ଜଳେଶ୍ୱର(ସମୃଦ୍ଧ ଓଡିଶା)ଜଳେଶ୍ୱର ସହର ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅଧୋଗତି ଘଟୁଥିବାର ବେଳେ ଏଥିପ୍ରତି ପ୍ରଶାସନର ନଜର ରହୁନାହିଁ । ବହୁ ସମସ୍ୟା ମଧ୍ୟରୁ ଜଳେଶ୍ୱର ବଡବଜାର ବାରମୁହାଁପୋଲ ଉପରେ ଦିନ ରାତି ବହୁ ଗରୁ, ଗାଈ, ଷଣ୍ଢ, ଚାରିଚକିଆ ଯାନବାହନ ବେଆଇନ୍ଭାବେ ରହୁଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟିବା ସହ ଯାତାୟାତରେ ବିଗ୍ନ ଘଟି ଆସୁଛି । ଏ ସଂପର୍କରେ କେତେକ ସଚେତନ ବ୍ୟକ୍ତି ମ୍ୟୁନିସିପାଲ୍ଟି ଓ ପୁଲିସ୍ର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଏହାର ନିରାପତ୍ତାର ବ୍ୟବସ୍ଥା ହେଉନାହିଁ । ଯାନ ଗୁଡିକ ପୋଲ ଉପରେ ନ ରଖିବା ଲାଗି ପ୍ରଥମେ ଧ୍ୟାନ ଦେଉଥିବା ବେଳେ ଏବେ ସେଥିପ୍ରତି ଧ୍ୟାନ ନ ଦେବା ଜଳେଶ୍ୱରବାସୀଙ୍କ ଲାଗି ଚିନ୍ତାର କାରଣ ହୋଇଛି । କେବଳ ପୋଲ ନୁହେଁ ମ୍ୟୁନିସିୀପାଲଟି ଅଂଚଳର ବିଭିନ୍ନ ମୁଖ୍ୟ ରାସ୍ତା କଡରେ ବେଆଇନ୍ଭାବେ ଯାନବାହନ ରହିବା, ଗୃହ ଓ ରାସ୍ତା ନିର୍ମାଣ ଆଳରେ ମେଟାଲ, ଇଟା, ବାଲି ଠୁଳ କରିବା, ବ୍ରିକ୍ରୟ ପାଇଁ ଉଦ୍ଦିଷ୍ଟ ଜିନିଷପତ୍ର ରାସ୍ତାଉପରେ ସଜେଇ ରଖିବା ପ୍ରଭୃତି ସମସ୍ୟା ଯୋଗୁଁ ଦୈନନ୍ଦିନ ଛୋଟ, ବଡ ଦୁର୍ଘଟଣା ଘଟିବା ସଂଗେ ସଂଗେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା