ବଡ଼ବିଲ(ସମୃଦ୍ଧଓଡିଶା) ଆସନ୍ତା ଜାନୁଆରୀ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ବଡ଼ବିଲ ଉତ୍ସବ ପଡ଼ିଆରେ ବଡ଼ବିଲ ମହୋତ୍ସବର ରୌପ୍ୟଜୟନ୍ତୀ ସମାରୋହ ଆୟୋଜିତ ହେବାକୁ ଯାଉଛି । ଚମ୍ପୁଆ ଉପ ଜିଲ୍ଲପାଳ ତଥା ବଡ଼ବିଲ ମହୋତ୍ସବ କମିଟିର ଅଧ୍ୟକ୍ଷ ଉମାକାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ଟାଉନ୍ ହଲରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ପରିବେଶ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗମନ୍ତ୍ରୀ ଗଣେଶ ରାମ୍ ସିଂ ଖୁଣ୍ଟିଆ, ଉଚ୍ଚଶିକ୍ଷା କ୍ରୀଡା ଯୁବସେବା ତଥା ସଂସ୍କୃତି ବିଭାଗମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ମୋହତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ଅତିଥିଭାବେ ଯୋଗଦେବାକୁ ସମ୍ମତି ପ୍ରଦାନକରିଥିବା ସୂଚନା ଦିଆଯାଇଛି । ମହୋତ୍ସବକୁ ଅଧିକ ଚଳଚଞ୍ଚଳ କରିବା ଲକ୍ଷ୍ୟରେ ବଡ଼ବିଲର ବିଭିନ୍ନ ସ୍ୱେଚ୍ଛସେବୀ ସଂଗଠନ, ମହିଳା ସଂଗଠନ ଏବଂ ସାଂସ୍କୃତିକ ସଂଗଠନ ଗୁଡ଼ିକୁ ସାମିଲ କରାଯାଇଛି । ମୋହତ୍ସବର ସଫଳ ଆୟୋଜନ ନିମନ୍ତେ କାର୍ଯ୍ୟକ୍ରମର ରୂପରେଖ ଚୂଡ଼ାନ୍ତ ହୋଇଛି। ଉଦ୍ଘାଟନୀ ଦିବସରେ ହରିହର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ କଳାସଂସ୍କୃତି ସମ୍ମିଳିତ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଉତ୍ସବ ପଡ଼ିଆରେ ପହଞ୍ଚିବାପରେ ମୋହାତ୍ସବର ଶୁଭ ଉଦ୍ଘାଟନ କରାଯିବ । ପୂର୍ବ ବର୍ଷମାନଙ୍କ ଭଳି ବିଭିନ୍ନ କଳାତ୍ମକ ପ୍ରତିଯୋଗିତା, ଝୋଟି, ରଙ୍ଗୋଲି, ଚିତ୍ରାଙ୍କନ, ଲିଟିଲ୍ ମିସ୍ ପ୍ରତିଯୋଗିତା, ଡୋଗ୍ ଶୋ’ ବେବୀ ଶୋ’ ବଡ୍ଡି ବିଲ୍ଡିଂ, ବିଭିନ୍ନ କିସମର ଫୁଲ ଓ ପନିପରିବା ପ୍ରଦର୍ଶନୀ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ସେହିପରି, ସ୍ଥାନୀୟ ଅଞ୍ଚଳର ଲୁକାୟିତ କଳାପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିଦିନ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଶେଷ କରି ମହୋତ୍ସବର ପ୍ରତି ସନ୍ଧ୍ୟାରେ ଜାତୀୟ ଓ ରାଜ୍ୟସ୍ତରୀୟ ତାରକା କଳାକାରଙ୍କ କଳାଭିନୟ ପ୍ରଦର୍ଶନ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ. ଏତଦ୍ବ୍ୟତୀତ ଖାଦ୍ୟମେଳା ଓ ବିଭିନ୍ନ ସାମଗ୍ରୀର ଷ୍ଟଲ୍ ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବ। ଏହି ଅବସରରେ ସ୍ମରଣିକା, ପାହାଡି ଉନ୍ମୋଚିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ବିଲ ତହସିଲଦାର, ଏସଡିପିଓ, ପୌର ନିର୍ବାହୀ ଅଧିକାରୀ, ଆଇଆଇସି, ବଡ଼ବିଲ ରେଞ୍ଜର, ମେଡିକାଲ ଇନଚାର୍ଜ ପ୍ରମୁଖ ଉପସ୍ଥିତ ରହିବା ସହ କମିଟି ର ସମସ୍ତ ସଦସ୍ୟ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର