଳି ଦେବକି,
ଅଥଚ ମୋତେ ଲାଗୁଥିଲା
ତୁଚ୍ଛା କଳା ମୁଲାୟମ ପାହାଡ଼ ଟା
ପାଦ ପଡିଲେହିଁ ପିଛିଳି ଯାଇ ହେଉଥିଲା,
ବୁଝି ହୁଏନା ତା ଯୁକ୍ତି
ଯେବେ ବି କହିଛି କଥା ଛଳରେ
ମମତାଜ ଶାହାଜାହାନ କଥା
ପ୍ରେମ ର ସନ୍ତକ ତାଜମହଲ ର ଗାଥା
ସେ ଓଲଟା ଯୁକ୍ତି ବାଢ଼ିଛି
ମିଛ ସବୁ ମିଛ
ଶାହାଜାହାନ ଙ୍କ ନିଜେ ହିଁ ଜନମାନସ ରେ
ବଞ୍ଚି ରହିବା ର ନିଆରା ପ୍ରତ୍ୟାଶାର ମାଧ୍ୟମ,
କହିବ ମନ ଭୁଲାଣିଆ;ମାନିବ ନାହିଁ
ରାଜ ରାଜୁଡା ଙ୍କ କୋଉ ଗୋଟାଏ ନା ଯୋଡ଼ାଏ,
କୋଣାର୍କ ନଟନଟି କୁ ମୋଅରି ଆଗରେ ଛୁଇଁଛି
କେଉଁ ପ୍ରେମିକ ର ଗାଲ ମୁଣ୍ଡ ଆଉଁଷିଲା ପରି,
ଏ ଜହ୍ନ ମୋତେ ଦେଖି ହସୁଛି କହିବା ଯାହା
ମୋ ପ୍ରେମିକା ମୋତେ ଦେଖି ହସୁଛି କହିବା ତାହା,
ବାର ବାର ମୁ ତାଆଠୁ ହାରିବା କୁ କାହିଁକି ଭଲ ପାଏ
ଜାଣେନା
ହାରିବା କୁ ମୁଁ ତା’ଠି ଗର୍ବ ଭାବେ,
ଅଜବ ପ୍ରକୃତି ର ଝିଅ
ନିଶାରେ କରି ଯାଉଥିବ ଅନେକ କିଛି
ଖିଲି ଖିଲି ହସି ଯାଉଥିବ
ଅଥଚ ସେଇଠି କାନ୍ଦିବା ଦୃଶ୍ୟ ଟା ହିଁ ନାଟ୍ୟକାର ଖୋଜୁ ଥିବ
ବୁଝି ପାରେନା ମୁଁ ତାକୁ
ଯାହା ଯାହା କହିବାକୁ ଅଭ୍ୟାସ କରି ଯାଏ
ଭୁଲାଇ ଦେଇ ପାରେ ମୋତେ ତା ହସ ବାସ ରାସ,
ଅନେକ କିଛି
ପ୍ରେମିକା ପରି ଉପରକୁ ଲାଗେ
ହେଲେ ପ୍ରେମିକା ନୁହଁ ଜମା ।
ଲେଖିକା : ତପସ୍ୱିନୀ ଦାଶ,ବାରିପଦା,ଭଂଜପୁର,ମୟୁର ଭଞ୍ଜ